ARTICLE AD BOX
ଭୁବନେଶ୍ୱର: ଆସୋଚାମ ପକ୍ଷରୁ ଆୟୋଜିତ ଦୁଇଦିନିଆ ‘ଓ-ଲିଡ୍ ୨୦୨୬ - ଓଡ଼ିଶା: ଦ ଗ୍ଲୋବାଲ୍ ଗ୍ରୋଥ୍ ହବ୍’ ସମ୍ମିଳନୀ ଶନିବାର ଭୁବନେଶ୍ୱରରେ ଉଦ୍ଯାପିତ ହୋଇଯାଇଛି। ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ, ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତ୍ତା, ମିଳିତ ଗବେଷଣା ତଥା ନବସୃଜନର ବ୍ୟାବସାୟୀକରଣ ଉପରେ ଏଥିରେ ଆହ୍ୱାନ ଦିଆଯାଇଛି।
ଆଗାମୀ ପିଢ଼ିର ନିଯୁକ୍ତି ସୁଯୋଗ ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ପ୍ରାରମ୍ଭିକ ପର୍ଯ୍ୟାୟରୁ ଦକ୍ଷତା ବିକାଶ ଓ ଶିକ୍ଷା ଜରୁରୀ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିସନର ତଥା ସଚିବ ଭୂପେନ୍ଦ୍ର ସିଂହ ପୁନିଆ କହିଥିଲେ। ବ୍ରିଟିସ ଡେପୁଟି ହାଇକମିସନର ଡ. ଆଣ୍ଡ୍ର୍ୟୁ ଫ୍ଲେମିଂ ‘ଭାରତ-ବ୍ରିଟେନ ମିଳିତ ଭିଜନ ୨୦୩୫’ର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଶିକ୍ଷା ବ୍ୟାପକତା ଏବଂ ପାଠପଢ଼ାର ଫଳାଫଳକୁ ଉନ୍ନତ କରିବାରେ ଏଆଇ ବ୍ୟବହାରର ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ।
ଲୋକସଭା ସାଂସଦ ଡ. ରବିନାରାୟଣ ବେହେରା ନିଯୁକ୍ତି ଉପରେ ଏଆଇର ପ୍ରଭାବ ଏବଂ ଏଆଇ ପ୍ରଯୁକ୍ତିର ପ୍ରୟୋଗ ଦ୍ବାରା ଲିଭିଯାଉଥିବା ଭାଷାଗତ ବିବିଧତା ଉପରେ ମତ ରଖିଥିଲେ। ଆସୋଚାମର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ବିଭାଗର ବରିଷ୍ଠ ନିର୍ଦ୍ଦେଶିକା ତଥା ମୁଖ୍ୟ ପରମିନ୍ଦର ଜିତ୍ କୌର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋଚାମର ଓଡ଼ିଶା ରାଜ୍ୟ ବିକାଶ ପରିଷଦ ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତି, ସହ-ଅଧ୍ୟକ୍ଷ ଡ. ପ୍ରବୋଧ ମହାନ୍ତି, ଶିକ୍ଷା ପରିଷଦ ଅଧ୍ୟକ୍ଷ ଡ. ଆଲେକ୍ଜାଣ୍ଡାର ଦାସ, ଆସୋଚାମ ଓଡ଼ିଶା ରାଜ୍ୟ ବିକାଶ ପରିଷଦ ପରାମର୍ଶଦାତା ଅସିତ ତ୍ରିପାଠୀ ଏବଂ ଷ୍ଟାର୍ଟଅପ୍ ପରିଷଦ ଅଧ୍ୟକ୍ଷ ଅବନୀଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

2 weeks ago
8


