ARTICLE AD BOX
ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍ନିନୋ କ୍ରମଶଃ ଶକ୍ତିଶାଳୀ ହେଉଛି। ତେବେ ଏହି ଜଳବାୟୁ ଘଟଣା ଏଯାଏଁ ତା’ର ସର୍ବୋଚ୍ଚ ସ୍ତରରେ ପହଞ୍ଚି ନ ଥିଲେ ମଧ୍ୟ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖାଦେଇଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ, ୨୦୨୬-୨୭ର ଏଲ୍ନିନୋ ଅତି ଶକ୍ତିଶାଳୀ ହୋଇପାରେ। ଏହାର ପ୍ରଭାବ ୨୦୨୭ ଆରମ୍ଭ ପର୍ଯ୍ୟନ୍ତ ରହିପାରେ।
ଏଲ୍ନିନୋ ହେଉଛି ପ୍ରଶାନ୍ତ ମହାସାଗରର ଭୂମଧ୍ୟରେଖା ନିକଟବର୍ତ୍ତୀ ଅଞ୍ଚଳର ସମୁଦ୍ରଜଳ ସ୍ୱାଭାବିକଠାରୁ ଅଧିକ ଗରମ ହେବା ସହ ଜଡ଼ିତ ଏକ ପ୍ରାକୃତିକ ଜଳବାୟୁ ଘଟଣା। ସମୁଦ୍ରଜଳ ଗରମ ହେବା ଯୋଗୁ ପବନ ଓ ବର୍ଷାର ସ୍ୱାଭାବିକ ଧାରା ବଦଳିଯାଏ। ଫଳରେ ଗୋଟିଏ ଅଞ୍ଚଳରେ ଅଧିକ ବର୍ଷା ଓ ବନ୍ୟା ହେଉଥିବାବେଳେ ଅନ୍ୟ ଅଞ୍ଚଳରେ ମରୁଡ଼ି ଓ ଅତ୍ୟଧିକ ଗରମ ପରିସ୍ଥିତି ସୃଷ୍ଟି ହୋଇପାରେ।
୨୦୨୬ର ଏଲ୍ନିନୋ ଦ୍ରୁତ ଗତିରେ ବିକଶିତ ହେଉଥିବାରୁ ବୈଜ୍ଞାନିକମାନେ ବିଶେଷ ଭାବେ ଚିନ୍ତିତ। ପୂର୍ବ ଏଲ୍ନିନୋ ଘଟଣାଗୁଡ଼ିକର ଅଭିଜ୍ଞତା ଦେଖାଇଛି ଯେ ଏହା କୃଷି ଉତ୍ପାଦନ, ଖାଦ୍ୟ ଯୋଗାଣ ଓ ଲୋକଙ୍କ ଜୀବିକା ଉପରେ ବଡ଼ ପ୍ରଭାବ ପକାଇପାରେ। ବର୍ତ୍ତମାନ ମଧ୍ୟ ବିଶ୍ୱର ଖାଦ୍ୟ ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼ୁଛି। ଅଷ୍ଟ୍ରେଲିଆ ଭଳି କେତେକ ଅଞ୍ଚଳରେ ମରୁଡ଼ିର ଆଶଙ୍କା ଥିବାବେଳେ ଦକ୍ଷିଣ ବ୍ରାଜିଲ୍ରେ ଅତ୍ୟଧିକ ବର୍ଷା ହୋଇପାରେ।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆ ପାଇଁ ମଧ୍ୟ ଏହା ଚିନ୍ତାର କାରଣ ହୋଇଛି। ଏହି ଅଞ୍ଚଳରେ ସ୍ୱାଭାବିକଠାରୁ କମ୍ ବର୍ଷା ଓ ଅତ୍ୟଧିକ ତାପମାତ୍ରାର ଆଶଙ୍କା ରହିଛି। ଭାରତର କୃଷି ମଧ୍ୟ ଏହାର ପ୍ରଭାବରୁ ମୁକ୍ତ ନୁହେଁ। ବର୍ଷାରେ ଅନିୟମିତତା ହେଲେ ଧାନ ସମେତ ବିଭିନ୍ନ ଫସଲର ଉତ୍ପାଦନ ପ୍ରଭାବିତ ହୋଇପାରେ। ଫଳରେ ଖାଦ୍ୟ ଦର ବଢ଼ିବା ସହ କୃଷକ ଓ ଗ୍ରାମୀଣ ଅର୍ଥନୀତି ଉପରେ ମଧ୍ୟ ଚାପ ପଡ଼ିପାରେ। ଆଫ୍ରିକାର କେତେକ ଅଞ୍ଚଳରେ କମ୍ ବର୍ଷା ଓ ଅତ୍ୟଧିକ ଗରମ ଯୋଗୁ ଖାଦ୍ୟ ଓ ପାଣି ସଙ୍କଟ ବଢ଼ିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ଭାରି ବର୍ଷା, ବନ୍ୟା ଓ ଜଙ୍ଗଲ ନିଆଁର ବିପଦ ବଢ଼ିପାରେ। ଏଲ୍ନିନୋର ପ୍ରଭାବ ଆଗାମୀ ମାସଗୁଡ଼ିକରେ ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ବିଭିନ୍ନ ଦେଶ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

1 week ago
3


