Childhood: ସତ କହୁଛି: ଆମ ପିଲାଦିନର କଥା

2 days ago 5
ARTICLE AD BOX

ଶ୍ୟାମସୁନ୍ଦର ଅଗ୍ରୱାଲା

ଆମେ ଯେତେବେଳେ ଛୋଟ ଛୋଟ ପିଲା ଥିଲୁ ସେତେବେଳେ ଆମ ଭିତରୁ କିଏ ଯଦି କିଛି ଏପଟ ସେପଟ କାମ କରି ଖସିଯିବାକୁ ଚେଷ୍ଟା କରୁଥିଲା ତେବେ ଆମେ ତାକୁ ଚିଡ଼େଇକି କହୁଥିଲୁ, “ତୁ କିଏ କି? ତୁ କ’ଣ ଗଭର୍ଣ୍ଣର?” ଅର୍ଥାତ୍‌ ଆମେ ପିଲାଦିନେ ଭାବୁଥିଲୁ ଯେ କେବଳ ଗଭର୍ଣ୍ଣରମାନେ ହିଁ ନିଜ ନିଜ ଇଚ୍ଛା ଅନୁଯାୟୀ ସବୁ ଏପଟ ସେପଟ କାମ କରି ଖସିଯାଇପାରିବେ ଆଉ ଆମେ ଚାହିକି ବି ତାଙ୍କର କୌଣସି ପ୍ରତିରୋଧ କରିପାରିବୁ ନାହିଁ। 
ଆଜି ବଡ଼ ହେଲା ପରେ ଦେଖୁଛୁ ଯେ ଆମ ପିଲାଦିନର କଥା ସବୁ ଗୋଟିକ ପରେ ଗୋଟିଏ ସତ ହେବାକୁ  ଯାଉଛି। ଆମ ଗଭର୍ଣ୍ଣରମାନଙ୍କର ପୁଅମାନେ ତଳିଆ କର୍ମଚାରୀମାନଙ୍କୁ ଜାବୁଡ଼ା ମାରିପାରୁଛନ୍ତି ଆଉ ବିନା ଦଣ୍ଡରେ ଖସି ବି ଯାଇପାରୁଛନ୍ତି। ଆମ ଗଭର୍ଣ୍ଣରମାନେ ତାଙ୍କର ଶହ ଶହ ବନ୍ଧୁବାନ୍ଧବଙ୍କୁ ଆଣି ଶପଥ ଗ୍ରହଣ ଉତ୍ସବ ଦେଖେଇ ପାରୁଛନ୍ତି ଆଉ ତାଙ୍କର ଆସିବା, ଯିବା ଓ ରହିବା ଖାଇବା କଥା ଆମକୁ ହିଁ ବୁଝିବାକୁ ପଡୁଛି। ଆମ ଗଭର୍ଣ୍ଣରମାନଙ୍କୁ ସ୍ୱାଗତ କରିବା ପାଇଁ ବଡ଼ ବଡ଼ ହୋର୍ଡି଼ଂ ସବୁ ଲଗାଯାଉଛି ଏବଂ ଏହାର ଖର୍ଚ୍ଚ ଆମ ରାଜକୋଷକୁ ବହନ କରିବାକୁ ପଡୁଛି। ଆମ ଗଭର୍ଣ୍ଣରମାନେ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହିବେ ବୋଲି କହିପାରୁଛନ୍ତି ଏବଂ ଦଳର ଉତ୍ତରୋତ୍ତର ଉନ୍ନତି କରିବାକୁ ଖୋଲାଖୋଲି ଭାବେ ପ୍ରତିଶ୍ରୁତି ମଧ୍ୟ ଦେଇପାରୁଛନ୍ତି। ଏହାର କାରଣ ହେଉଛି ସେମାନେ ହେଲେ ଗଭର୍ଣ୍ଣର ଆଉ ଆମ ପିଲାଦିନର କଥା ସବୁ ସତ ଯେ ସେମାନେ ଯାହା ଇଚ୍ଛା କହିପାରୁଛନ୍ତି ଓ କରିପାରୁଛନ୍ତି। 
