Editorial: ପୁଷ୍ପିତ ଭାରତ

55 minutes ago 2
ARTICLE AD BOX

ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଖଣି ଓ ପ୍ରାଥମିକ କ୍ଷେତ୍ରରେ ଅଭିବୃଦ୍ଧି କିଛି ମାତ୍ରାରେ ଦୁର୍ବଳ ହୋଇଥିଲେ ହେଁ, ସର୍ଭିସେସ୍, ମାନୁଫାକ୍‌ଚରିଙ୍ଗ ଓ ନିବେଶ କ୍ଷେତ୍ରରେ ଦେଖାଯାଇଥିବା ଶକ୍ତିଶାଳୀ ପ୍ରଦର୍ଶନ ତାହାକୁ ଭରଣା କରି ସାମଗ୍ରିକ ଅଭିବୃଦ୍ଧି ହାରକୁ ସନ୍ତୋଷଜନକ କରିଛି। ବାସ୍ତବ ଅଭିବୃଦ୍ଧି ହାର ସହିତ ତାଳ ଦେଇ ଏଇ ସମୟରେ ‘ନାମମାତ୍ର’ ବା ‘ନୋମିନାଲ୍ ଜିଡିପି’ରେ ମଧ୍ୟ ୧୦.୩ ଶତାଂଶ ହାରରେ ଅଭିବୃଦ୍ଧି ଘଟିଛି (ଏଥିରେ ମୁଦ୍ରାସ୍ଫୀତିର ପ୍ରଭାବ ଅନ୍ତର୍ଭୁକ୍ତ ଥାଏ)।

Education: ଇଗ୍ନୋରେ ନାମଲେଖା ସୁଯୋଗ; ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

ଊନବିଂଶ ଶତାବ୍ଦୀର ଶେଷ ଭାଗରେ ପ୍ରକାଶିତ ତାଙ୍କର ଯୁଗାନ୍ତକାରୀ ରଚନା ‘ଦସ୍ ସ୍ପେକ୍ ଜରାଥୁଷ୍ଟ୍ର’ (‘ଜରାଥୁଷ୍ଟ୍ର ଉବାଚ’)ରେ ଅପ୍ରମିତ ଶକ୍ତି ଓ ସମ୍ଭାବନାର ଅଧିକାରୀ ମନୁଷ୍ୟ ବା ‘ଅତିମାନବ’ (ଜର୍ମାନ୍: ‘ଉବର୍‌ମେନ୍‌ଚ’, ଇଂରେଜୀ: ‘ସୁପର୍‌ମ୍ୟାନ୍’)ର ପରିକଳ୍ପନା କରି ବୌଦ୍ଧିକ ଜଗତରେ ଏକ ବିପ୍ଳବ ସୃଷ୍ଟି କରିଥିବା ମହାନ ଜର୍ମାନ୍ ଦାର୍ଶନିକ ଫ୍ରେଡେରିକ୍ ନିଚା ମଧ୍ୟ ଉଦ୍ୟାନକୃଷିରେ ବିଶେଷ ଆଗ୍ରହର ଅଧିକାରୀ ଥିଲେ। ତାଙ୍କର ଏଇ ଆଗ୍ରହର କାରଣ ଥିଲା ଯେତିକି ବାସ୍ତବଧର୍ମୀ, ସେତିକି ରୂପକାତ୍ମକ। ବାସ୍ତବଧର୍ମୀ କାରଣ ହେଲା- ସେ ବିଶ୍ବାସ କରୁଥିଲେ ବଗିଚା କାର୍ଯ୍ୟ ଆବଶ୍ୟକ କରୁଥିବା ଦୈହିକ ପରିଶ୍ରମ ତାଙ୍କର ଭଙ୍ଗୁର ସ୍ବାସ୍ଥ୍ୟକୁ ଅତୁଟ ରଖିବାରେ ସହାୟକ ହେବ। ରୂପକାତ୍ମକ କାରଣ ହେଲା- ଜୀବନରେ ସଫଳତା ହାସଲରେ ପ୍ରତିକୂଳ ପରିସ୍ଥିତିର ଗୁରୁତ୍ବପୂର୍ଣ୍ଣ ଅବଦାନ ସମ୍ବନ୍ଧରେ ଉଦ୍ୟାନ କାର୍ଯ୍ୟ ଆମକୁ ସଚେତନ କରିଥାଏ।
