ARTICLE AD BOX
ନୂଆଦିଲ୍ଲୀ: ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଆନ୍ଧ୍ରପ୍ରଦେଶର ବ୍ୟାପକ କ୍ଷୟକ୍ଷତି ଓ ଓଡ଼ିଶାରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛି କଂଗ୍ରେସ। ଏହି ବିପର୍ଯ୍ୟୟରେ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ଆଗେଇ ଆସିବାକୁ ଦଳ ଦାବି କରିଛି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସାମାଜିକ ଗଣମାଧ୍ୟମ ’ଏକ୍ସ’ରେ ନିଜର ମତ ରଖି କହିଛନ୍ତି, ଆନ୍ଧ୍ରପ୍ରଦେଶରେ ଜୀବନ ହରାଇଥିବା ଲୋକଙ୍କ ପରିବାର ପ୍ରତି ତାଙ୍କର ଗଭୀର ସମବେଦନା ରହିଛି। ଓଡ଼ିଶାରେ ବାତ୍ୟା ଓ ବନ୍ୟା ଯୋଗୁଁ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତେଣୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ଉଦ୍ଧାର, ସହାୟତା ଓ ଥଇଥାନ କାର୍ଯ୍ୟକୁ ସମନ୍ୱିତ ଭାବେ ଆଗେଇ ନେବା ଆବଶ୍ୟକ। ପିଏମ୍ କେୟାର୍ସ ପାଣ୍ଠିରୁ ପ୍ରଭାବିତ ପରିବାରଙ୍କୁ ଶୀଘ୍ର ସହାୟତା ଦେବାକୁ ସେ କହିଛନ୍ତି।
ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ସହାୟତା
କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ପ୍ରଭାବିତ ଲୋକଙ୍କ ପାଖରେ ଠିଆ ହେବାକୁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ତୁରନ୍ତ ସହାୟତା ଓ ଥଇଥାନ ପାଇଁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ବାତ୍ୟା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୪,୬୦୦ କୋଟି ଟଙ୍କାର କ୍ଷତି ହୋଇଛି। ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।

56 minutes ago
1


