ARTICLE AD BOX
ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀର ଚାୱଡ଼ି ବଜାର ଅଞ୍ଚଳରେ ଗୁରୁବାର ସକାଳେ ଏକ ତିନିମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଚାୱଡ଼ି ବଜାର ମେଟ୍ରୋ ଷ୍ଟେସନ୍ ନିକଟସ୍ଥ ଗଳି ସିତାରାରେ ସକାଳ ପ୍ରାୟ ୯:୫୦ ମିନିଟରେ ଏହି ଅଘଟଣ ଘଟିଛି।
ଘଟଣାସ୍ଥଳରେ ଫାୟାର ଟେଣ୍ଡର ଓ ଉଦ୍ଧାରକାରୀ ଯାନ ସହ ୬ଟି ଅଗ୍ନିଶମ ବାହିନୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭଗ୍ନାବଶେଷ ତଳେ ଆହୁରି କେତେକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି। ଦୀପାବଳି ପାର୍ବଣ ପାଇଁ ଚାୱଡ଼ି ବଜାର ଓ ଚାନ୍ଦନୀ ଚୌକ୍ ଭଳି ପୁରୁଣା ଦିଲ୍ଲୀର ବାଣିଜ୍ୟିକ ବଜାରଗୁଡ଼ିକରେ ପ୍ରବଳ ଗହଳି ହେଉଥିବା ସମୟରେ ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି।
ରକ୍ଷଣାବେକ୍ଷଣ ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି
ଅପରପକ୍ଷରେ, ଚାନ୍ଦନୀ ଚୌକରେ ଥିବା ଦିଲ୍ଲୀ ମ୍ୟୁନିସିପାଲ କୋର୍ପୋରେସନ୍ (ଏମସିଡି) ଅଧୀନସ୍ଥ ୧୬୦ ବର୍ଷରୁ ଅଧିକ ପୁରୁଣା ଐତିହାସିକ ''ଟାଉନ୍ ହଲ୍'' କୋଠା ମଧ୍ୟ ଭୁଶୁଡ଼ି ପଡ଼ିଛି। ଏହି ବିପର୍ଯ୍ୟୟରେ କୋଠାର ସମ୍ମୁଖ ଭାଗ, ପ୍ରଥମ ମହଲା, ଛାତ, ମୁଖ୍ୟ ପ୍ରବେଶ ଦ୍ୱାରର କାନ୍ଥ ଏବଂ ସେଥିରେ ଖଞ୍ଜାଯାଇଥିବା ଐତିହାସିକ ଘଣ୍ଟା ଭାଙ୍ଗିଯାଇଛି। ୨୦୧୧-୧୨ରେ ଏମସିଡି ମୁଖ୍ୟାଳୟ ସ୍ଥାନାନ୍ତରିତ ହେବା ପରଠାରୁ ଏହି କୋଠାଟି ଅବହେଳିତ ଓ ଜର୍ଜରିତ ଅବସ୍ଥାରେ ପଡ଼ିରହିଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଏକ ପାଞ୍ଚମହଲା ଆବାସିକ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୨ ଜଣ ଶିଶୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଥିଲେ। ପୁରୁଣା ଦିଲ୍ଲୀରେ କ୍ରମାଗତ କୋଠା ଭଙ୍ଗା ଘଟଣା ସୁରକ୍ଷା ଓ ପ୍ରଶାସନିକ ରକ୍ଷଣାବେକ୍ଷଣ ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Delhi Police: ସୌରଭ ଦାସ-ଆଶୁତୋଷ ରାଙ୍କାକୁ ୩ଟି ମାମଲାରେ ପଚରାଉଚରା ପାଇଁ ସମନ ଜାରି କଲା ଦିଲ୍ଲୀ ପୁଲିସ

19 minutes ago
2