ଉଦ୍ୟାନ କାର୍ଯ୍ୟର ଏଇ ରୂପକାତ୍ମକ ଦିଗଟି ନିଚାଙ୍କର ଦର୍ଶନ ତତ୍ତ୍ବକୁ ବି‌େଶଷ ଭାବରେ ପ୍ରଭାବିତ କରିଥିଲା। ସେ କହୁଥିଲେ ମାଟି ତଳେ ଥିବା ଗଛର ଚେର କୌଣସି ସୌନ୍ଦର୍ଯ୍ୟର ଅଧିକାରୀ ହୋଇ ନ ଥାଏ ଏବଂ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥାଏ। କିନ୍ତୁ ତାହାର ଶକ୍ତି ଓ ସମ୍ଭାବନା ଉପରେ ଦୃଢ଼ ଆସ୍ଥା ସ୍ଥାପନ କରି ମାଳୀ ତା’ର ଉପଯୁକ୍ତ ଯତ୍ନ ନେଲେ ସେ ଗଛ ଯେମିତି ସୁନ୍ଦର ଓ ସୁସ୍ବାଦୁ ଫୁଲଫଳ ପ୍ରଦାନ କରିଥାଏ, ପ୍ରତିବନ୍ଧକମାନ ଦ୍ବାରା ହତାଶ ନ ହୋଇ ଆମେ ଜୀବନର ସମ୍ମୁଖୀନ ହେଲେ, ଜୀବନ ଆମକୁ ସେଇଭଳି ସଫଳତା ପ୍ରଦାନ କରିଥାଏ। ଆମର ସମସ୍ତ ବାଧାବିଘ୍ନକୁ ଆମେ ଜଣେ ମାଳୀର ଦୃଷ୍ଟିରେ ଦେଖିବା ପାଇଁ ନିଚା ମନୁଷ୍ୟକୁ ଆହ୍ବାନ ଦେଇଥିଲେ।
ଚଳିତ ୨୦୨୬-୨୭ ବିତ୍ତ ବର୍ଷର ପ୍ରଥମ ଚଉଠ (ଏପ୍ରିଲ-ଜୁନ୍)ରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ସଫଳତା ସମ୍ବନ୍ଧରେ ସୋମବାର ଦିନ ‘ନେସନାଲ୍ ଷ୍ଟାଟିଷ୍ଟିକ୍‌ସ ଅଫିସ’ (‘ଏନ୍ଏସ୍ଓ’) ପ୍ରକାଶ କରିଥିବା ସୂଚନା ଦେଖିଲେ ମନେହୁଏ ‌ସତେ ଯେମିତି ଫ୍ରେଡେରିକ୍ ନିଚାଙ୍କର ସେଇ ପ୍ରତିକୂଳ ପରିସ୍ଥିତି ସଂପର୍କିତ ଅନ୍ତର୍ଦୃଷ୍ଟି ଜଣେ ବ୍ୟକ୍ତି ପାଇଁ ଯେତିକି ଉଦ୍ଦିଷ୍ଟ, ଏକ ଅର୍ଥନୀତି ପ୍ରତି ମଧ୍ୟ ସେତିକି ପ୍ରଯୁଜ୍ୟ ହୋଇଥାଏ। ଏକ ଆଶ୍ଚର୍ଯ୍ୟଜନକ ସଂଯୋଗ ଭଳି ଏ ସଂପର୍କିତ ତାଙ୍କର ଏକ ରଚନାରେ ନିଚା ‘ଅର୍ଥନୀତି’ ଶବ୍ଦ ବ୍ୟବହାର କରିବା ଦେଖାଯାଇଥାଏ। ୧୮୮୬ରେ ପ୍ରକାଶିତ ତାଙ୍କର ପୁସ୍ତକ, ‘ବିୟଣ୍ଡ୍ ଗୁଡ୍ ଆଣ୍ଡ୍ ଇଭିଲ୍’ର ଏକ ଅନୁଚ୍ଛେଦରେ ନିଚା ଜୀବନକୁ ପ୍ରଭାବିତ କରୁଥିବା କେତେକ ନକାରାତ୍ମକ ଆବେଗମାନଙ୍କର ଉଲ୍ଲେଖ କରିବା ପରେ କହିଛନ୍ତି, ‘‘ଜୀବନର ସାମଗ୍ରିକ ଅର୍ଥନୀତିରେ ଏଗୁଡ଼ିକର ଉପସ୍ଥିତି ହେଉଛି ମୌଳିକ ଭାବରେ ଅନିବାର୍ଯ୍ୟ।’’
