ARTICLE AD BOX
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ କର୍ପୋରେସନ୍ ବୈଠକରେ ଆଜି ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ମାସାଧିକ ହେଲାଣି ନୂଆ ପରିମଳ ଓ ବିଜୁଳି ଟେଣ୍ଡରକୁ ନଗର ଉନ୍ନୟନ ବିଭାଗର ମଞ୍ଜୁରି ପାଇଁ ପଠାଯାଇଥିଲେ ବି ଏହି ଫାଇଲ୍କୁ ବିଭାଗ ଚାପି ରଖିଥିବାରୁ କର୍ପୋରେଟର୍ମାନେ ମେୟର, କମିସନରଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି। ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସଭା ମଝିରେ ଗଣଧାରଣା ଦେବା ସହ ନାରାବାଜି କରିଛନ୍ତି। ୮ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ଅଡ଼ି ବସିବା ସହ ରାଜଧାନୀର ଏଭଳି ଚିତ୍ର ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଏଥିପାଇଁ ପ୍ରାୟ ୧ ଘଣ୍ଟା ଧରି ସଭାକାର୍ଯ୍ୟ ଚାଲି ପାରିନଥିଲା। ଶେଷରେ ମେୟର ଓ କମିସନର ୧୦ ଦିନରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ କର୍ପୋରେଟରମାନେ ଧାରଣାରୁ ହଟିଥିଲେ।
ମହାନଗର ନିଗମର ୬୭ଟି ୱାର୍ଡରୁ ଅଳ୍ପ କିଛି ୱାର୍ଡର ପ୍ରମୁଖ ରାସ୍ତା ଯାନ୍ତ୍ରିକ ସଫେଇ କରାଯାଉଥିବା ବେଳେ ବାକି ସବୁ ୱାର୍ଡର ରାସ୍ତାଘାଟ ସଫେଇ ଲୋକବଳ ଲଗାଇ କରାଯାଉଛି। ପୂର୍ବରୁ ୬ରୁ ଅଧିକ ଏଜେନ୍ସି ଏହାର ଟେଣ୍ଡର ପାଇଥିଲେ। କିନ୍ତୁ ଗତ ସେପ୍ଟେମ୍ବରରୁ ଏହି ସଂସ୍ଥାମାନଙ୍କର ଟେଣ୍ଡର ସରିଲାଣି। ନୂଆ ଟେଣ୍ଡର ହୋଇନଥିବାରୁ ପୁରୁଣା ଏଜେନ୍ସିଙ୍କ ୬ ମାସ ଅବଧି ବଢ଼ାଯାଇଥିଲା। ଇତିମଧ୍ୟରେ ଗତ ଜୁନ୍ ମାସରୁ କର୍ପୋରେସନ୍ ନୂଆ ଟେଣ୍ଡର ଚୂଡ଼ାନ୍ତ କରି ନଗର ଉନ୍ନୟନ ବିଭାଗକୁ ମଞ୍ଜୁରି ପାଇଁ ପଠାଇଛି। କିନ୍ତୁ ଅଦ୍ୟାବଧି ନଗର ଉନ୍ନୟନ ବିଭାଗ ମଞ୍ଜୁରି ଦେଉନି। ୱାର୍କସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀଧର ବେହେରା ଅଭିଯୋଗ କରିଥିଲେ, ଏଥିପାଇଁ ଲୋକଙ୍କଠାରୁ ଆମକୁ ଗାଳି ଶୁଣିବାକୁ ପଡ଼ୁଛି। କାହିଁକି ପରିମଳ ଟେଣ୍ଡରକୁ ମଞ୍ଜୁରି ମିଳୁନି ସ୍ପଷ୍ଟ କରନ୍ତୁ।
ପରିମଳ, ବିଜୁଳି ଟେଣ୍ଡର ତାତି-ଘଣ୍ଟାଏ ବୈଠକ ଅଚଳ
୪ ମାସ ପରେ ବି ପରିମଳ ଟେଣ୍ଡରକୁ ମଞ୍ଜୁରି ମିଳିନି
ଜଳୁନି ୩୦ହଜାର ଷ୍ଟ୍ରିଟ୍ ଲାଇଟ୍
୧୦ ଦିନରେ ସମଧାନ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ
ଅନ୍ୟ କର୍ପୋରେଟରମାନେ ବି ଏହାକୁ ସମର୍ଥନ ଜଣାଇ ଜବାବ ମାଗିଥିଲେ। ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର କହିଥିଲେ, ଭୁବନେଶ୍ବରର ପ୍ରାୟ ୩୦ହଜାର ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇଗଲାଣି। ଏଥିପାଇଁ ଟେଣ୍ଡର ନେଇଥିବା ଦୁଇସଂସ୍ଥାଙ୍କ ଅବଧି ସରିଲାଣି। ଏଣୁ ପ୍ରତି ୱାର୍ଡ ଓ ପ୍ରମୁଖ ରାସ୍ତାଘାଟରେ ଷ୍ଟ୍ରିଟ୍ ଲାଇଟ୍ ଅଚଳ ହୋଇଗଲାଣି। ନୂଆ ଟେଣ୍ଡର, କର୍ପୋରେସନ୍ ମଞ୍ଜୁରି ପରେ ନଗର ଉନ୍ନୟନ ବିଭାଗ ଅନୁମୋଦନ ପାଇଁ ଯାଇଥିଲେ ବି ଫେରୁନି। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ଅଭିଯୋଗ କରିଥିଲେ, ବହୁଦିନରୁ ଷ୍ଟ୍ରିଟ୍ଲାଇଟ୍ ଟେଣ୍ଡର ନେଇଥିବା ‘ନିବ୍’କୁ କଳାତାଲିକାଭୁକ୍ତ କରିବାକୁ କୁହାଯାଉଛି। କିନ୍ତୁ ଏହି ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଯାଉଛି। ଯାହାର ପରିଣାମ ଲୋକେ ଅନ୍ଧକାର ଭିତରେ ରହୁଛନ୍ତି। ଅନ୍ୟ କର୍ପୋରେଟର୍ମାନେ ବି ଏହାକୁ ସମର୍ଥନ ଜଣାଇ କେବେ ପରିମଳ ଓ ଷ୍ଟ୍ରିଟ୍ ଲାଇଟ୍ ନୂଆ ଟେଣ୍ଡର କାର୍ଯ୍ୟ ଆରମ୍ଭ ହେବ ତାର ଜବାବ ଦାବି କରି ଧାରଣାରେ ବସିଥିଲେ।
FASTag rules: ନଭେମ୍ବର ପହିଲାରୁ ବଦଳିବ ଫାସ୍ଟ୍ୟାଗ୍ ନିୟମ; ୨୦ କିମି ଭିତରେ ରହୁଥିବା ଲୋକଙ୍କୁ ମିଳିବ ରିହାତି
ମେୟର ସୁଲୋଚନା ଦାସ କହିଛନ୍ତି, ଗତ ଜୁନ୍ ୨୫ରେ ପରିମଳର ନୂଆ ଟେଣ୍ଡର ପ୍ରକ୍ରିୟା ସରିଲା। ଯେହେତୁ ନୂଆ ଟେଣ୍ଡର ପାଇଁ ବର୍ଷକୁ ୯୫ କୋଟି ଟଙ୍କା ଓ ଦୁଇବର୍ଷରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ, ସେଥିପାଇଁ ପ୍ରଥମେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କ ଅନୁମୋଦନ ଓ ପରେ କ୍ୟାବିନେଟ୍ ମଞ୍ଜୁରି ଆବଶ୍ୟକ। ନଗର ଉନ୍ନୟନ ବିଭାଗ ଏହା ପଠାଇବା କଥା। କିନ୍ତୁ ୪ ମାସ ହେବ, ନୂଆ ଟେଣ୍ଡରକୁ ମଞ୍ଜୁରି ମିଳୁନି। ଯେଉଁ ପୁରୁଣା ଏଜେନ୍ସିମାନେ ଟେଣ୍ଡରରୁ ବାଦ୍ ପଡ଼ିଛନ୍ତି, ନୂଆ ଟେଣ୍ଡର ମଞ୍ଜୁରି ପର୍ଯ୍ୟନ୍ତ ସେମାନଙ୍କ ଟେଣ୍ଡର ସଂପ୍ରସାରିତ କରାଯାଇଥିଲେ ବି ସେମାନେ କାମ କରୁନାହାନ୍ତି। ଏଣୁ ପ୍ରତି ୱାର୍ଡରେ କୁଢ଼ କୁଢ଼ ଆବର୍ଜନା ଗଦା ହେଲାଣି। ଷ୍ଟ୍ରିଟ୍ ଲାଇଟ୍ ପରିଚାଳନାର ନୂଆ ଟେଣ୍ଡର ବି ମଞ୍ଜୁରି ଅପେକ୍ଷାରେ ରହିଛି। ନଭେମ୍ବର ୫ରେ ଷ୍ଟ୍ରିଟ୍ ଲାଇଟ୍ ପରିଚାଳନାର ସଂପ୍ରସାରିତ ଟେଣ୍ଡର ସରୁଛି। ପରିମଳ ଓ ବିଜୁଳି ଟେଣ୍ଡର ସଂପର୍କରେ ସରକାରଙ୍କ ସହ ଆଲୋଚନା କରି ୧୦ ଦିନ ଭିତରେ ଆବଶ୍ୟକ ପଦକ୍ଷେପ ନେବୁ।

1 hour ago
2


