ARTICLE AD BOX
ନାଗୋୟା: ଜାପାନର ଆଇଚି-ନାଗୋୟାରେ ଏସୀୟ ପାରା କ୍ରୀଡ଼ା-୨୦୨୬ ଉଦ୍ଯାପିତ ହୋଇଯାଇଛି। ଏହି ସଂସ୍କରଣରେ ଭାରତ ମୋଟ ୧୧୪ ପଦକ ଜିତି ଐତିହାସିକ ସଫଳତା ହାସଲ କରିଛି। ଓଡ଼ିଶାର ପାୟଲ ନାଗ, ଜୟନ୍ତୀ ବେହେରା, ପ୍ରମୋଦ ଭଗତ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଶନିବାର ନାଗୋୟାର ମିଜୁହୋ ପାର୍କ ଆଥଲେଟିକ୍ସ ଷ୍ଟାଡିୟମ୍ରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। ଦୁଇଟି ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବା ନିଶାଦ କୁମାର ଓ ମୋନା ଅଗ୍ରୱାଲ ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଏହି ପ୍ରତିଯୋଗିତାରେ ଭାରତ ୩୦ ସ୍ୱର୍ଣ୍ଣ, ୩୫ ରୌପ୍ୟ ଓ ୪୯ କାଂସ୍ୟ ପଦକ ସହ ପଦକ ତାଲିକାର ଚତୁର୍ଥ ସ୍ଥାନ ପାଇଛି। ଏହା ୨୦୨୨ରେ ଚୀନ୍ର ହାଙ୍ଗଝୁଠାରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ୧୦୮ ପଦକ ରେକର୍ଡକୁ ଅତିକ୍ରମ କରିଛି।
Accident: ରେଳବାଇର ଗେଟ୍କୁ ଧକ୍କା ଦେଲା ଟାଟାଏସି
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୂର୍ବ ସଂସ୍କରଣରେ ଭାରତ ପକ୍ଷରୁ ୩୦୯ ଜଣ ପାରା ଖେଳାଳି ଭାଗ ନେଇଥିବା ବେଳେ ଏଥର ମାତ୍ର ୧୬୮ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଜାପାନରେ ପ୍ରଥମଥର ପାଇଁ ଆୟୋଜିତ ଏହି ପଞ୍ଚମ ସଂସ୍କରଣରେ ୪୫ଟି ଦେଶ ଓ ଅଞ୍ଚଳର ପ୍ରାୟ ୪,୦୦୦ ଖେଳାଳି ଓ ଅନ୍ୟ ସଦସ୍ୟ ଭାଗ ନେଇଥିଲେ। ଏହି ସାତଦିନିଆ ପ୍ରତିଯୋଗିତାରେ ୧୮ଟି କ୍ରୀଡ଼ା ସାମିଲ ଥିବା ବେଳେ ୨୦ରୁ ଅଧିକ ବିଶ୍ୱ ରେକର୍ଡ ସ୍ଥାପିତ ହୋଇଛି। ୪୩୫ ପଦକ ସହ ଚୀନ୍ ପୁଣି ପ୍ରଥମ ସ୍ଥାନ ଦଖଲ କରିଛି। ଏଥିରେ ୨୦୭ ସ୍ୱର୍ଣ୍ଣ ପଦକ ରହିଛି। ଆୟୋଜକ ଜାପାନ ୬୪ ସ୍ୱର୍ଣ୍ଣ, ୬୦ ରୌପ୍ୟ ଓ ୬୨ଟି କାଂସ୍ୟ ସହ ମୋଟ ୧୮୬ ପଦକ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଉଜବେକିସ୍ତାନ ୪୫ ସ୍ୱର୍ଣ୍ଣ ସହ ମୋଟ ୧୪୫ ପଦକ ଜିତି ତୃତୀୟ ସ୍ଥାନ ହାସଲ କରିଛି।

2 days ago
5