ଜଣେ ବ୍ୟକ୍ତିର ଜୀବନର ସାମଗ୍ରିକ ଅର୍ଥନୀତି ବିଭିନ୍ନ ନକାରାତ୍ମକ ଆବେଗ ରୂପକ ପ୍ରତିବନ୍ଧକମାନଙ୍କର ସମ୍ମୁଖୀନ ହେବା ଭଳି ଭାରତର ସାମଗ୍ରିକ ଅର୍ଥନୀତି ନିକଟ ଅତୀତରେ ଯେଉଁଭଳି ପ୍ରତିକୂଳ ବାସ୍ତବିକ ଓ ଆବେଗିକ ପରିସ୍ଥିତିର ସମ୍ମୁଖୀନ ହୋଇଆସିଛି, ତାହାର ବିଶଦ ବର୍ଣ୍ଣନା ଅନାବଶ୍ୟକ। ଟ୍ରମ୍ପଙ୍କର ଟାରିଫ୍ ଆକ୍ରମଣରୁ ଆରମ୍ଭ କରି, ୟୁକ୍ରେନ୍ ଯୁଦ୍ଧ, ଇରାନ୍ ଯୁଦ୍ଧ ଓ ସେଥିଯୋଗୁଁ ସୃଷ୍ଟ ତୀବ୍ର ତୈଳ ସଂକଟ ସହିତ ‘ଏଲ୍‌ ନିନୋ’ର ଆବିର୍ଭାବ ମିଶି ଅର୍ଥନୀତି ସମ୍ମୁଖରେ ବାସ୍ତବ ପ୍ରତିବନ୍ଧକମାନ ଛିଡ଼ା କରିଥିବା ବେଳେ ଏଥିଯୋଗୁଁ ସୃଷ୍ଟ ନକାରାତ୍ମକ ଆବେଗ ଦ୍ବାରା ପ୍ରଭାବିତ ହୋଇ ବିଦେଶୀ ନିବେଶକମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ପଳାୟନ କରି ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟକୁ ରସାତଳଗାମୀ କରିବାରେ ଲାଗିଲେ। ଟଙ୍କାର ନୀଚା ବିନିମୟ ମୂଲ୍ୟ ଯୋଗୁଁ ଆମଦାନି ମହଙ୍ଗା ହୋଇ ଦେଶରେ ଖାଉଟି ମୁଦ୍ରାସ୍ଫୀତିର ଆବିର୍ଭାବ ଘଟିବାର ସମ୍ଭାବନା ଦେଖାଦେଲା। ଏ ସମସ୍ତ କାରଣରୁ ଦେଶର ବାହ୍ୟ ଆୟ-ବ୍ୟୟ ସନ୍ତୁଳନ (‘ବାଲାନ୍‌ସ ଅଫ୍ ପେମେଣ୍ଟ୍‌ସ’) ମଧ୍ୟ ଚାପଗ୍ରସ୍ତ ହୋଇଛି। ଇତିମଧ୍ୟରେ ‘ଏଆଇ’ର ଦ୍ରୁତ ଅନୁପ୍ରବେଶ ଯୋଗୁଁ ଶିଳ୍ପ ବ୍ୟବସାୟ କ୍ଷେତ୍ରରେ ନିଯୁକ୍ତି ସୁଯୋଗରେ ସଂକୋଚନ ଘଟିବାର ଆଶଙ୍କା ଦେଖାଦେଇଛି।
ନିଚାଙ୍କ ଉପରୋକ୍ତ ରୂପକ ବ୍ୟବହାର କରି କୁହାଯାଇପାରେ ଭାରତୀୟ ଅର୍ଥନୀତିରୂପକ ଉଦ୍ୟାନର ଗଛଗୁଡ଼ିକର ଚେରମାନ ଭୂଇଁ ତଳେ ବର୍ତ୍ତମାନ ଅସୁମାରି ପ୍ରତିବନ୍ଧକର ସମ୍ମୁଖୀନ ହେବାରେ ଲାଗିଛନ୍ତି; କିନ୍ତୁ ତା’ ସତ୍ତ୍ବେ ପ୍ରଥମ ଚଉଠର ପୂର୍ବୋକ୍ତ ଫଳାଫଳରୁ ଦେଖାଯାଉଛି ଗଛଗୁଡ଼ିକ ତଥାପି ଫୁଲଫଳରେ ଭର୍ତ୍ତି ହୋଇଛନ୍ତି- ସତେ ‌େଯମିତି ଏହି ପ୍ରତିବନ୍ଧକମାନଙ୍କର ଉପସ୍ଥିତି ଭାରତୀୟ ଅର୍ଥନୀତିକୁ ଏକ ‘ଉବର୍‌ମେନ୍‌ଚ’ସୁଲଭ ଆଚରଣ ପ୍ରଦର୍ଶନ କରି ସେଗୁଡ଼ିକୁ ଅତିକ୍ରମ କରି ଆଗେଇ ଚାଲିବା ପାଇଁ ପ୍ରବୃତ୍ତ କରିଛି। ଏଇ ଉଦ୍ୟାନରେ କାର୍ଯ୍ୟରତ ଅସଂଖ୍ୟ ମାଳୀମାନେ ପ୍ରତିକୂଳ ପରିସ୍ଥିତି ଦ୍ବାରା ନିରୁତ୍ସାହିତ ନ ହୋଇ ନିଚାଙ୍କ ପରି ତାକୁ ଏକ ଆହ୍ବାନ ରୂପେ ଗ୍ରହଣ କରିଛନ୍ତି।
ଏହାର ପ୍ରମାଣ ସ୍ବରୂପ ପ୍ରଥମ ଚଉଠରେ ଅର୍ଥନୀତି ଏକ ସମ୍ମାନଜନକ ୭.୮ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିଛି, ଅର୍ଥାତ୍ ଏହା ହେଉଛି ‘ଜିଡିପି’ର ବାସ୍ତବ ଅଭିବୃଦ୍ଧି ହାର। ସୂଚନାଯୋଗ୍ୟ ଏହା ହେଉଛି ଏ ସମ୍ବନ୍ଧରେ ରିଜର୍ଭ ବ୍ୟାଙ୍କ୍ ଓ ଅନ୍ୟ ବିଶେଷଜ୍ଞମାନେ କରିଥିବା ପୂର୍ବାନୁମାନ ଠାରୁ ମଧ୍ୟ ଏକ ଉଚ୍ଚତର ଅଭିବୃଦ୍ଧି ହାର। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଖଣି ଓ ପ୍ରାଥମିକ କ୍ଷେତ୍ରରେ ଅଭିବୃଦ୍ଧି କିଛି ମାତ୍ରାରେ ଦୁର୍ବଳ ହୋଇଥିଲେ ହେଁ, ସର୍ଭିସେସ୍, ମାନୁଫାକ୍‌ଚରିଙ୍ଗ ଓ ନିବେଶ କ୍ଷେତ୍ରରେ ଦେଖାଯାଇଥିବା ଶକ୍ତିଶାଳୀ ପ୍ରଦର୍ଶନ ତାହାକୁ ଭରଣା କରି ସାମଗ୍ରିକ ଅଭିବୃଦ୍ଧି ହାରକୁ ସନ୍ତୋଷଜନକ କରିଛି। ବାସ୍ତବ ଅଭିବୃଦ୍ଧି ହାର ସହିତ ତାଳ ଦେଇ ଏଇ ସମୟରେ ‘ନାମମାତ୍ର’ ବା ‘ନୋମିନାଲ୍ ଜିଡିପି’ରେ ମଧ୍ୟ ୧୦.୩ ଶତାଂଶ ହାରରେ ଅଭିବୃଦ୍ଧି ଘଟିଛି (ଏଥିରେ ମୁଦ୍ରାସ୍ଫୀତିର ପ୍ରଭାବ ଅନ୍ତର୍ଭୁକ୍ତ ଥାଏ)। ସେହିପରି ‘ଜିଡିପି’ରୁ ପରୋକ୍ଷ ଟିକସକୁ ବାଦ୍ ଦେଇ ହିସାବ କରାଯାଉଥିବା ‘ଜିଭିଏ’ (‘ଗ୍ରୋସ୍ ଭାଲ୍ୟୁ ଆଡେଡ୍’)ରେ ମଧ୍ୟ ୮.୨ ଶତାଂଶ ହାରରେ ଅଭିବୃଦ୍ଧି ଘଟିଛି। ‘ଜିଡିପି’ ଖାଉଟିମାନଙ୍କ ଦୃଷ୍ଟିକୋଣରୁ ଦେଶର ମୋଟ ଜାତୀୟ ଉତ୍ପାଦର ଆକଳନ ହୋଇଥିବାବେଳେ, ‘ଜିଭିଏ’ ଉତ୍ପାଦନକାରୀମାନଙ୍କ ଦୃଷ୍ଟିକୋଣରୁ ତାହାର ଆକଳନ ହୋଇଥାଏ।
