ARTICLE AD BOX
ରଣପୁର (ବିଶ୍ଵରଞ୍ଜନ ଆଚାର୍ଯ୍ୟ): ରାଜ୍ୟରେ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତଙ୍କ ସଂଖ୍ୟା ହୁହୁ ହୋଇ ବଢୁଥିବା ବେଳେ ସରକାର କର୍ମ ସଂସ୍ଥାନ ଯୋଗାଇ ପାରୁନଥିବାରୁ ବାଧ୍ୟ ହୋଇ ଯୁବକଯୁବତୀମାନେ ପେଟ ପୋଷିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି। ସରକାର ଶ୍ରମିକମାନଙ୍କ ପାଇଁ ଉଦିଷ୍ଟ ମନରେଗା ଯୋଜନା ନାମ ବଦଳାଇ ବିକଶିତ ଭାରତ ରୋଜଗାର ଓ ଜୀବିକା ମିସନ ଗ୍ରାମୀଣ ଗ୍ୟାରେଣ୍ଟି (ଭିଭିଜୀରାମଜୀ) କରି ବାହାବା ନେଉଛନ୍ତି। କିନ୍ତୁ ଦାଦନ ଖଟିବା ପାଇଁ ଶ୍ରମିକ ବାହାର ରାଜ୍ୟକୁ ଯାଇ ମୃତ୍ୟୁବରଣ କରିବା ଘଟଣା ପ୍ରବାସୀ ଶ୍ରମିକଙ୍କ ମୃତ ଶରୀର ଗାଁକୁ ଫେରିବା ପାଇଁ ଅର୍ଥ ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ଘଟଣା ଓଡ଼ିଆଙ୍କ ବିକାଶକୁ କୁଠାରାଘାତ କରୁଛି। ଏଭଳି ସମ୍ବେଦନଶୀଳ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁରରେ।
ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୦ ନମ୍ବର ୱାର୍ଡ ଗୋଡ଼ିପାଟଣା ସାହିର ପ୍ରଫୁଲ କୁମାର ସେଠୀଙ୍କ ପୁଅ ଅନିଲ ସେଠୀ (୨୬) ଖୋର୍ଦ୍ଧା ଜିଲ୍ଲା ବାଣପୁର ଆୟତିପୁରର ଠିକାଦାର ସୁଜିତ କୁମାର ସେଠୀଙ୍କ ଅଧୀନରେ ଚେନ୍ନାଇ ନିକଟ ଚେଙ୍ଗଲପାଟୁ ଜିଲ୍ଲା ମାମଲ୍ଲପୁରାମ ଥାନା ଅଞ୍ଚଳକୁ ଯାଇଥିଲେ। ପ୍ରଫୁଲ୍ଲଙ୍କ ଅଭିଯୋଗ ଅନୁଯାଇ ଅନିଲ ଅକ୍ଟୋବର ୧୮ ତାରିଖ ରାତି ୧୦ଟା ସମୟରେ ନିଜ ଭଉଣୀ ସୁନିତା ସେଠୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ସବୁ ଠିକ ଠାକ ଥିବା ବେଳେ ଅକ୍ଟୋବର ୧୯ ତାରିଖ ସକାଳ ୭ଟା ସମୟରେ ଫୋନ୍ ଯୋଗେ ଅନିଲଙ୍କ ମୃତ୍ୟୁ ଖବର ମିଳିବା ପରେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି।
ପ୍ରଫୁଲଙ୍କ ଅଭିଯୋଗ ପୁଅକୁ ଠିକାଦାର ୧୦ ମାସ ହେଲା ପାରିଶ୍ରମିକ ଦେଇନଥିଲା। ଅପରାଧୀଙ୍କ ହାତରେ ପୁଅକୁ ହତ୍ୟା କରାଯାଇଛି। ପୁଅର ଶବ ଗାଁକୁ ଆଣିବା ପାଇଁ ଚେନ୍ନାଇ ଯାଇ ସମ୍ପୃକ୍ତ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ଅର୍ଥର ଅଭାବ ରହିଛି। ତେଣୁ ଇ-ମେଲ ଜରିଆରେ ସମ୍ପୃକ୍ତ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀ ଓ ରଣପୁର ଥାନା ନିରୀକ୍ଷକଙ୍କୁ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ମୃତଦେହ ସରକାରୀ ସହାୟତାରେ ଆଣିବା ସହ ଠିକାଦାର ଠାରୁ ବକେୟା ମଜୁରୀ ପାଇବା ପାଇଁ ଅଭିଯୋଗ କରିଥିବା ଜଣାପଡ଼ିଛି। ନୟାଗଡ ଜିଲ୍ଲାପାଳ ମଧୁମିତା ରଥ କୁହନ୍ତି ଫୋନ ପାଇ ମୃତକର ସମ୍ପୂର୍ଣ୍ଣ ତଥ୍ୟ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ମଗାଯାଇଛି। ତଥ୍ୟ ଆସିଲା ପରେ ସହାୟତା ପାଇଁ ପଦକ୍ଷେପ ନିଆଯିବ। ଅନିଲ ମୃତ୍ୟୁ ଖବର ଶୁଣି ରଣପୁର ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।

1 week ago
4


