ARTICLE AD BOX
ନୂଆଦିଲ୍ଲୀ: ସାମ୍ନାରେ ଜିଲ୍ଲାପାଳ ଅଛନ୍ତି ... ହାତରେ ନାହିଁ କୌଣସି ଫାଇଲ... ନାହିଁ କୌଣସି ନେତାଙ୍କ ସୁପାରିଶ... କେବଳ ସ୍କୁଲ ଡ୍ରେସ ପିନ୍ଧିଥିବା ଏକ କୁନି ଝିଅ... ଆଉ ତା'ର ଗୋିଟିଏ ଅଭିଯୋଗ...
"ସାର୍, ମୋ ଘର ରାସ୍ତାଟା ତିଆରି କରିଦିଅନ୍ତୁ..." କୁନି ଝିଅର ଏହି ନିଷ୍ପାପ ଗୁହାରି ଏବେ ସୋସିଆଲ ମିଡିଆରେ ଜିତିଛି ଲକ୍ଷ ଲକ୍ଷ ହୃଦୟ। ଆଉ ଜିଲ୍ଲାପାଳଙ୍କ ଉତ୍ତର ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତରପ୍ରଦେଶର ମଉ ଜିଲ୍ଲାରୁ ଆସିଛି ଏହି ହୃଦୟସ୍ପର୍ଶୀ ଘଟଣା। ସ୍କୁଲ ଡ୍ରେସ ପିନ୍ଧିଥିବା ପ୍ରଥମ ଶ୍ରେଣୀର ଛାତ୍ରୀ ସମରା ନାଜ୍ ସିଧାସଳଖ ଜିଲ୍ଲାପାଳ ଆନନ୍ଦ ବର୍ଦ୍ଧନଙ୍କ ଅଫିସରେ ପହଞ୍ଚିଥିଲା। ସେଠାରେ ଜିଲ୍ଲାପାଳଙ୍କୁ ଭେଟି ସେ କହିଥିଲା ଯେ, ଘର ସାମ୍ନାର ରାସ୍ତା ଖରାପ ଥିବାରୁ ପ୍ରତିଦିନ ସ୍କୁଲ ଯିବା ଆସିବା ବେଳେ ସେ ପଡ଼ିଯାଉଛି ।
ଏପରିକି ତା'ର ସ୍କୁଲ ଡ୍ରେସ ମଧ୍ୟ କାଦୁଅରେ ଅପରିଷ୍କାର ହୋଇଯାଉଛି। କୁନି ଝିଅର କଥା ଶୁଣି ଜିଲ୍ଲାପାଳ ମଧ୍ୟ ହସି ହସି ତା' ସହ କଥା ହୋଇଥିଲେ। ସେ ପଚାରିଥିଲେ, "ମାଆ, ତୁମେ ସ୍କୁଲ କେମିତି ଯାଅ?" ଏହାର ଉତ୍ତରରେ ସମରା କହିଥିଲା ଯେ ସେ ପ୍ରତିଦିନ ଅଟୋରେ ସ୍କୁଲ ଯାଏ। ପରେ ସେ କେଉଁ ଶ୍ରେଣୀରେ ପଢୁଛି ବୋଲି ପଚାରିବାରୁ ସମରା ନିର୍ଭୟରେ କହିଥିଲା, "ମୁଁ ପ୍ରଥମ ଶ୍ରେଣୀରେ ପଢୁଛି।" ଝିଅଟିର ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ତୁରନ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ରାସ୍ତା ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସମରାକୁ ଚକୋଲେଟ୍ ଦେଇ ଆଶ୍ୱାସନା ଦେଇଥିଲେ ଯେ, ରାସ୍ତା ଖୁବଶୀଘ୍ର ଠିକ୍ ହୋଇଯିବ।
ସେ ଝିଅଟିକୁ ଭଲ ପାଠ ପଢିବା ଓ ନିୟମିତ ସ୍କୁଲ ଯିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ତେବେ ଘଟଣାର ସବୁଠୁ ମଜାଦାର ମୁହୂର୍ତ୍ତ ସେତେବେଳେ ଆସିଥିଲା, ଯେତେବେଳେ ଜିଲ୍ଲାପାଳ ସମରାକୁ ପଚାରିଥିଲେ ଯେ ସେ ଆଜି ସ୍କୁଲ କାହିଁକି ଯାଇନାହିଁ। ଝିଅଟି କହିଥିଲା ଯେ ବାପା ତାକୁ ଶୀଘ୍ର ନେଇଆସିଛନ୍ତି। ଏହା ଶୁଣି ଜିଲ୍ଲାପାଳ ହସି ହସି କହିଥିଲେ, "ମୁଁ ତୁମ ବାପାଙ୍କୁ ଗାଳି କରିବି। ଏତିକି କଥା ପାଇଁ ତୁମ ସ୍କୁଲ ଛୁଟି କରାଇବା ଉଚିତ୍ ନଥିଲା।"
Flood in Nepal: ନେପାଳରେ ବନ୍ୟା ଆତଙ୍କ: ଦିନ ଗଡ଼ୁଛି, ଚିନ୍ତା ବଢ଼ୁଛି
ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କେହି ଜିଲ୍ଲାପାଳଙ୍କ ସମ୍ବେଦନଶୀଳତାକୁ ସାଲ୍ୟୁଟ୍ କରୁଛନ୍ତି, ତ ଆଉ କେହି ପ୍ରଶ୍ନ ଉଠାଉଛନ୍ତି ଯେ, ମାତ୍ର ୨୫ ମିଟର ରାସ୍ତା ପାଇଁ ଜଣେ ୭ ବର୍ଷର ଝିଅକୁ କଲେକ୍ଟର ଅଫିସ ଯିବାକୁ ପଡ଼ିଲା କାହିଁକି? ତେବେ ଏହି ଘଟଣା ପୁଣି ଥରେ ଦେଖାଇଦେଇଛି ଯେ, ନିଷ୍ପାପ ସ୍ୱରରେ କୁହାଯାଇଥିବା ସତ୍ୟ କଥା କେବେ କେବେ ବଡ଼ ବଡ଼ ଅଫିସର ଦ୍ୱାର ମଧ୍ୟ ଖୋଲିଦେଇଥାଏ।

1 hour ago
2


