ARTICLE AD BOX
ଚେନ୍ନାଇ: ଦକ୍ଷିଣ ଭାରତର ଉପକୂଳ ଅଞ୍ଚଳରେ ବାତ୍ୟା ‘ଅର୍ଣ୍ଣବ’ ଉଗ୍ରରୂପ ଧାରଣ କରିଛି। ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ ବାତ୍ୟା ଦ୍ରୁତଗତିରେ ଆଗକୁ ମାଡ଼ିଚାଲିଛି। ବାତ୍ୟା ଯୋଗୁଁ ଆନ୍ଧ୍ରର ପଡ଼ୋଶୀ ତାମିଲନାଡୁରେ ମଧ୍ୟ ସମୁଦ୍ର ଅସ୍ଥିତ ଦେଖାଯାଉଛି। ବଡ଼ବଡ଼ ଲହଡ଼ି ଆସୁଚି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ଅକ୍ଟୋବର ୨୮ ତାରି ରାତି ୨ଟାରୁ ସକାଳ ୪ଟା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବିଗତ ୬ ଘଣ୍ଟା ହେଲା ବାତ୍ୟା ଘଣ୍ଟାପିଛା ୧୮କିମି ବେଗରେ ଅଗ୍ରସର ହେଉଛି। ବାତ୍ୟାର କେନ୍ଦ୍ରସ୍ଥଳ ବିଶାଖାପାଟଣା ଠାରୁ ୧୭୦କିମି, କାକିନାଡାରୁ ୯୦କିମି, ମଛଲିପାଟନମରୁ ୧୭୦କିମି ଏବଂ ବାପଟଲାଠାରୁ ୨୪୦କମି ଦୂରରେ ରହିଛି। ବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର କିଛି ଜିଲ୍ଲା ଉପରେ ପଡ଼ିବ। ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ବାତ୍ୟା ଯେଉଁ ସମୟରେ ସ୍ଥଳଭାଗ ଛୁଇଁବ, ସେହି ସମୟରେ ପବନର ଘଣ୍ଟା ପିଛା ବେଗ ୧୨୫ରୁ ୧୩୫କିମି ରହିବ। ଝଟକା ପବନ ୧୫୦ କିମି ପର୍ଯ୍ୟନ୍ତ ପହଞ୍ଚି ପାରେ। ବାତ୍ୟା କାରଣରୁ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଉପକୂଳ ଅଞ୍ଚଳ ସମେତ ଆଭ୍ୟନ୍ତରୀଣ କ୍ଷେତ୍ରରେ ପ୍ରବଳ ବର୍ଷା ହୋଇପାରେ। ପବନ ସହିତ ସମୁଦ୍ରରେ ଉଚ୍ଚ ଢେଉ ଆସିପାରେ।
Cyclone Arnab Impact: ବାତ୍ୟା ଅର୍ଣ୍ଣବ ପ୍ରଭାବରୁ ବର୍ଷା, ଅସ୍ତରଙ୍ଗରେ କାନ୍ଥ ପଡ଼ି ମହିଳାଙ୍କ ମୃତ୍ୟୁ
ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ସମ୍ଭାବିତ ପ୍ରଭାବିତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। କେବଳ ଆନ୍ଧ୍ରପ୍ରଦେଶରେ ୫୦ ହଜାର ଲୋକ ସ୍ଥାନାନ୍ତରିତ ହୋଇଛନ୍ତି। ରାଜ୍ୟରୁ ୪ ଲକ୍ଷ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହେବେ। ଏହାରି ମଧ୍ୟରେ ଓଡ଼ିଶାର ଅନେକ ଜିଲ୍ଳାରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି, ଯେଉଁଥିରେ ମାଲକାନଗିରି, ନବରଂଗପୁର, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କଟକ ଏବଂ ଖୋର୍ଦ୍ଧା ସାମିଲ ଅଛି। ସେହିପରି ୪ଟି ରାଜ୍ୟରେ ୬୦ରୁ ଅଧିକ ଟ୍ରେନ୍ ବାତିଲ କରିଦିଆଯାଇଛି। ଏବେ ପ୍ରଶାସନ ଅକ୍ଟୋବର ୨୮ ତାରିଖ ଉପରେ ନଜର ରଖିଛି, ଯେଉଁ ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ।

52 minutes ago
4


