ARTICLE AD BOX
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ନିକଟରେ ଗୁଳିମାଡ଼ରେ ଏକ ୧୯ ମାସର ଚିତାର ମୃତ୍ୟୁ ଘଟଣାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଛନ୍ତି। ଘଟଣାର ତଦନ୍ତ ପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ ଦଳ ପଠାଇଛି। ଗତ ସାତ ଦଶନ୍ଧି ମଧ୍ୟରେ ଭାରତରେ ଚିତା ଶିକାର ହୋଇଥିବାର ଏହା ପ୍ରଥମ ସନ୍ଦିଗ୍ଧ ଘଟଣା। ଶେଷଥର ପାଇଁ ୧୯୪୭ରେ ମହାରାଜା ରାମାନୁଜ ପ୍ରତାପ ସିଂହଦେଓଙ୍କ ଦ୍ବାରା ୩ଟି ଚିତା ଶିକାର କରାଯାଇଥିଲା, ଯାହା ପରେ ୧୯୫୦ରେ ଭାରତରୁ ଚିତାବଂଶ ଲୋପ ପାଇଥିବା ଘୋଷଣା କରାଯାଇଥିଲା।
ମୃତ ଚିତାର ନାମ କେଏନ୍ଜି୨୨। ଏହା ନିର୍ଭା ନାମକ ମାଈ ଚିତାର ସନ୍ତାନ। ଅକ୍ଟୋବର ୨୫ ତାରିଖରେ ମଧ୍ୟପ୍ରଦେଶର ମୋରେନା ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ଏହା ଆହତ ଅବସ୍ଥାରେ ଠାବ ହୋଇଥିଲା। ଏହି ଅଞ୍ଚଳ କୁନୋ ଜାତୀୟ ଉଦ୍ୟାନର ସୁରକ୍ଷିତ ସୀମା ବାହାରେ ରହିଛି। ଚିତାଟିକୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା କରାଯାଇଥିଲା। ପରେ ଉନ୍ନତ ଚିକିତ୍ସା ପାଇଁ ଜବଲପୁରର ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଅସ୍ତ୍ରୋପଚାର ବେଳେ ତା’ ଶରୀରରୁ ପାଞ୍ଚଟି ପେଲେଟ୍ ବାହାର କରାଯାଇଥିଲା। ତେବେ ଚିକିତ୍ସା ସତ୍ତ୍ୱେ ଅକ୍ଟୋବର ୨୭ ତାରିଖରେ ତା’ର ମୃତ୍ୟୁ ହୋଇଥିଲା।
Leopard Attack ଗୁରୁଣ୍ଡିଆରେ ଚିତାବାଘ ଆତଙ୍କ, ଗାଁରେ ପଶି ଗାଈକୁ ଶିକାର କଲା
ତଦନ୍ତ ପାଇଁ ଗଠିତ କେନ୍ଦ୍ରୀୟ ଦଳରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ)ର ଜଣେ ଇନ୍ସପେକ୍ଟର ଜେନେରାଲ୍ ଅଫ୍ ଫରେଷ୍ଟ୍ସ ଏବଂ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (ଡବ୍ଲ୍ୟୁସିସିବି)ର ଦୁଇଜଣ ବରିଷ୍ଠ ଅଧିକାରୀ ରହିଛନ୍ତି। ଏହି ଦଳ ମଧ୍ୟପ୍ରଦେଶ ବନ ବିଭାଗ ସହ ମିଶି ଘଟଣାର ସମସ୍ତ ଦିଗ ଯାଞ୍ଚ କରିବ। ଚିତାର ମୃତ୍ୟୁ ପଛର କାରଣ, ଉପଲବ୍ଧ ପ୍ରମାଣ ଏବଂ ପ୍ରକଳ୍ପ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତା ଯାଞ୍ଚ କରି ମନ୍ତ୍ରଣାଳୟକୁ ରିପୋର୍ଟ ଦେବ ଦଳ।
ରାଜ୍ୟ ସରକାର ମଧ୍ୟ ବନ ଓ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ଏହି ଘଟଣାରେ ବନ୍ୟପ୍ରାଣୀ କର୍ମୀ ଅଜୟ ଦୁବେ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ କରି ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି। ରେଡିଓ କଲାର୍ ଲାଗିଥିବା ଚିତାର ସୁରକ୍ଷାରେ ବନ ବିଭାଗ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ଚିତାଟିକୁ ଶିକାର କରାଯାଇଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

37 minutes ago
2


