30 years of legal battle ୨୦ ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ନ୍ୟାୟିକ ଲଢ଼େଇ: ୨ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ

1 week ago 3
ARTICLE AD BOX

ନୂଆଦିଲ୍ଲୀ: ମାତ୍ର ୨୦ ଟଙ୍କା ଲାଞ୍ଚ ନେବା ଅଭିଯୋଗକୁ ନେଇ ଦୀର୍ଘ ତିନି ଦଶନ୍ଧି ଧରି ଚାଲିଥିବା ଏକ ଆଇନଗତ ଲଢ଼େଇର ଅନ୍ତ ଘଟାଇ ସୁପ୍ରିମକୋର୍ଟ ବୁଧବାର ଦିନ ଗୁଜରାଟ ସରକାରଙ୍କ ଦୁଇଜଣ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି। ବିଚାରପତି ଉଜ୍ଜଳ ଭୂୟାଁ ଏବଂ ବିଚାରପତି ଅତୁଲ ଏସ ଚାନ୍ଦୁରକରଙ୍କୁ ନେଇ ଗଠିତ  ଖଣ୍ଡପୀଠ ଜଣେ କିରାଣି ଏବଂ ଜଣେ ପିଅନଙ୍କୁ ନିର୍ଦୋଷରେ ମୁକ୍ତ କରିଛନ୍ତି। ଅଦାଲତ ନିଜ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି ଯେ, କର୍ମଚାରୀମାନେ ଲାଞ୍ଚ ଦାବି କରିଥିବା ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ ହୋଇନଥିବା ବେଳେ କେବଳ ପିଅନ ନିକଟରୁ ୨୦ ଟଙ୍କା ଜବତ ହେବା ଆଧାରରେ ସେମାନଙ୍କୁ ଦୋଷୀ କରାଯାଇ ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ଏହି ମାମଲାଟି ୧୯୯୬ ମସିହା ଫେବୃଆରି ମାସର ଅଟେ। ଆନନ୍ଦ ଜିଲ୍ଲାର ବେଚାରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ଜଣେ ଛାତ୍ର ଶିକ୍ଷାଗତ ରିହାତି ପାଇଁ ଆୟ ପ୍ରମାଣପତ୍ର ଆଣିବାକୁ ଯାଇଥିଲେ। ସେହି ସମୟରେ କାର୍ଯ୍ୟାଳୟର କିରାଣି ପ୍ରମାଣପତ୍ର ପ୍ରଦାନ ପାଇଁ ସମୁଦାୟ ୧୨୦ ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିଲା, ଯେଉଁଥିରେ ନିଜ ପାଇଁ ୧୦୦ ଟଙ୍କା ଏବଂ ପିଅନ ପାଇଁ ୨୦ ଟଙ୍କା ସାମିଲ ଥିଲା। ଏହାପରେ ଉକ୍ତ ଛାତ୍ର ଜଣକ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ନିକଟରେ ଅଭିଯୋଗ କରିବା ସହ ଏସିବି ଦ୍ୱାରା ପ୍ରସ୍ତୁତ ପଦକ୍ଷେପ ଅନୁଯାୟୀ କେମିକାଲ ଚିହ୍ନିତ ୧୨୦ ଟଙ୍କା ଧରି କାର୍ଯ୍ୟାଳୟକୁ ଯାଇଥିଲେ।

ଅପରପକ୍ଷରେ, ପ୍ରମାଣପତ୍ର ପାଇବା ପରେ ଛାତ୍ର ଜଣକ କେବଳ ୨୦ ଟଙ୍କା ପିଅନଙ୍କୁ ପ୍ରଦାନ କରିଥିଲେ ଏବଂ ଏସିବି ଦଳ ଚଢ଼ାଉ କରି ପିଅନ ନିକଟରୁ ସେହି ଚିହ୍ନିତ ନୋଟ୍ ଜବତ କରିଥିଲେ ମଧ୍ୟ କିରାଣିଙ୍କ ନିକଟରୁ ବାକି ୧୦୦ ଟଙ୍କା ମିଳିନଥିଲା। ତେବେ ସର୍ବୋଚ୍ଚ ଅଦାଲତ ଶୁଣାଣି ବେଳେ  ଅନେକ ଅସଙ୍ଗତି ଦେଖିବାକୁ ପାଇଛନ୍ତି। ଜେରା ସମୟରେ ଛାତ୍ର ଜଣକ ସ୍ୱୀକାର କରିଥିଲେ ଯେ ପିଅନ ନିଜେ ତାଙ୍କୁ କୌଣସି ଲାଞ୍ଚ ମାଗିନଥିଲେ। ଏଥିସହିତ ପରଦିନ ଇଦ୍ ପର୍ବ ଥିବାରୁ ଖୁସିରେ ଛାତ୍ର ଜଣକ ତାଙ୍କୁ ୨୦ ଟଙ୍କା ଦେଇଥିବା ନେଇ ପିଅନ କରିଥିବା ଦାବି ଅଧିକ ଯୁକ୍ତିଯୁକ୍ତ ବୋଲି କୋର୍ଟ ବିବେଚନା କରିଛନ୍ତି। ଅନ୍ୟପକ୍ଷରେ କିରାଣିଙ୍କ ବିରୋଧରେ ମାମଲା ଚଲାଇବା ପାଇଁ ଜଣେ ଅନଧିକୃତ ଅଧିକାରୀ ମଞ୍ଜୁରୀ ଦେଇଥିବାରୁ ତାହା ଆଇନଗତ ଭାବେ ଅବୈଧ ବୋଲି ପ୍ରମାଣିତ ହୋଇଛି।  ଏହି ସମସ୍ତ ପରିସ୍ଥିତିକୁ ବିଚାର କରି ସୁପ୍ରିମକୋର୍ଟ ଗୁଜରାଟ ହାଇକୋର୍ଟ ଏବଂ ନିମ୍ନ ଅଦାଲତର ସଜା ଆଦେଶକୁ ରଦ୍ଦ କରି ଦୁଇ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦୋଷମୁକ୍ତ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.