ARTICLE AD BOX
ରମ୍ୟ ରଞ୍ଜନ ପଟେଲ
ନୂଆଁଖାଇ ପର୍ବ ପାଳନ ବେଳେ ଗୋଟିଏ ସହରୀ ଉଚ୍ଚ ମଧ୍ୟ-ବିତ୍ତୀୟ ପରିବାରର ସାତ ଆଠ ବର୍ଷ ବୟସର ପିଲାଟିଏ ପଚାରିଲା, ‘ଏଭଳି ଉତ୍ସବ ପାଳନ କରାଯାଏ କାହିଁକି?’ ଟିକିଏ ଭାବିବାକୁ ହେଲା। ମନୁଷ୍ୟ ଲାଗି ଖାଦ୍ୟାନ୍ନ ଉପଲବ୍ଧ ହୋଇଥିବାରୁ ଫସଲ ଅମଳ ପରେ ଏହାକୁ ସମ୍ଭବ କରିଥିବା ଅଦୃଶ୍ୟ ଶକ୍ତି ଓ କାରକଗୁଡ଼ିକ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରିବା ହେଉଛି ଏଭଳି ପର୍ବର ଉଦ୍ଦେଶ୍ୟ। ତେବେ ନିରବରେ କୃତଜ୍ଞତା ଜ୍ଞାପନ କରା ନ ଯାଇ ସେହି ମହାର୍ଘ ମୁହୂର୍ତ୍ତର ଉତ୍ସବାୟନ କରାଯାଏ କାହିଁକି?
ଏହା ସତ ଯେ ଉତ୍ସବ ପାଳନ କରିବା ପଛରେ ଥିବା ଅନେକ କାରଣ ମଧ୍ୟରୁ ଗୋଟିଏ ପ୍ରମୁଖ କାରଣ ହେଲା ସଫଳତା ଲାଭକୁ ଆନନ୍ଦମୁଖର କରିବା; ଏବଂ ଯଦି ସଂଘର୍ଷ ପରେ ସଫଳତା ଆସିଥାଏ, ତେବେ ଉତ୍ସବାୟନ ଅଧିକ ଉଚ୍ଚାଟିତ ହୋଇଥାଏ। ହଜାର ହଜାର ବର୍ଷ ପୂର୍ବରୁ, ମାନବ ଜାତି ଲାଗି ସର୍ବାଧିକ ବଡ଼ ଆହ୍ୱାନ ଥିଲା ନିଜକୁ ବଞ୍ଚାଇ ରଖିବା। ସେହି ପରିପ୍ରେକ୍ଷୀରେ ଜୀବନ ଧାରଣର ମୌଳିକ ଆବଶ୍ୟକତା ରୂପେ ଖାଦ୍ୟ ଲାଭ କରିବା ଥିଲା ମନୁଷ୍ୟର ସର୍ବାଧିକ ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ, ଯାହା ହୁଏତ ମିଳୁଥିଲା ଶିକାରରୁ, ଫଳମୂଳ ସଂଗ୍ରହରୁ ଓ ପରେ କୃଷିରୁ! ଏବଂ ଖାଦ୍ୟର ଉପଲବ୍ଧତା ସହିତ ସୃଷ୍ଟି ହେଉଥିଲା ଆନନ୍ଦମୁଖର କ୍ଷଣମାନ!
ଅବଶ୍ୟ, କାଳକ୍ରମେ ମାନବ ସମାଜ ଶିକାର ଭଳି ଆଦିମ ଉପାୟରୁ ଓହରିଯାଇ କୃଷିକୁ ଆପଣାଇଲା, ଯଦ୍ଦ୍ବାରା ଖାଦ୍ୟ ଉପଲବ୍ଧତାକୁ ଅପେକ୍ଷାକୃତ ଭାବେ ଅଧିକ ସୁନିଶ୍ଚିତ କରାଯାଇପାରିଲା। କିନ୍ତୁ, ସତ କହିଲେ, ଏବେ ସୁଦ୍ଧା କୃଷି ଦ୍ବାରା ଖାଦ୍ୟ ଲାଭର ପ୍ରକରଣ ଅନିଶ୍ଚିତତାରୁ ସଂପୂର୍ଣ୍ଣ ମୁକ୍ତ ହୋଇପାରିନାହିଁ। ଆମ ଦେଶରେ କୃଷି ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ, ଯାହା ସର୍ବଦା ସ୍ଥିର ହୋଇ ନ ଥାଏ। ପୁଣି, ଏବର ଜଳବାୟୁ ପରିବର୍ତ୍ତନ ହେତୁ ବୃଷ୍ଟିପାତ ଆହୁରି ଅନିଶ୍ଚିତ ହୋଇ ପଡ଼ିଛି; ଅନାବୃଷ୍ଟି ଓ ଅତିବୃଷ୍ଟିର ପ୍ରଭାବ ଖାଦ୍ୟ ଉତ୍ପାଦନ ଉପରେ ପଡୁଛି। ତେଣୁ ଫସଲ ଅମଳ ପରେ କୃଷକ ଈଶ୍ବରଙ୍କ ଉଦ୍ଦେଶ୍ୟରେ କୃତଜ୍ଞତାପୂର୍ଣ୍ଣ ପ୍ରଣତି ଜଣାଉଛି, ଯାହାର ପ୍ରସାଦରୁ ତା’ର ଅମାର ପୂର୍ଣ୍ଣ ହୋଇପାରିଛି।
କୃଷି ଉତ୍ପାଦନ ଅନିଶ୍ଚିତ ହୋଇଥିବାରୁ ତାହାର ବିଭିନ୍ନ ପର୍ଯ୍ୟାୟ ସହିତ ପ୍ରାର୍ଥନା ଓ ପୂଜା ଆଦି ସଂଶ୍ଳିଷ୍ଟ। ଆମ ରାଜ୍ୟରେ ଅକ୍ଷି ତୃତୀୟା ବିହନ ବୁଣାର ପର୍ବ ହୋଇଥିଲାବେଳେ ନୂଆଁଖାଇ ହେଉଛି ଫସଲ ଅମଳର ପର୍ବ। ନୂଆଁଖାଇ ପଶ୍ଚିମ ଓଡ଼ିଶାର ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ବ ହୋଇଥିଲେ ହେଁ ଏବେ ସମଗ୍ର ରାଜ୍ୟ ଏହାକୁ ଉତ୍ସାହର ସହିତ ପାଳନ କରାଯାଉଛି। କୃଷିଭିତ୍ତିକ ସମାଜର ପରଂପରାରେ ପ୍ରଥମ ଅନ୍ନ ଗ୍ରହଣ କରିବା ପୂର୍ବରୁ କୃତଜ୍ଞତା ପ୍ରକାଶ ସ୍ବରୂପ ଅନ୍ନ ଉତ୍ପାଦନ ପାଇଁ ସମସ୍ତ କାରଣ ଓ କାରକଗୁଡ଼ିକୁ ତାହା ସାଂକେତିକ ଭାବେ ଅର୍ପଣ କରାଯାଏ, ସେଗୁଡ଼ିକ ସଜୀବ ହୁଅନ୍ତୁ କିମ୍ବା ନିର୍ଜୀବ। ପୁଣି କୃତଜ୍ଞତାର ପ୍ରକାଶ ହେଉଛି ନମ୍ରତାର ଅଭିବ୍ୟକ୍ତି। ଏହି ଭାବ ମନୁଷ୍ୟକୁ କୋମଳ କରେ। ପ୍ରକୃତି ସମ୍ମୁଖରେ ମନୁଷ୍ୟ କେତେ ନ୍ୟୂନ, ସେହି ବିଷୟ ମନୁଷ୍ୟ ଏହି ଅବସରରେ ସ୍ବୀକାର କରେ! ଏହି ଭାବନା କୃଷକକୁ ସହିଷ୍ଣୁ ଓ ଧୈର୍ଯ୍ୟଶୀଳ ମଧ୍ୟ କରାଏ।
ସେ ଦିନ ପିଲାଟିକୁ କହିବାକୁ ଚାହିଁଥିଲି ଯେ ତୁମେ ଖାଉଥିବା ପ୍ରତି ଦାନା ଚାଉଳ ଲାଗି ଖର୍ଚ୍ଚ ହୁଏ ଦୁଇରୁ ଚାରି ଟେବୁଲ ଚାମଚ ପାଣି, ଓ ତା’ ସହିତ କୃଷକ ଶରୀରରୁ ନିଗିଡ଼ି ଯାଉଥିବା ଅସରନ୍ତି ସ୍ବେଦ ବିନ୍ଦୁ। ତେଣୁ ଖାଇବା ପୂର୍ବରୁ ଟିକିଏ ଏ ବିଷୟ ମନକୁ ନେବ, ପ୍ରତିଟି ଅନ୍ନକୁ ଧ୍ୟାନ ପୂର୍ବକ ଖାଇଲାବେଳେ ପ୍ରକୃତି ଓ ପୁରୁଷକୁ ଧନ୍ୟବାଦ ଜଣାଇବ। ଏହା ହେଲେ ପ୍ରତ୍ୟେକ ଭୋଜନ ସମୟ ହେବ ନୂଆଁଖାଇ ଭଳି ପବିତ୍ର ଓ ପ୍ରାଣୋଚ୍ଛଳ। ସରଳ ଭାଷାରେ ଏତକ କହିଲି! ସେ କ’ଣ ବୁଝିଲା ଜଣା ନାହିଁ!
(ମତାମତ ଲେଖକଙ୍କ ନିଜସ୍ବ)
ଆସୋସିଏଟ ପ୍ରଫେସର, ଜେଏନ୍ୟୁ
ମୋ: ୮୮୦୦୭୭୯୨୨୧

45 minutes ago
1


