ARTICLE AD BOX
ନୂଆଦିଲ୍ଲୀ:କେନ୍ଦ୍ର ସରକାର ଦେଶର ୨୮ଟି ରାଜ୍ୟକୁ ଆଗୁଆ ୧ ଲକ୍ଷ ୯ ହଜାର ୧୯ କୋଟି ଟଙ୍କାର ଟିକସ ଅଂଶ ପ୍ରଦାନ କରିଛନ୍ତି। ଅକ୍ଟୋବର ୩୧ ତାରିଖ ଶନିବାର ଏହି ଅର୍ଥ ମଞ୍ଜୁର କରାଯାଇଥିବା ନେଇ ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି।
ପାର୍ବଣ ଋତୁକୁ ଦୃଷ୍ଟିରେ ରଖିବା ସହ ରାଜ୍ୟଗୁଡ଼ିକରେ ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଜନକଲ୍ୟାଣମୂଳକ ଯୋଜନାରେ ଖର୍ଚ୍ଚ ପାଇଁ ଏହି ଅର୍ଥ ଆଗୁଆ ପ୍ରଦାନ କରାଯାଇଛି।
ପଶ୍ଚିମବଙ୍ଗକୁ ୭,୮୬୬ କୋଟି ଟଙ୍କା ମିଳିଛି
ଏହି ଅନୁଦାନରୁ ଓଡ଼ିଶାକୁ ୪,୮୧୯ କୋଟି ଟଙ୍କା ମିଳିଥିବାବେଳେ ପଶ୍ଚିମବଙ୍ଗକୁ ୭,୮୬୬ କୋଟି ଟଙ୍କା ମିଳିଛି। ଉତ୍ତରପ୍ରଦେଶ ସର୍ବାଧିକ ୧୯,୨୦୮ କୋଟି ଟଙ୍କା ପାଇଛି। ସେହିପରି ବିହାରକୁ ୧୦,୮୪୫ କୋଟି ଏବଂ ମଧ୍ୟପ୍ରଦେଶକୁ ୮,୦୧୦ କୋଟି ଟଙ୍କା ମିଳିଛି।
ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରକୁ ୭,୦୨୨ କୋଟି, ରାଜସ୍ଥାନକୁ ୬,୪୬୦ କୋଟି, ଆନ୍ଧ୍ରପ୍ରଦେଶକୁ ୪,୫୯୭ କୋଟି, କର୍ଣ୍ଣାଟକକୁ ୪,୫୦୪ କୋଟି ଏବଂ ତାମିଲନାଡୁକୁ ୪,୪୬୬ କୋଟି ଟଙ୍କା ମିଳିଛି।
ଉଲ୍ଲେଖଯୋଗ୍ୟ, ଅର୍ଥ ଆୟୋଗଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ର ସରକାର ଆଦାୟ କରୁଥିବା ମୋଟ ଟିକସର ୪୧ ପ୍ରତିଶତ ଅର୍ଥ ରାଜ୍ୟଗୁଡ଼ିକୁ ଆବଣ୍ଟନ କରୁଛନ୍ତି। ସାଧାରଣତଃ ପ୍ରତିମାସ ୧୦ ତାରିଖରେ ଏହି ଅର୍ଥ ପ୍ରଦାନ କରାଯାଇଥାଏ। କିନ୍ତୁ ନଭେମ୍ବର ମାସର ଟିକସ ଅଂଶ ଏଥର ୧୦ ଦିନ ଆଗୁଆ ଦିଆଯାଇଛି।
ଏହା ପୂର୍ବରୁ ଚଳିତବର୍ଷ ଅଗଷ୍ଟ ମାସରେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆଗୁଆ ୧.୦୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ। ସେଥିରୁ ଓଡ଼ିଶାକୁ ମଧ୍ୟ ୪,୮୧୯ କୋଟି ଟଙ୍କା ମିଳିଥିଲା।

52 minutes ago
2


