Brutal incident: ସାମାନ୍ୟ ବଚସାରୁ ନୃଶଂସ କାଣ୍ଡ: ଯୁବକଙ୍କୁ ପିଟିପିଟି ମାରିଦେଲେ

4 days ago 6
ARTICLE AD BOX

ବାଲିଅନ୍ତା/ବାଲିଅନ୍ତା ବଜାର: ସ୍ଥାନୀୟ ପାଟଣା ଗାଁ ଲକ୍ଷ୍ମୀ ଆପାର୍ଟମେଣ୍ଟ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା। ଗାଁର ଯୁବକ ସ୍ମୃତିରଞ୍ଜନ ମାର୍ଥା ଓରଫ ରିଙ୍କୁ (୩୦)ଙ୍କୁ ସେହି ଗାଁର କିଛି ଲୋକ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ୨ଦିନ ତଳେ ଘଟିଥିବା ଗଣ୍ଡଗୋଳରେ ରିଙ୍କୁ ଗୁରୁତର ହୋଇ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ରିଙ୍କୁ ଆଖି ବୁଜିଛନ୍ତି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପ‌ରେ ଗାଁରେ ଉତ୍ତେଜନା ବଢ଼ିଛି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଲୋକ ଥାନା ଘେରାଉ କରିଥିଲେ। ବାଲିଅନ୍ତା ଥାନା ପୁଲିସ ବାଲିଅନ୍ତା ରଣସିଂହସାହିର ଅଭିଯୁକ୍ତ ମହେଶ ରାୟ ବାହାଦୁର ଓରଫ ଅସିତ ଜେନାକୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟମାନଙ୍କୁ ଠାବ କରିବାକୁ ବିଭିନ୍ନ ଜାଗାରେ ଚଢ଼ଉ ଆରମ୍ଭ କରିଛି। ସାମାନ୍ୟ ବଚସାରୁ ଏହି ଗଣ୍ଡଗୋଳ ଘଟିଥିବା କୁହାଯାଉଥିଲେ ହେଁ ଭିତରେ ଅନ୍ୟ କିଛି କାରଣ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।  

ଘଟଣା ଦିନ ଲକ୍ଷ୍ମୀ ଆପାର୍ଟମେଣ୍ଟ ଛକରେ ଗାଁର ଆଶୋକ ଜେନାଙ୍କ ଦୋକାନ ଆଗରେ ରିଙ୍କୁଙ୍କ ସାନଭାଇ ପିଙ୍କୁ ଓ ପାଟଣା ଗ୍ରାମର କିଛି ଯୁବକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ରିଙ୍କୁଙ୍କ ଟ୍ରାକ୍ଟର ଚାଳକ ଝୁମର ଦାସଙ୍କୁ ଅଟକାଇ କିଛି ଯୁବକ ପାଟିତୁଣ୍ଡ କରୁଥିବାରୁ ପିଙ୍କୁ ସେମାନଙ୍କୁ ବିରୋଧ କରୁଥିଲେ। ଏତିକିବେଳେ ଦୋକାନୀ ଅଶୋକ ସେମାନଙ୍କୁ ଗଣ୍ଡଗୋଳ ନ କରିବାକୁ ବାରଣ କରି ସେଠାରୁ ପଳାଇ ଯିବାକୁ କହିଥିଲେ। ଏହାକୁ ନେଇ ଅଶୋକ ଓ ପିଙ୍କୁ ମଧ୍ୟରେ କଥା କଟାକଟି ହୋଇଥିଲା। ଖବର ପାଇ ଦୋକାନୀ ଅଶୋକଙ୍କ ଦୁଇ ପୁଅ ଆଶିଷ ଓ ଅସିତ ସେଠାରେ ପହଞ୍ଚିଥିଲେ। ଏହାପରେ ଝଗଡ଼ା ବଢ଼ିଥିଲା। ଗୋଟିଏ ପଟେ ବାପା ଅଶୋକଙ୍କ ସହ ଦୁଇ ପୁଅ ଅମରେଶ ଓ ଅସିତ ଥିଲେ ମଧ୍ୟ ପିଙ୍କୁ ପଛକୁ ହଟି ନଥିଲେ। ଠେଲାପେଲା ପର୍ଯ୍ୟନ୍ତ କଥା ଯାଇଥିଲା। ଖବର ପାଇ ପିଙ୍କୁଙ୍କ ବଡ଼ଭାଇ ରିଙ୍କୁ ସେଠାରେ ପହଞ୍ଚିଥିଲେ। ସାନଭାଇକୁ ମାଡ଼ ହେଉଥିବା ଦେଖି ସେ  ମଝିରେ ପଶି ଯାଇଥିଲେ। ରିଙ୍କୁ ଆସିଯିବା ଦେଖି ଅଶୋକଙ୍କ ପକ୍ଷ ଅଧିକ ରାଗି ଯାଇଥିଲେ ଏବଂ ଉଭୟ ପକ୍ଷଙ୍କ ମଧ୍ୟରେ ଜୋର୍‌ଦାର ଧସ୍ତାଧସ୍ତି ହୋଇଥିଲା। ଏତିକିବେଳେ ରିଙ୍କୁ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡର ପଛ ପାର୍ଶ୍ବରେ ଗଭୀର କ୍ଷତ ହୋଇଥିଲା। ସେ ସଂଜ୍ଞାହୀନ ହୋଇଯିବା ଦେଖି ଗଣ୍ଡଗୋଳ ଥମି ଯାଇଥିଲା ଏବଂ ତୁରନ୍ତ ରିଙ୍କୁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ  ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। 

କିନ୍ତୁ ପିଙ୍କୁଙ୍କ ଅଭିଯୋଗ ଅନୁସାରେ ବଡ଼ଭାଇ ରିଙ୍କୁ ତଳେ ପଡ଼ିଯିବା ପରେ ବି ଅଶୋକ ଓ ତାଙ୍କ ଦୁଇ ପୁଅ ଗୋଇଠା ମାରିବା ସହ ହତ୍ୟା କରିବା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ରାସ୍ତାରେ ପିଟି ପକାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ରିଙ୍କୁ ବେହୋସ ହୋଇଯାଇଥିଲେ। ଡାକ୍ତର ରିଙ୍କୁଙ୍କୁ ମୃତ ଘୋଷଣା କରିବା ପରେ ବାଲିଅନ୍ତା ଥାନା ପୁଲିସ ଆପୋଲୋ ହସ୍ପିଟାଲ୍‌ରେ ପହଞ୍ଚି ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ଶବ ସଂରକ୍ଷଣ ଗୃହରେ ରଖାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.