Education: ବିଜେଇଏମ୍ ସ୍କୁଲ୍-୨ରେ ‘ସୃଜନ ସଙ୍ଗମ’ ବାର୍ଷିକ ପ୍ରଦର୍ଶନୀ

1 hour ago 1
ARTICLE AD BOX

ଭୁବନେଶ୍ୱର: ସତ୍ୟଭାମାପୁରସ୍ଥିତ ବି.ଜେ.ଇ.ଏମ୍. ସ୍କୁଲ୍-୨ରେ ଶନିବାର ବିଦ୍ୟାଳୟର ବହୁ ପ୍ରତୀକ୍ଷିତ ବାର୍ଷିକ ପ୍ରଦର୍ଶନୀ ‘ସୃଜନ ସଙ୍ଗମ’ ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଓ ଆକର୍ଷଣୀୟ ଭାବେ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ପ୍ରଦର୍ଶନୀର ମୁଖ୍ୟ ବିଷୟବସ୍ତୁ ’ପରମ୍ପରାରୁ ଆଧୁନିକ ପ୍ରଯୁକ୍ତି ଵିଦ୍ୟା' ରଖାଯାଇଥିଲା। ଏହି ବିଷୟବସ୍ତୁ ଆଧାରରେ ଛାତ୍ରଛାତ୍ରୀମାନେ ଭାରତୀୟ ଐତିହ୍ୟ, ପାରମ୍ପରିକ ଜ୍ଞାନ, ଆଧୁନିକ ବିଜ୍ଞାନ ଓ ବୈଷୟିକ ବିକାଶର ଅପୂର୍ବ ଯାତ୍ରାକୁ ନିଜର ସୃଜନଶୀଳ ପ୍ରତିଭା ମାଧ୍ୟମରେ ଜୀବନ୍ତ ରୂପ ଦେଇଥିଲେ।

ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ମୋଟ ୨୮୦ଟି ଅଭିନବ ଓ ଜ୍ଞାନବର୍ଦ୍ଧକ ପ୍ରକଳ୍ପ ସ୍ଥାନ ପାଇଥିଲା। ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ,  ଓଡ଼ିଆ, ହିନ୍ଦୀ,ସଂସ୍କୃତ, ଚିତ୍ରକଳା, କ୍ରୀଡ଼ା ଓ ବାଣିଜ୍ୟ ଆଦି ବିଭିନ୍ନ ବିଷୟକୁ ଆଧାର କରି ପିଲାମାନେ ନିଜର କଳ୍ପନାଶକ୍ତି, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ଗବେଷଣା କ୍ଷମତା ଓ ବିଷୟଭିତ୍ତିକ ଜ୍ଞାନର ଉତ୍କୃଷ୍ଟ ପରିଚୟ ଦେଇଥିଲେ।

ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିଲା ଅତୀତରୁ ବର୍ତ୍ତମାନ ଏବଂ ବର୍ତ୍ତମାନରୁ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଥିବା ମାନବ ସଭ୍ୟତାର ବିକାଶ ଯାତ୍ରା। ଶିକ୍ଷା, ଚିକିତ୍ସା ଓ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଘଟିଥିବା ପରିବର୍ତ୍ତନକୁ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଆକର୍ଷଣୀୟ ଓ ରୋଚକ ଢଙ୍ଗରେ ଉପସ୍ଥାପନ କରିଥିଲେ। ଜେଜେମା’ ଓ ଆଈମା’ଙ୍କ ପାରମ୍ପରିକ କାହାଣୀଠାରୁ ଆରମ୍ଭ କରି କୃତ୍ରିମ ବୁଦ୍ଧିମତ୍ତାର ଆଧୁନିକ ଦୁନିଆ ପର୍ଯ୍ୟନ୍ତର ଯାତ୍ରା ବିଭିନ୍ନ ମଡେଲ୍, ଚାର୍ଟ ଓ ଅଭିନବ ଉପସ୍ଥାପନା ମାଧ୍ୟମରେ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ପାରମ୍ପରିକ ଜ୍ଞାନ ଓ ଆଧୁନିକ ବୈଷୟିକ କୌଶଳର ଏହି ଅନନ୍ୟ ସମନ୍ୱୟ ଦର୍ଶକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ପ୍ରଦର୍ଶନୀର ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା ବିଦ୍ୟାଳୟର ‘ଅଟଳ ଟିଙ୍କରିଂ ଲ୍ୟାବ୍’। ଏଠାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ନୂତନ ଉଦ୍ଭାବନ, ବୈଜ୍ଞାନିକ ପରୀକ୍ଷଣ ଓ ଗବେଷଣାମୂଳକ କାର୍ଯ୍ୟ ସମ୍ପର୍କରେ ଅତିଥିମାଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଇଞ୍ଜିନିୟର ଶାନ୍ତି ସ୍ୱରୂପ ରଥ, (ବିଦ୍ୟୁତ୍ ବିଶେଷଜ୍ଞ ତଥା ଓଡ଼ିଶା ସରକାରଙ୍କ ଗ୍ରାମୀଣ ଜଳଯୋଗାଣ ଓ ପରିମଳ ବିଭାଗର ପରାମର୍ଶଦାତା, ଜଳ ଓ ପରିମଳ ଭବନ, ୟୁନିଟ୍-୫, ଭୁବନେଶ୍ୱର) ଯୋଗଦେଇଥିଲେ। ତାଙ୍କ ସହିତ ବିଦ୍ୟାଳୟର ସଭାପତି ରଘୁନାଥ ମିଶ୍ର ଏବଂ ବିଦ୍ୟାଳୟ ପରିଚାଳନା ସମିତିର  ବିଶିଷ୍ଟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିବୃନ୍ଦ ପ୍ରଦର୍ଶନୀର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ପରିଶ୍ରମ ଓ ଉପସ୍ଥାପନା ଶୈଳୀର ଉଚ୍ଚ ପ୍ରଶଂସା କରିଥିଲେ। ଏପରି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ, ନବସୃଜନ, ଆତ୍ମବିଶ୍ୱାସ ଓ ବ୍ୟବହାରିକ ଜ୍ଞାନର ବିକାଶ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଉତ୍କୃଷ୍ଟ ପ୍ରକଳ୍ପ ଓ ଉପସ୍ଥାପନା ପାଇଁ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ବିଦ୍ୟାଳୟର ଅଧ୍ୟକ୍ଷ ବରଦା ପ୍ରସାଦ ପାଇକରାୟଙ୍କ ସୁଦକ୍ଷ ନେତୃତ୍ୱ ଓ ମାର୍ଗଦର୍ଶନରେ ଏହି ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମର ସଫଳ ରୂପାୟନରେ ଉପାଧ୍ୟକ୍ଷ ଡ. ମନୋରଞ୍ଜନ ବେଜ୍, ପ୍ରଶାସନିକ ପର୍ଯ୍ୟବେକ୍ଷିକା  ଶିକ୍ଷକ-ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ଅବଦାନ ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ‘ସୃଜନ ସଙ୍ଗମ’ କେବଳ ଏକ ପ୍ରଦର୍ଶନୀ ନୁହେଁ, ବରଂ ଏହା ଛାତ୍ରଛାତ୍ରୀଙ୍କ କଳ୍ପନାଶକ୍ତି, ଅକ୍ଳାନ୍ତ ପରିଶ୍ରମ, ନବସୃଜନ ଓ ସାମୂହିକ ପ୍ରୟାସର ଏକ ମହୋତ୍ସବ ଭାବେ ପରିଗଣିତ ହୋଇଥିଲା। ନିଜର ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧକୁ ସୁରକ୍ଷିତ ରଖି ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ଆପଣାଇବା ହିଁ ଉଜ୍ଜ୍ୱଳ ଭବିଷ୍ୟତର ପଥ ବୋଲି ଏହି ପ୍ରଦର୍ଶନୀ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.