ତୁଳନା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇପାରେ ଯେ ବିଗତ ବିତ୍ତ ବର୍ଷ ଅର୍ଥାତ୍ ୨୦୨୫-୨୬ ବିତ୍ତ ବର୍ଷର ପ୍ରଥମ ଚଉଠରେ ଭାରତର ‘ଜିଡିପି’ରେ ୬.୯ ଶତାଂଶ ହାରରେ ଅଭିବୃଦ୍ଧି ଘଟିଥିଲା; ଅର୍ଥାତ୍ ଏଥର ସେଥିରେ ସମସ୍ତ ବାଧାବିଘ୍ନ ସତ୍ତ୍ବେ ପ୍ରାୟ ପୂରା ଏକ ଶତାଂଶ ପଏଣ୍ଟ ଉନ୍ନତି ଘଟିଛି। ଏଇ ଉତ୍ସାହଜନକ ଅଭିବୃଦ୍ଧିର ସଂରଚନା ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଶକ୍ତିର ବିବିଧତା ସମ୍ବନ୍ଧରେ ଏକ ଧାରଣା ପ୍ରଦାନ କରିଥାଏ, ଯେଉଁଥିରେ ନେତୃସ୍ଥାନ ଅଧିକାର କରିଥିବା କ୍ଷେତ୍ର ଦ୍ବୟ ହେଉଛନ୍ତି ଔଦ୍ୟୋଗିକ ଓ ସେବାକ୍ଷେତ୍ର। ଉଦାହରଣ ସ୍ବରୂପ ମାନୁଫାକ୍‌ଚରିଙ୍ଗ ‘ଜିଭିଏ’ରେ ଅଭିବୃଦ୍ଧି ହାର ୯.୨ ଶତାଂଶ ହୋଇଥିବା ବେଳେ ବିଜୁଳି, ଗ୍ୟାସ୍, ଜଳ ଯୋଗାଣ ଆଦି ସେବା ପାଇଁ ତାହା ହୋଇଛି ୮.୯ ଶତାଂଶ। ଅପର ପକ୍ଷେ ପ୍ରାଥମିକ କ୍ଷେତ୍ର ଅନ୍ତର୍ଭୁକ୍ତ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟରେ ଅଭିବୃଦ୍ଧି ହାର ହୋଇଛି ୩.୬ ଶତାଂଶ ମାତ୍ର। ଆଶ୍ଚର୍ଯ୍ୟଜନକ ଭାବରେ ଏଇ ସମୟରେ ରପ୍ତାନିରେ ୧୨ ଶତାଂଶ ଅଭିବୃଦ୍ଧି ଘଟିଥିବା ବେଳେ ଆମଦାନିରେ ୧.୧ ଶତାଂଶ ସଂକୋଚନ ଘଟିଛି।
‘ଏନ୍ଏସ୍ଓ’ ଦ୍ବାରା ଏଇ ସମସ୍ତ ସୂଚନା ପ୍ରକାଶ ପାଇବା ପରେ ଭାରତୀୟ ଅର୍ଥନୀତିର ଯେଉଁ ଚିତ୍ର ଏବେ ଆବିର୍ଭୂତ ହୋଇଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏ ସଂପର୍କିତ ଏହି ମନ୍ତବ୍ୟ ତା’ର ସାରମର୍ମ ବହନ କରିଥାଏ: ‘‘ବିନାଶବାଦୀଙ୍କର ବିଲୟ ଘଟିଛି ଏବଂ ଭାରତ ପୁଷ୍ପିତ ହୋଇଛି... ପୁଣି ଥରେ!’’ ଏହା ନିଚାଙ୍କର ଉଦ୍ୟାନ ରୂପକର ଅବିକଳ ପ୍ରତିଧ୍ବନି ନୁହେଁ କି? ଭାରତୀୟ ଅର୍ଥନୀତିର ପ୍ରଦର୍ଶନ ଦ୍ବାରା ପ୍ରଭାବିତ ହୋଇ ସେ ମୋଦୀଙ୍କ କଣ୍ଠରେ ବସି ତାଙ୍କ ତୁଣ୍ଡରେ ଏ ଶବ୍ଦଗୁଡ଼ିକ ଖଞ୍ଜି ଦେଇ ନାହାନ୍ତି ତ ଆଉ!

Read Entire Article
LEFT SIDEBAR AD

Hidden in mobile, Best for skyscrapers.