ARTICLE AD BOX
ଚେନ୍ନାଇ: ସାମାଜିକ ଗଣମାଧ୍ୟମରେ ଖୁବ୍ ସକ୍ରିୟ ୨୭ ବର୍ଷୀୟ ବି ହରିଶ୍ଙ୍କର ଇନଷ୍ଟାଗ୍ରାମରେ ୧୩ ଲକ୍ଷ ଅନୁଗାମୀ ଅଛନ୍ତି। ତାଙ୍କର ୟୁଟ୍ୟୁବ୍ ଚାନେଲ ମଧ୍ୟ ଅଛି। ଗତ ପାଞ୍ଚ ବର୍ଷ ହେଲା ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ଟଙ୍କା, ନିବେଶ ଓ ଆର୍ଥିକ ସମ୍ପର୍କିତ ସୂଚନା ଯୋଗାଇବା ପାଇଁ ଫାଇନାନ୍ସ ଇନଫ୍ଲୁଏନ୍ସର୍ ଭାବେ କାମ କରୁଥିଲେ। ଚେନ୍ନାଇର ଏକ ଭଡା ଘରୁ ହରିଶଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପ୍ରାରମ୍ଭିକ ତଦନ୍ତରେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଛି।
ହରିଶଙ୍କ ବାପା ଚେନ୍ନାଇର କନାଥୁର ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଯେ, ହରିଶ ସାଇବର ଧମକ ଓ ମାନସିକ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ପରିବାର ଏହି ମାମଲାରେ ଭେଞ୍ଚର ଷ୍ଟୁଡିଓ ଜେମୁରିଆ ଇନକର୍ପୋରେଟେଡ୍ର ସିଇଓ ଜେସନ୍ ସାମୁଏଲ୍ଙ୍କୁ ତାଙ୍କ ପୁଅର ମୃତ୍ୟୁ ପାଇଁ ଦାୟୀ କରିଛି। ସାମୁଏଲ ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ନାମ ନେଇ ତାଙ୍କ ପୁଅକୁ ଧମକ ଦେଇଥିଲେ ଓ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ହରିଶଙ୍କଠାରୁ ୩ କୋଟି ଟଙ୍କା ଦାବି କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଛି।
ହତ୍ୟା ନା ଆତ୍ମହତ୍ୟା
ମୃତ ଇନଫ୍ଲୁଏନ୍ସର୍ଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସାମୁଏଲ୍ ଅକ୍ଟୋବର ୧୮ ତାରିଖରେ ହରିଶଙ୍କ ବିଷୟରେ ଭିଡିଓ ଓ ପୋଷ୍ଟ ପ୍ରକାଶ କରିଥିଲେ, ଯେଉଁଥିରେ ହରିଶ ଜନସାଧାରଣଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଥିଲେ। ଏହି ବିଷୟବସ୍ତୁ ଇନଷ୍ଟାଗ୍ରାମ, ଫେସବୁକ୍ ଓ ୟୁଟ୍ୟୁବ୍ରେ ସେୟାର କରାଯାଇଥିଲା। ଏଥିରେ ଅପମାନିତ ଓ ଗମ୍ଭୀର ମାନସିକ ଯନ୍ତ୍ରଣା ଯୋଗୁଁ ହରିଶ୍ ଆତ୍ମହତ୍ୟା କରିଥିଲେ। ସାମୁଏଲଙ୍କ ଅଭିଯୋଗ ପରେ ହରିଶଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ କରାଯାଇଥିଲା।
୩ କୋଟି ଟଙ୍କା ଦାବି
ହରିଶ ଆଉ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ ଓ ତାଙ୍କ ଉପରେ ଲାଗିଥିବା ଅଭିଯୋଗର ସ୍ପଷ୍ଟୀକରଣ ରଖିଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ହରିଶଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ, ଜେସନ ସାମୁଏଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ତାଙ୍କର ମତ ରଖିଥିଲେ। ସେ ଲେଖିଛନ୍ତି ଯେ, ସେ ଏହି ଘଟଣା ପାଇଁ ଦୁଃଖିତ ଓ ମର୍ମାହତ। ହରିଶଙ୍କୁ ସାଇବର ଧମକ ଦେବାର ଅଭିଯୋଗକୁ ଅସ୍ୱୀକାର କରିଥିଲେ। ସାମୁଏଲ କହିଛନ୍ତି ଯେ ସେ ହରିଶଙ୍କ ମୃତ୍ୟୁ ଚାହୁଁ ନଥିଲେ। ହରିଶଙ୍କ ପାଖରେ ଆବଶ୍ୟକୀୟ ଲାଇସେନ୍ସ ଅଛି କି ନାହିଁ ସେ ବିଷୟରେ ପ୍ରଶ୍ନ ଉଠାଇଛନ୍ତି।

6 days ago
4


