ARTICLE AD BOX
କାଳିଆପାଣି (ରବି ନାରାୟଣ ପାଣି): ପ୍ରତ୍ୟକ୍ଷ ଖଣି ପ୍ରଭାବିତ କାଳିଆପାଣି ପଞ୍ଚାୟତ ୧ ନମ୍ବର ୱାର୍ଡ ଚିରିଗୁଣିଆ ମାଝିସାହି ବସ୍ତିରେ ପାନୀୟଜଳ ପ୍ରକଳ୍ପ ମାଳମାଳ। ଓଏମ୍ସି ପକ୍ଷରୁ ସୌର ପାନୀୟଜଳ ପ୍ରକଳ୍ପ, ଇମ୍ଫା ପାନୀୟଜଳ ପ୍ରକଳ୍ପ, ମେଗା ପାନୀୟଜଳ ପାଇପ୍ ଲାଇନ ଓ ଟ୍ୟାପ୍, ୱାଟର ଏଟିଏମ୍ ଓ ନଳକୂଅ ବ୍ୟବସ୍ଥା। ହେଲେ ୫୦ ପରିବାର ପିଇବା ପାଣି ମୁନ୍ଦିଏ ପାଇଁ ଡହଳବିକଳ ହେଉଥିବା ଦେଖାଯାଇଛି। ବସ୍ତି ମଝିରେ ସ୍ବର୍ଗତ ମନ୍ସା ମାଝୀଙ୍କ ଘର ପାଖ ସୌର ପାନୀୟଜଳ ପ୍ରକଳ୍ପ ବର୍ଷେ ଧରି ଅଚଳ ପଡ଼ିଛି।
ଇମ୍ଫା ପାନୀୟଜଳ ପ୍ରକଳ୍ପରୁ ଉପର ମୁଣ୍ଡ ବସ୍ତିରେ ପାଣି ମାଡ଼ୁଛି, ତଳ ମୁଣ୍ଡକୁ ପହଞ୍ଚୁ ନାହିଁ। ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପର କାଙ୍କଡ଼ପାଳ ଜଳ ବିଶୋଧନ କାରଖାନାରୁ ୨ ମାସ ଧରି ଜଳ ଯୋଗାଣ ଠପ୍ ହୋଇରହିଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପକ୍ଷରୁ ନିର୍ମଳବୁନ୍ଦା ଜଳ ଯୋଗାଣ ବ୍ୟବସ୍ଥାରେ ଗାଁରେ ୱାର୍ଟର ଏଟିଏମ୍ ମେସିନ ପ୍ରତିଷ୍ଠା କରାଯାଇଥିଲେ ହେଁ ବହୁ ପରିବାର ଏଟିଏମ୍ କାର୍ଡ ପାଇନଥିବା ଅଭିଯୋଗ ହୁଏ।
MoU: କ୍ରିଟିକାଲ୍ ମିନେରାଲ୍ସ ଅନୁସନ୍ଧାନ ଦିଗରେ ଓଏମ୍ସି ଓ ଏଏମ୍ଡି ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର
ନଳକୂଅ ପାଣି ବ୍ୟବହାର ଅନୁପଯୁକ୍ତ। ବିଭିନ୍ନ ଜଳଉତ୍ସରୁ ପାଣି ଯୋଗାଣ ବ୍ୟାହତ ହୋଇଯିବାରୁ ଏଠାରେ ବସବାସ କରୁଥିବା ୪୦ ରୁ ଗରିବ ଅଧିକ ଆଦିବାସୀ ପରିବାର ସମେତ ୫୦ ରୁ ଅଧିକ ପରିବାର ପିଇବା ପାଣି ଓ ସ୍ନାନଶୌଚ ପାଇଁ ବହୁ ଦହଗଞ୍ଜ ହେଉଥିବାରୁ ସାଧାରଣରେ ଅସନ୍ତୋଷ ତେଜିଉଠିଛି। ଘର ଠାରୁ ୩ ଶହରୁ ୫ ଶହ ମିଟର ଦୂର ଯାଇ ନଳକୂଅରୁ ପାଣି ସଂଗ୍ରହ ଓ ବୋହି ଆଣୁଥିବା ଦର୍ଶାଇ ମହିଳାମାନେ କ୍ଷୋଭ ପ୍ରକାଶ କରିଥିଲେ।
ସୁନିତା ମାରାଣ୍ଡି, ସୁଷମା ଓଝା, ଗଙ୍ଗା ମାରାଣ୍ଡି, ଶାନ୍ତି ମାରାଣ୍ଡି, ତୁଳସୀ ହେମ୍ବ୍ରମ, ବାସନ୍ତୀ ବାସ୍କେ, ପାର୍ବତୀ ବାସ୍କେ, କାପୁରା ବେଶ୍ରା, ହୀରାମଣି ଟପ୍ନୋ, ସବିତା ହାଁସଦା, ବାସନ୍ତୀ କିସ୍କୁ, ଜୟଶ୍ରୀ ଷଣ୍ଢ, ସମ୍ବାରୀ ହାଁସଦା, ଜସ୍ମିନ ମୁର୍ମୁ, ଫୁଲ ସୋରେନ, ପାନ ମାଝୀ, ବାସନ୍ତୀ ମୁର୍ମୁ, ରାଇମଣି ହେମ୍ବ୍ରମ, କାଜଲ ପ୍ରଧାନ, ସବିତା ମହାନ୍ତ ପ୍ରମୁଖ ଅଚଳ ପଡ଼ିଥିବା ମେଗା ପାନୀୟଜଳ ପାଇପ୍ ଲାଇନ ପାଖରେ ଗରା, ବାଲ୍ଟି ରଖି ପ୍ରଶାସନିକ ଅବ୍ୟବସ୍ଥାର ପ୍ରତିବାଦ କରିଥିଲେ। ବିଭାଗୀୟ ହେଲ୍ପ ଲାଇନ ନମ୍ବର ୧୯୧୬ ରେ ଫୋନ କଲେ ନିରୁତ୍ସାହଜନକ ଉତ୍ତର ମିଳୁଥିବା ସାଧାରଣରେ ଅଭିଯୋଗ ହୋଇଥିଲା। ଏ ସଂପର୍କରେ ବ୍ଲକ ପାନୀୟଜଳ ଯୋଗାଣ ଯନ୍ତ୍ରୀ ଇଂ ଦଶରଥ ନାଏକଙ୍କୁ ଯୋଗାଯୋଗ କରିବାରେ ଯଥାଶୀଘ୍ର ପରିସ୍ଥିତି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ କହିଛନ୍ତି।

1 hour ago
3


