ARTICLE AD BOX
ଜୀବନଯାପନ ପାଇଁ ଯାବତୀୟ ପରାମର୍ଶ ନିମନ୍ତେ ସମ୍ପ୍ରତି ଲୋକେ ଏଆଇ ଚାଟ୍ବଟ୍ ଉପରେ ନିର୍ଭର କରୁଛନ୍ତି। ଡାକ୍ତରଙ୍କ ପାଖକୁ ଯିବା ଆଗରୁ କିଛି ଲୋକ ଚାଟ୍ଜିପିଟିରୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ବି ଚାହୁଛନ୍ତି। କିନ୍ତୁ, ଚାଟ୍ଜିପିଟି ଭୁଲ୍ ଡାକ୍ତରୀ ପରାମର୍ଶ ଦେଉଥିବା କଥା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ କରିଥିବା ଗବେଷଣାରୁ ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: ଜ୍ୱରରେ କମିପାରେ ପିଲାଙ୍କ ବିପି, ଜାଣନ୍ତୁ ତୁରନ୍ତ ବଞ୍ଚିବାର ଜରୁରୀ ଉପାୟ
‘ନେଚର୍ ମେଡିସିନ୍’ ଜର୍ଣ୍ଣାଲ୍ରେ ପ୍ରକାଶିତ ଉକ୍ତ ଗବେଷଣା-ପ୍ରସୂତ ଆଲେଖ୍ୟରେ ଚାଟ୍ଜିପିଟି ସ୍ବାସ୍ଥ୍ୟ ପରାମର୍ଶ ପ୍ରସଙ୍ଗ ବର୍ଣ୍ଣନା କରାଯାଇଛି। ଉକ୍ତ ଗବେଷଣା ନିମନ୍ତେ ଗବେଷକମାନେ ଅନ୍ଲାଇନ୍ ମାଧ୍ୟମରେ ପ୍ରାୟ ୧୩୦୦ ଅଂଶଗ୍ରହଣକାରୀ ଯୋଗାଡ଼ କରିଥିଲେ। ତା’ପରେ ସେମାନେ ଅଂଶଗ୍ରହଣକାରୀଙ୍କୁ ଦୁଇଭାଗରେ ବିଭକ୍ତ କରିଥିଲେ। ଗବେଷକମାନେ ସ୍ଥିର କରିଥିବା ୧୦ଟି ସ୍ବାସ୍ଥ୍ୟ ସମସ୍ୟାରୁ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଯେକୌଣସି ଗୋଟିଏ ପ୍ରସଙ୍ଗ ପଚରାଯାଇଥିଲା। ଦୃଷ୍ଟାନ୍ତ ସ୍ବରୂପ- ବନ୍ଧୁମାନଙ୍କ ଗହଣରେ ବାହାରେ ରାତ୍ରିଯାପନ କରିବା ପରେ ଭୀଷଣ ମୁଣ୍ଡବିନ୍ଧା ଅଥବା ନୂଆ କରି ମାଆ ହୋଇଥିବା ନାରୀଙ୍କୁ ସବୁବେଳେ ଅଣନିିଃଶ୍ବାସୀ ଓ କ୍ଳାନ୍ତ ଲାଗିବା ଇତ୍ୟାଦି... ଇତ୍ୟାଦି...।
ଏ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ନିଦାନ କରିବା ଏବଂ ଏହାର ଉପଯୁକ୍ତ ପ୍ରତିକାର ସ୍ଥିର କରିବା ଲାଗି ଅଂଶଗ୍ରହଣକାରୀଙ୍କୁ କୁହାଯାଇଥିଲା। ଏଥିପାଇଁ ଗୋଟିଏ ଅଂଶଗ୍ରହଣକାରୀ ଦଳ ଏଆଇ ସହାୟତା ନେଇଥିଲେ। ଆର ଦଳଙ୍କୁ ଇଣ୍ଟର୍ନେଟ୍ ସର୍ଚ ଭଳି ଯେକୌଣସି ଉପାୟ ଅବଲମ୍ବନ କରିବା ଲାଗି ଅନୁମତି ଦିଆଯାଇଥିଲା।
ସେମାନଙ୍କଠାରୁ ସଂଗୃହୀତ ଅନୁଭୂତି ସମୀକ୍ଷାକରି ଗବେଷକମାନେ ଜାଣିଲେ ଯେ ଅନ୍ଲାଇନ୍ ସର୍ଚ ଅଥବା ନିଜସ୍ବ ଅଭିଜ୍ଞତା ବଳରେ ଯେଉଁ ଦଳର ଅଂଶଗ୍ରହଣକାରୀମାନେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ନିଷ୍ପତ୍ତି ନେଇଛନ୍ତି ତାହା ଚାଟ୍ବଟ୍ ପରାମର୍ଶ ଗ୍ରହଣକାରୀ ଦଳ ଅପେକ୍ଷା ବେଶ୍ ଭଲ। ଗବେଷକମାନେ ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି ଯେ ପ୍ରଶ୍ନ କରିବାରେ ସାମାନ୍ୟତମ ଭିନ୍ନତା ରହିଲେ ଏଆଇ ସମାନ ରୋଗ ପାଇଁ ପୃଥକ୍ ପରାମର୍ଶ ଦେଉଛି। ପୁନଶ୍ଚ, ପରାମର୍ଶ ସବୁ ଭଲ ଓ ମନ୍ଦ ମିଶ୍ରିତ ହୋଇଥିବାରୁ ସେଗୁଡ଼ିକୁ ପୃଥକ୍ କରିବା ବି ଦୁଷ୍କର ହୋଇଯାଉଛି। ଏହାଛଡ଼ା, ସଠିକ୍ ପରାମର୍ଶ ନିମନ୍ତେ ଚାଟ୍ବଟ୍ କେଉଁ ସବୁ ସୂଚନା ଆବଶ୍ୟକ କରେ ତାହା ମଧ୍ୟ ଅଂଶଗ୍ରହଣକାରୀମାନେ ଜାଣିପାରନ୍ତି ନାହିଁ। କିନ୍ତୁ, ଜଣେ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଆନ୍ତି, ଡାକ୍ତର ସୂଚନା ସଂଗ୍ରହ କରିବା ଲାଗି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥାଆନ୍ତି। କାରଣ, ରୋଗ ନିର୍ଦ୍ଧାରଣ କରିବା ପାଇଁ କେଉଁ ଉପସର୍ଗ ସବୁ ଗୁରୁତ୍ବପୂର୍ଣ୍ଣ ସେ କଥା ରୋଗୀ ହୁଏ ତ ନ ଜାଣିଥାଇ ପାରନ୍ତି। ସୁତରାଂ, ଉପରୋକ୍ତ ଗବେଷଣା ସ୍ପଷ୍ଟ ସୂଚାଇ ଦେଉଛି ଯେ ଏଆଇ କଦାପି ବିଶ୍ବସ୍ତ ସ୍ବାସ୍ଥ୍ୟ ପରାମର୍ଶଦାତା ହୋଇ ପାରିବ ନାହିଁ।
ଆହୁରି ପଢ଼ନ୍ତୁ: ଜିମ୍ରେ ବ୍ୟାୟାମ ବେଳେ ଡାକ୍ତରଙ୍କ ମୃତ୍ୟୁ

1 hour ago
1