ଆମେ ପିଲାଦିନେ ଏମିତି ଭାବିବାର କାରଣ ହେଲା ଯେ ଆମେ ଆମ ବାପାମାନଙ୍କଠାରୁ ବ୍ରିଟିସ ରାଜର ଅନେକ ଗଭର୍ଣ୍ଣରମାନଙ୍କର ଦୌରାତ୍ମ୍ୟ ବିଷୟରେ ଶୁଣିବାକୁ ପାଉଥିଲୁ। ଏମାନେ ସବୁ ରାଜ୍ୟମାନଙ୍କରେ ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ। ବ୍ରିଟିସ ସରକାରଙ୍କର ସ୍ୱାର୍ଥ ରକ୍ଷା କରିବାକୁ ଯାଇ ଏମାନେ ଯାହାକୁ ଇଚ୍ଛା ତାହାକୁ ଗିରଫ କରି ଜେଲରେ ଭର୍ତ୍ତି କରିଦେଉଥିଲେ ଏବଂ ଏମାନଙ୍କୁ ପ୍ରଶ୍ନ କରିବାକୁ କେହି ନ ଥିଲେ। ଭାରତବର୍ଷରେ ଗଭର୍ଣ୍ଣର ଜେନେରାଲ ଏମାନଙ୍କୁ ସିଧାସଳଖ ନିଯୁକ୍ତି ଦେଉଥିଲେ ଏବଂ ଏମାନଙ୍କ ମାଧ୍ୟମରେ ସେ ବିଟ୍ରିସ ସାମ୍ରାଜ୍ୟର ଶାସନ ଚଳାଉଥିଲେ। 
ଦେଶ ସ୍ୱାଧୀନ ହେଲା। ଏହି ପଦବି ନେଇ ସଂବିଧାନ ସଭାରେ ଘମାଘୋଟ ଆଲୋଚନା ହେଲା। ବରିଷ୍ଠ ଶିକ୍ଷାବିତ୍‌ ଓ କଂଗ୍ରେସ ସଦସ୍ୟ ଏସ.ଏନ. ସହାୟ ଏହି ପଦବି ଭବିଷ୍ୟତରେ କିଭଳି କେନ୍ଦ୍ରଶାସିତ ସରକାରଙ୍କ ଦ୍ୱାରା ଅପବ୍ୟବହାରର ଶିକାର ହେବ ତାହା ଦର୍ଶାଇଥିଲେ ଏବଂ ଏହାର ପ୍ରତିକାର ରଖିବାର ବ୍ୟବସ୍ଥା ଉପରେ ଯୁକ୍ତି ବାଢ଼ିଥିଲେ। ପଣ୍ଡିତ ନେହରୁ ଓ ଡକ୍ଟର ଆମ୍ବେଦକର ତାଙ୍କ ସହିତ ଏକମତ ନ ହୋଇ ଏହି ପଦବିରେ କେବଳ ଜ୍ଞାନୀ, ଗୁଣୀ ଓ ବିଦ୍ୱାନ୍‌ ବ୍ୟକ୍ତିମାନେ ଅଧିଷ୍ଠିତ ହେବେ, ଯେଉଁମାନେ ସଂକୀର୍ଣ୍ଣ ରାଜନୀତିରୁ ଊର୍ଦ୍ଧ୍ୱରେ ରହି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏମାନଙ୍କ ପ୍ରତିଶ୍ରୁତି ପରେ କେ.ଏମ. ମୁନସୀ ଓ କୃଷ୍ଣମାଚାରୀ ମହାଶୟ ଏହାକୁ ସମର୍ଥନ କରି ଏହି ବିଷୟର ଆଲୋଚନାକୁ ସମାପ୍ତ କରିବାକୁ ଘୋଷଣା କରିଥିଲେ। 
ବିଡ଼ମ୍ବନାର ବିଷୟ ଯେ ଊଣେଇଶ ଶହ ଅଣଷଠି ମସିହାରେ ସର୍ବପ୍ରଥମେ ଏହି ପଦବିକୁ ପଣ୍ଡିତ ନେହରୁ ଅପବ୍ୟବହାର କରି ସେତେବେଳର କେରଳ ରାଜ୍ୟର ନିର୍ବାଚିତ କମ୍ୟୁନିଷ୍ଟ ସରକାରଙ୍କୁ ବରଖାସ୍ତ କରିଦେଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଏହା ପ୍ରାୟ ଚାଳିଶରୁ ପଚାଶ ଥର ଅପବ୍ୟବହୃତ ହୋଇ ରାଜ୍ୟର ନିର୍ବାଚିତ ସରକାରମାନଙ୍କୁ ବରଖାସ୍ତ କରିବାକୁ ଅଭିଯୋଗ ଆସିଥିଲା। ତେଣିକି ଏହି ପଦବି ଯେତିକି ବ୍ୟବହୃତ ହେଲା ତା’ଠାରୁ ଯଥେଷ୍ଟ ଅଧିକ ଅପବ୍ୟବହୃତ ହେବାରେ ଲାଗିଲା। ଆଜି ଏହି ପଦବିରେ ଅଧିଷ୍ଠିତ ବ୍ୟକ୍ତିମାନଙ୍କୁ ଦେଖିଲେ ପଣ୍ଡିତ ଜବାହରଲାଲ ନେହରୁ ଓ ଡକ୍ଟର ଆମ୍ବେଦକରଙ୍କ ପ୍ରତିଶ୍ରୁତି ସବୁ ମନେ ପଡ଼ି ଦୁଃଖ ଲାଗୁଛି। 
