ARTICLE AD BOX
ଭୁବନେଶ୍ବର: ସମୟର ବ୍ୟସ୍ତତା ଭିତରେ ଏକାଥରକେ ୨-୩ କପ୍ ଚା’ ତିଆରି କରି ରଖିଦେବା ଏବଂ କିଛି ଘଣ୍ଟା ପରେ ତାହାକୁ ପୁଣି ଗରମ କରି ପିଇବା ଅନେକଙ୍କ ଅଭ୍ୟାସ। ତେବେ ଏଭଳି ରଖାଯାଇଥିବା ଚା’ ସ୍ୱାସ୍ଥ୍ୟ ପାଇଁ କେତେ ସୁରକ୍ଷିତ, ତାହା ନେଇ ସଚେତନ ହେବା ଜରୁରୀ। ଦୀର୍ଘ ସମୟ ଧରି ଚା’କୁ ସାଧାରଣ ତାପମାତ୍ରାରେ ରଖି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ିପାରେ। ବିଶେଷଜ୍ଞଙ୍କ ଅନୁଯାୟୀ, ତିଆରି ହୋଇଥିବା ଚା’କୁ ପ୍ରାୟ ୩ରୁ ୪ ଘଣ୍ଟା ଧରି ରଖିଦେଲେ ସେଥିରେ ଜୀବାଣୁ ବଢ଼ିବାର ଆଶଙ୍କା ରହିଥାଏ। ବିଶେଷକରି ଚା’ ଯଦି ଦୀର୍ଘ ସମୟ ଧରି ଖୋଲାରେ କିମ୍ବା ଉପଯୁକ୍ତ ତାପମାତ୍ରା ବିନା ରହିଥାଏ, ତେବେ ତାହା ଖାଦ୍ୟ ବିଷାକ୍ତ ହେବାର ସ୍ତରକୁ ବଢ଼ାଇପାରେ। ଏହି କାରଣରୁ ବହୁ ସମୟ ଧରି ରଖାଯାଇଥିବା ଚା’ ପିଇବାରୁ ଦୂରେଇ ରହିବା ସ୍ବାସ୍ଥ୍ୟ ପ୍ରତି ଭଲ।
ସତର୍କ କରୁଛନ୍ତି ବିଶେଷଜ୍ଞ
ତେବେ କ୍ଷୀର ଓ ଚିନି ମିଶା ଚା’ରେ ବିପଦ ଅଧିକ ହୋଇପାରେ। କ୍ଷୀରରେ ଥିବା ପୋଷକ ତତ୍ତ୍ୱ ଜୀବାଣୁ ବଢ଼ିବା ପାଇଁ ଅନୁକୂଳ ପରିବେଶ ଯୋଗାଇପାରେ। ତେଣୁ ଦୀର୍ଘ ସମୟ ରଖାଯାଇଥିବା କ୍ଷୀର ଚା’କୁ କେବଳ ପୁଣି ଗରମ କରିଦେଲେ ତାହା ସୁରକ୍ଷିତ ହୋଇଯିବ ବୋଲି ଭାବିବା ଠିକ୍ ନୁହେଁ। ଅଦା, ଚିନି କିମ୍ବା କ୍ଷୀର ମିଶିଥିବା ଚା’ ପ୍ରତି ଅଧିକ ସତର୍କତା ଆବଶ୍ୟକ। ଅନ୍ୟପକ୍ଷରେ, ଗ୍ରୀନ୍ ଟି, ହର୍ବାଲ୍ ଟି କିମ୍ବା ଫ୍ରୁଟ୍ ଟିକୁ ବାରମ୍ବାର ଗରମ କରିବା ମଧ୍ୟ ଭଲ ଅଭ୍ୟାସ ନୁହେଁ। ଅଧିକ ତାପ ଓ ପୁନଃପୁନଃ ଗରମ କରିବା ଦ୍ୱାରା ଚା’ର କିଛି ସ୍ୱାଭାବିକ ଗୁଣ ଓ ସ୍ୱାଦ ପ୍ରଭାବିତ ହୋଇପାରେ। ତେଣୁ ସ୍ୱାସ୍ଥ୍ୟକର ଲାଭ ପାଇବା ଉଦ୍ଦେଶ୍ୟରେ ପିଉଥିବା ଚା’କୁ ତାଜା ଅବସ୍ଥାରେ ପିଇବା ଅଧିକ ଉପଯୁକ୍ତ। ଅନେକ ଲୋକ ଚା’ ନଷ୍ଟ ନକରିବା ପାଇଁ ବଳକା ଚା’କୁ ପୁଣି ଗରମ କରି ପିଇଥାନ୍ତି। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚା’ ଯେତିକି ଦରକାର, ସେତିକି ପରିମାଣରେ ତିଆରି କରି ତାଜା ଅବସ୍ଥାରେ ପିଇବା ସବୁଠାରୁ ଭଲ। ଯଦି ଅଧିକ ଚା’ ତିଆରି ହୋଇଯାଏ, ତେବେ ଯଥାସମ୍ଭବ ଶୀଘ୍ର ବ୍ୟବହାର କରିବା ଉଚିତ। ବିଶେଷକରି ୩-୪ ଘଣ୍ଟା ଧରି ସାଧାରଣ ତାପମାତ୍ରାରେ ରହିଥିବା କ୍ଷୀର ଚା’କୁ ପୁଣି ଗରମ କରି ପିଇବା ପରିବର୍ତ୍ତେ ଫିଙ୍ଗିଦେବା ଅଧିକ ସୁରକ୍ଷିତ ବିକଳ୍ପ।

4 days ago
4


