Arbitrary fees: ଉଠା ଦୋକାନୀଙ୍କଠାରୁ ମନଇଚ୍ଛା ଫି’ ଆଦାୟ: ଏସ୍ଏ‌ମ୍‌ସିରେ ପଶିଲା ଭିଜିଲାନ୍ସ

2 days ago 6
ARTICLE AD BOX

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୭ଟି ଦୈନିକ ଓ ସାପ୍ତାହିକ ବଜାର ସାଙ୍ଗକୁ ରାସ୍ତାକଡ଼ରେ ବସୁଥିବା ଉଠାଦୋକାନୀଙ୍କଠାରୁ ମନଇଚ୍ଛା ଫି’ ଆଦାୟ ଘଟଣାରେ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପାଇଆସୁଛି। ଏହାକୁ ନେଇ ପ୍ରଥମଥର ପାଇଁ ସମ୍ବଲପୁର ମହାନଗର ନିଗମରେ ପଶିଛି ଭିଜିଲାନ୍ସ। ସମ୍ବଲପୁର ଭିଜିଲାନ୍ସର ଅତିରିକ୍ତ ଏସ୍‌ପି ସୁଜାତା ପଣ୍ଡାଙ୍କ ନେତୃତ୍ବରେ ଏକ ୩ଜଣିଆ ଟିମ୍ ଆଜି ମହାନଗର ନିଗମ କାର୍ଯ୍ୟାଳୟରେ ପହଞ୍ଚି ତନାଘନା କରିଛନ୍ତି। ଏହି ସମୟରେ ଏସ୍ଏ‌ମ୍‌ସି କମିସନର ରେହାନ ଖତ୍ରୀ ଅନୁପସ୍ଥିତ ଥିବା ବେଳେ ଟିକସ ବିଭାଗ ଦାୟିତ୍ବରେ ଥିବା ସହକାରୀ କମିସନର ଅଶୋକ ମିଶ୍ର ଓ ଜଣେ ଟାକ୍ସ କଲେକ୍ଟରଙ୍କୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି। ଏସ୍‌ଏମ୍‌ସି କର୍ତ୍ତୃପକ୍ଷ ବିନା ଟେଣ୍ଡରରେ ଓ ବିନା ରସିଦରେ ଉଠା ଦୋକାନୀଙ୍କଠାରୁ ଟଙ୍କା ଆଦାୟ କରିବା ଘଟଣାକୁ ସ୍ବୀକାର କରିଥିବାବେଳେ ଏବେ କିଛିଦିନ ହେବ ରସିଦ୍ ଆରମ୍ଭ କରିଥିବା ମାନିଛନ୍ତି। ଲୋକଙ୍କଠାରୁ ଆଦାୟ ହେଉଥିବା ଏହି ଟଙ୍କାର ହିସାବ କହିଲେ କେବଳ ଏକ କ୍ୟାସ୍‌ବୁକ୍‌, ଏସ୍ଏ‌ମ୍‌ସି କର୍ତ୍ତୃପକ୍ଷଙ୍କ ନିକଟରେ ଅନ୍ୟ କୌଣସି ଦସ୍ତାବିଜ ହିଁ ନାହିଁ। ତେଣୁ କାଗଜପତ୍ର ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇ ଭିଜିଲାନ୍ସ ଟିମ୍ ସେଠାରୁ ଫେରିଥିବା ଜଣାପଡ଼ିଛି। 

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସହକାରୀ କମିସନର ଓ ଟାକ୍ସ କଲେକ୍ଟରଙ୍କୁ ପଚରାଉଚରା

ଭିଜିଲାନ୍ସ ଟିମ୍‌ର ଚଢ଼ଉ ବେଳେ ଜଣେ ଟ୍ୟାକ୍ସ କଲେକ୍ଟର କିଛି ରସିଦ ବହି ନେଇ ଟଙ୍କା ଜମା କରିବାକୁ ଆସିଥିଲେ। ଭିଜିଲାନ୍ସ ଟିମ୍‌ ଉକ୍ତ ଟ୍ୟାକ୍ସ କଲେକ୍ଟରଙ୍କୁ ବି ବିଭିନ୍ନ ପ୍ରଶ୍ନ ପଚାରିଥିଲା। ରସିଦ ବହିରେ କେବଳ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ରସିଦ ରହିଥିଲା। କେଉଁ ଉଠାଦୋକାନୀଙ୍କଠାରୁ କେତେ ଫି’ କଟାଗଲା ତାହାର କୌଣସି ସୂଚନା ଟ୍ୟାକ୍ସ କଲେକ୍ଟରଙ୍କ ପାଖରେ ଉପଲବ୍ଧ ନଥିଲା। କର୍ମଚାରୀ ସଙ୍କଟ କାରଣରୁ ଟ୍ୟାକ୍ସ କଲେକ୍ଟରଙ୍କ ଉପରେ ଅଧିକ ଚାପ ରହୁଥିବାରୁ ଜଣ ଜଣଙ୍କର ନାମ ଲେଖି ରସିଦ କାଟିବା ସମ୍ଭବ ହେଉନଥିବା ଭିଜିଲାନ୍ସକୁ ଉତ୍ତର ଦିଆଯାଇଛି। ଏଭଳି ସ୍ଥିତିରେ ଉକ୍ତ ଟ୍ୟାକ୍ସ କଲେକ୍ଟର ହିଁ ନିଜର ସ୍ବୀକାରୋକ୍ତି ଭାବେ ଯେତିକି ଟଙ୍କା ଦେଲେ ତାଙ୍କ ନାମରେ ସେତିକି ଟଙ୍କା କ୍ୟାସବୁକ୍‌ରେ ଏଣ୍ଟ୍ରି କରାଯାଉଥିବା ଭିଜିଲାନ୍ସ ଟିମ୍ ଦେଖିବାକୁ ପାଇଥିଲା। କିନ୍ତୁ ଟ୍ୟାକ୍ସ କଲେକ୍ଟର ସମସ୍ତ ଟଙ୍କା ଜମାଦେଲେ ନା ନାହିଁ, କାହାଠାରୁ କେତେ ଟଙ୍କା ଆଦାୟ କଲେ ତାହା କର୍ତ୍ତୃପକ୍ଷ କିଭଳି ଜାଣୁଛନ୍ତି ବୋଲି ଭିଜିଲାନ୍ସ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର କୌଣସି ଉତ୍ତର ଦେଇ ପାରିନଥିଲେ ମହାନଗର ନିଗମ କର୍ତ୍ତୃପକ୍ଷ। ତେବେ କେତେ ମାସ ଧରି ଏସ୍ଏ‌ମ୍‌ସି ନିକଟରେ ରସିଦ ନଥିଲା, ବିନା ରସିଦରେ ଦୈନିକ କେଉଁ ବଜାରରୁ କେତେ ଟଙ୍କା ଆଦାୟ ହେଉଥିଲା, ଟେଣ୍ଡର ଅବଧିବେଳେ କେଉଁ ବଜାରରୁ ଦୈନିକ କେତେ ଟଙ୍କା ଆସୁଥିଲା, ଏବେ ପୁନଃ ରସିଦ ବ୍ୟବସ୍ଥା ଆରମ୍ଭ କରାଯିବା ପରେ କେତେ ଆଦାୟ ଓ କେତେ ଜମା ହେଉଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରସ୍ତୁତ କରି ରଖିବାକୁ ଭିଜିଲାନ୍ସ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.