ବନ୍ଧୁଗଣ, ଗଭର୍ଣ୍ଣର ଏକ ସାଂବିଧାନିକ ପଦ, ଯିଏ କି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସେତୁବନ୍ଧ ଭାବେ କାର୍ଯ୍ୟ କରିଥାନ୍ତି। ସେ ରାଜ୍ୟର ଏକ ନମ୍ବର ନାଗରିକ, ଯାହାଙ୍କ ନାମରେ କୌଣସି ଫୌଜଦାରୀ ମକଦ୍ଦମା ଦାୟର କରାଯାଇପାରିବ ନାହିଁ କି ତାଙ୍କୁ ଗିରଫ କିମ୍ବା ବନ୍ଦୀ କରାଯାଇପାରିବ ନାହିଁ। ଏ ସବୁ ସତ୍ତ୍ୱେ ସେ ନାମକୁ ମାତ୍ର ମୁଖ୍ୟ ଅଟନ୍ତି ଯିଏ ସଂବିଧାନର ମର୍ଯ୍ୟାଦା ରକ୍ଷା କରିଥାନ୍ତି ଏବଂ ନିଜ ଇଚ୍ଛା ଅନୁସାରେ କୌଣସି କାର୍ଯ୍ୟ କରି ନଥାନ୍ତି। ଦୁଃଖ ଲାଗେ ଯେ ଆଜିକାଲି ଗଭର୍ଣ୍ଣରମାନେ ସଂବିଧାନକୁ ହତାଦର କରି ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଛନ୍ତି ଆଉ ପ୍ରଶ୍ନ କଲେ କୌଣସି ଉତ୍ତର ମଧ୍ୟ ଦେଉନାହାନ୍ତି। ସଂବିଧାନ ବିଶେଷଜ୍ଞମାନେ ମଧ୍ୟ ଏହା ତାଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ସୁପ୍ରିମ କୋର୍ଟରେ ସେମାନଙ୍କ ସପକ୍ଷରେ ଯୁକ୍ତି ରଖୁଛନ୍ତି।
ଏହା ଉପରେ କାହାଣୀଟିଏ କହୁଛି। ଥରେ ଜଙ୍ଗଲର ସଂବିଧାନକୁ ନେଇ ଦୁଇଜଣ ବିଦ୍ୱାନ୍‌ ଯୁକ୍ତିତର୍କ କରୁଥିଲେ। ଜଣେ କହୁଥିଲେ, “ସଂବିଧାନ ଅନୁଯାୟୀ ସିଂହୀ ଛୁଆ ଦେଇଥାଏ।” ଏହାକୁ ଗ୍ରହଣ ନ କରି ଅନ୍ୟ ଜଣେ କହୁଥିଲେ, “ନାହିଁ, ସଂବିଧାନ ଅନୁଯାୟୀ ସିଂହୀ ଅଣ୍ଡା ଦେଇଥାଏ।” ଏହି ସମୟରେ ଜଣେ ସଂବିଧାନ ବିଶେଷଜ୍ଞ ସେଇ ବାଟ ଦେଇ ଯାଉଥିଲେ। ବିଦ୍ୱାନ୍‌ ଦୁଇଜଣ ତାଙ୍କ ମତ ଜାଣିବାକୁ ଚାହିଲେ। ବିଶେଷଜ୍ଞ କହିଲେ, “ସିଂହୀ ହେଉଛି ଜଙ୍ଗଲର ଗଭର୍ଣ୍ଣର। ଛୁଆ ଦେବ କି ଅଣ୍ଡା ଦେବ ତା’ର ଇଚ୍ଛାଧୀନ ବ୍ୟାପାର। ତା’ର ଇଚ୍ଛା ହେଲେ ଛୁଆ ଦେବ, ଇଚ୍ଛା ହେଲେ ଅଣ୍ଡା ଦେବ। ତୁମେ ଦୁଇଜଣ ତାକୁ ପ୍ରଶ୍ନ କରିବାକୁ କିଏ?”
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭

Read Entire Article
LEFT SIDEBAR AD

Hidden in mobile, Best for skyscrapers.