ARTICLE AD BOX
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଦିନକୁ ଦିନ ପାର୍କିଂ ସମସ୍ୟା ଜଟିଳ ହେଉଛି। ଗାଡ଼ି ରଖିବାକୁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ରୋଗୀ ଓ ସମ୍ପର୍କୀୟମାନେ ହସ୍ପିଟାଲ ପରିସର ବାହାରେ ଏଣେତେଣେ ଗାଡ଼ି ରଖୁଛନ୍ତି। ଏପରିକି ବେଆଇନ ପାର୍କିଂ ଯୋଗୁଁ ହସ୍ପିଟାଲ ଭିତରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀ ଯାନବାହନ ଚଳାଚଳ ମଧ୍ୟ ପ୍ରଭାବିତ ହେଉଛି।
ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲକୁ ପ୍ରତିଦିନ ପ୍ରାୟ ୫ ହଜାର ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆସୁଛନ୍ତି। ମାତ୍ର ସେହି ଅନୁପାତରେ ପାର୍କିଂ ସୁବିଧା ନାହିଁ। କ୍ୟାପିଟାଲ ହସ୍ପିଟାଲରେ ଯେତିକି ପାର୍କିଂ ପାଇଁ ସ୍ଥାନ ଅଛି, ସେଥିରେ କେବଳ ୧୦୦୦ ବାଇକ ଓ ୫୦ କାର ରଖାଯାଇପାରିବ। ହସ୍ପିଟାଲକୁ ଆସୁଥିବା ଲୋକେ ଗାଡ଼ି ରଖିବା ପାଇଁ ନିର୍ଦ୍ଧାରିତ ସ୍ଥାନ ନପାଇ ହସ୍ପିଟାଲ ବାହାର ରାସ୍ତା କଡ଼ରେ କାର୍ ଓ ଅନ୍ୟ ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ହସ୍ପିଟାଲ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ପାର୍କିଂ ସମସ୍ୟାରୁ ହସ୍ପିଟାଲର ଡାକ୍ତର ଓ କର୍ମଚାରୀମାନେ ମଧ୍ୟ ମୁକ୍ତି ପାଉନାହାନ୍ତି। ଡାକ୍ତରମାନେ ନିଜ ଗାଡ଼ି ରଖିବାକୁ ସ୍ଥାନ ନପାଇ ଅନେକ ସମୟରେ ହସ୍ପିଟାଲକୁ ଚାଲିଚାଲି ଆସୁଛନ୍ତି। କେତେକ ଡାକ୍ତର ଅନଲାଇନ୍ ଯାନ ବୁକ୍ କରି ହସ୍ପିଟାଲକୁ ଆସୁଥିବା ଜଣାପଡ଼ିଛି।
ଆମ୍ବୁଲାନ୍ସ ଚଳାଚଳରେ ବାଧା
ଜରୁରୀ ବିଭାଗ ସମ୍ମୁଖରେ ଭିଡ଼
ବହୁତଳ ପାର୍କିଂ କାମ ଜାରି, ପୂର୍ତ୍ତ ବିଭାଗକୁ ପ୍ରସ୍ତାବ
ବାଇକ୍ ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନ ଥିଲେ ମଧ୍ୟ ସେଠାରେ ଦିନର ଅଧିକାଂଶ ସମୟ ଗାଡ଼ି ଭର୍ତ୍ତି ହୋଇଯାଉଛି। ଏହାପରେ ଆସୁଥିବା ଲୋକେ ବାଧ୍ୟ ହୋଇ ଏଣେତେଣେ ଗାଡ଼ି ରଖୁଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବେଆଇନ୍ ପାର୍କିଂ ଯୋଗୁଁ ଆମ୍ବୁଲାନ୍ସ ଚଳାଚଳରେ ବାଧା ସୃଷ୍ଟି ହେଉଛି। ହସ୍ପିଟାଲ ପରିସରରେ ରୋଗୀ, ସମ୍ପର୍କୀୟ ସେମାନଙ୍କ ଗାଡ଼ି ରଖିଦେଉଥିବାରୁ ଆମ୍ବୁଲାନ୍ସ ଯିବାଆସିବା ପାଇଁ ଆବଶ୍ୟକ ସ୍ଥାନ ମିଳୁନାହିଁ। ଜରୁରୀ ସମୟରେ ରୋଗୀଙ୍କୁ ଶୀଘ୍ର ହସ୍ପିଟାଲ ଭିତରକୁ ନେବା କିମ୍ବା ବାହାରକୁ ଆଣିବାରେ ଏହା ସମସ୍ୟା ସୃଷ୍ଟି କରୁଛି। ଟ୍ରମା କେୟାର୍ ପାଇଁ ଜରୁରିକାଳୀନ ବିଭାଗ ସମ୍ମୁଖରେ ଥିବା ରାସ୍ତାର ଅଧା ବନ୍ଦ ହୋଇଯାଇଛି। ଫଳରେ ଜରୁରିକାଳୀନ ବିଭାଗ ସମ୍ମୁଖରେ ସବୁବେଳେ ଭିଡ଼ ଲାଗି ରହୁଛି।
ଏହାସହିତ ମନଇଚ୍ଛା ଗାଡ଼ି ପାର୍କିଂକୁ ସୁରକ୍ଷାକର୍ମୀମାନେ ବିରୋଧ କରୁଥିବାରୁ ଏହାକୁ ନେଇ ବିଭିନ୍ନ ସମୟରେ ସୁରକ୍ଷାକର୍ମୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ କଥା କଟାକଟି ହେଉଛି। ତେବେ ପାର୍କିଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କ୍ୟାପିଟାଲ ହସ୍ପିଟାଲ ପରିସରରେ ବହୁତଳ ପାର୍କିଂ ନିର୍ମାଣ କାମ ଚାଲିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ଏହା ବ୍ୟତୀତ ତୁରନ୍ତ ପାର୍କିଂ ସମସ୍ୟା ଦୂର କରିବା ଉଦ୍ଦେଶ୍ୟରେ ହସ୍ପିଟାଲ ପକ୍ଷରୁ ପୂର୍ତ୍ତ ବିଭାଗକୁ ଅନାବଶ୍ୟକ ଅବରୋଧ ହଟାଇ ସମ୍ପ୍ରସାରିତ ପାର୍କିଂ ବ୍ୟବସ୍ଥା କରିବାକୁ ଏକ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବଟି କାର୍ଯ୍ୟକାରୀ ହେଲେ ହସ୍ପିଟାଲର ପାର୍କିଂ ସମସ୍ୟା ବହୁ ପରିମାଣରେ ସମାଧାନ ହୋଇପାରିବ ବୋଲି କର୍ତ୍ତୃପକ୍ଷ ଆଶା ପ୍ରକାଶ କରିଛନ୍ତି।

3 weeks ago
4


