ARTICLE AD BOX
“ମୋମାତୃଭାଷା ହେଉଛି ହିଂସା, ଯାହା ଏକ ସାର୍ବଜନୀନ ଭାଷା।’’- ‘ଟକ୍ସିକ୍’ ଚଳଚ୍ଚିତ୍ର ମଝିରେ ନାୟକ ରାୟା (ୟଶ) ମୁହଁରୁ ବାହାରିଥିବା ଏହି ସଂଳାପ ସଂପୂର୍ଣ୍ଣ ଚଳଚ୍ଚିତ୍ରକୁ ବ୍ୟାଖ୍ୟା କରିବା ଲାଗି ଯଥେଷ୍ଟ। ତେବେ ବିଡ଼ମ୍ବନା ହେଲା, ଏହି ଚଳଚ୍ଚିତ୍ରଟି ମୂଳ କନ୍ନଡ଼ ସମେତ ଆଉ ଚାରିଟି ଭାଷାରେ ମୁକ୍ତିଲାଭ କରିଛି। ନାମରେ ହିଁ ବିଷାକ୍ତ ଉଲ୍ଲେଖ ଥିବା ଚଳଚ୍ଚିତ୍ରଟି କେତେ ଖରାପ ହୋଇପାରେ ଭାବି ପ୍ରେକ୍ଷାଳୟରେ ତିନି ଘଣ୍ଟା ୧୫ ମିନିଟ୍ କାଟିବା ପରେ ଲାଗୁଛି ଯେ ଏହା ଟ୍ରେଣ୍ଡସେଟର୍ ‘ଆନିମଲ୍’ ଚଳଚ୍ଚିତ୍ରର ଯାବତୀୟ ନକାରାତ୍ମକ ଦିଗଗୁଡ଼ିକୁ ଖୁବ୍ ପ୍ରଭାବଶାଳୀ ଢଙ୍ଗରେ ଅନୁକରଣ କରିଥିବା ବେଳେ ପୃଷ୍ଠଭୂମି ସଂଗୀତ, କାହାଣୀର ଗତିଶୀଳତା, ଏଡିଟିଂ ଆଦି ବୈଷୟିକ ଦୃଷ୍ଟିରୁ ‘ଟକ୍ସିକ୍’ ନିକୃଷ୍ଟ ସ୍ତରର।
Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ
ଏହି ଗ୍ୟାଙ୍ଗଷ୍ଟର୍ କାହାଣୀକୁ ରୋମାଞ୍ଚକର କରିବା ପାଇଁ ଅସମାନ୍ତାରଳ ଶୈଳୀରେ ପ୍ରଦର୍ଶିତ କରାଯାଇଛି। ଦେଶ ସ୍ୱାଧୀନତା ପରେ ପର୍ତ୍ତୁଗିଜ୍ ଶାସନାଧୀନ ଗୋଆରେ ଚୋରା ଆଫିମ୍ କାରବାରକୁ କେନ୍ଦ୍ରରେ ରଖି ‘ଟକ୍ସିକ୍’ର ଅପରାଧ ଦୁନିଆ ଗଢ଼ାଯାଇଛି। ଗ୍ୟାଙ୍ଗଷ୍ଟର ସାଲଭାଡୋର୍ର ବିଶ୍ୱସ୍ତ ସହଯୋଗୀ ଭାବେ ରାୟା ନିଜ ପ୍ରଭାବ ବଢ଼ାଇ ଆଫିମ୍ ବ୍ୟବସାୟ ଉପରେ ଏକଚାଟିଆ ନିୟନ୍ତ୍ରଣ ହାସଲ କରିବାକୁ ଚାହେଁ। ଏହି ଲୋଭ, ଶକ୍ତି ଓ ବିଶ୍ୱାସଘାତର ଖେଳ ହିଁ କାହାଣୀକୁ ଆଗକୁ ନେଇଯାଏ। କିନ୍ତୁ ‘ଟକ୍ସିକ୍’କୁ ବନ୍ଧୁକ, ହିଂସା ଓ ଅପରାଧର କାହାଣୀରେ ସୀମିତ ନ ରଖି ରାୟାର ବ୍ୟକ୍ତିଗତ ଜୀବନ ଓ ନାରୀଙ୍କ ସହ ତା’ର ତଥାକଥିତ ଜଟିଳ ସମ୍ପର୍କକୁ ମନସ୍ତାତ୍ତ୍ବିକ ସ୍ତରରେ ବିଶ୍ଳେଷଣ କରିବାର ଓ ତା’ ହିଂସ୍ର ଆଚରଣକୁ ଯଥାର୍ଥ ଦର୍ଶାଇବାର ହାସ୍ୟାସ୍ପଦ ଉଦ୍ୟମ ମଧ୍ୟ କରାଯାଇଛି। ରାୟାର ଜୀବନରେ ସର୍କସ୍ କଳାକାର ନାଦିଆ (କିଆରା ଆଡ଼ଭାନୀ)ର ଆଗମନ ପରେ କାହାଣୀ ଏକ ଭିନ୍ନ ମୋଡ଼ ନିଏ। ନାଦିଆ ପ୍ରତି ରାୟାର ଭାବନା ଧୀରେଧୀରେ ଆକର୍ଷଣରୁ ପ୍ରେମରେ ପରିଣତ ହୁଏ। ଏହା ପରେ ଫିଲ୍ମଟି ଏକ ଅପ୍ରତ୍ୟାଶିତ ମୋଡ଼ରେ ସରିଛି, ଯାହା ଦର୍ଶକଙ୍କ ବୁଦ୍ଧିମତ୍ତାକୁ ଅପମାନିତ କରିଥାଏ।
‘ଟକ୍ସିକ୍’ ଚଳଚ୍ଚିତ୍ରର ସବୁଠାରୁ ନିରାଶାଜନକ ଦିଗଟି ହେଉଛି- ଏହାର ନିର୍ଦେଶକ ଓ ସହ-ଲେଖକ ହେଉଛନ୍ତି ଜଣେ ମହିଳା। ପୁଣି ଏଥିରେ ଅଭିନୟ କରିଛନ୍ତି ପାଞ୍ଚଜଣ ଅତ୍ୟନ୍ତ ସଫଳ ତଥା ଦକ୍ଷ ଅଭିନେତ୍ରୀ। ଏହା ସତ୍ତ୍ବେ ଚଳଚ୍ଚିତ୍ରଟି ‘ବାକ୍ଡେଲ୍ ଟେଷ୍ଟ’ରେ ଉତ୍ତୀର୍ଣ୍ଣ ହୋଇ ନାହିଁ। ଏଥିରେ ସବୁ ନାରୀ ଚରିତ୍ର, ନାୟକ ରାୟାର ଜୀବନରେ ନିଜନିଜ ସୀମିତ ଭୂମିକା ତୁଲାଇବା ଲାଗି ପରଦାକୁ ଆସୁଛନ୍ତି ଓ ବାହୁଡ଼ି ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ଅନାବଶ୍ୟକ ଭାବେ ଏତେ ମାତ୍ରାରେ ନିଶା ସେବନ, ନୃଶଂସ ହତ୍ୟାକାଣ୍ଡ ଓ ସମ୍ଭୋଗର ଦୃଶ୍ୟ ରହିଛି ଯେ ଗୋଟିଏ ସମୟ ପରେ ଏସବୁ ମନରେ ବିତୃଷ୍ଣା ସୃଷ୍ଟି କରିଥାଏ। ଏହାକୁ ପରିବାର ସହିତ ଦେଖିବା କଦାପି ସୁପାରିସଯୋଗ୍ୟ ନୁହେଁ। ସେମିତିରେ, କେହି ବି କାହିଁକି ବା ଏ ‘ବିଷ’ ପାନ କରିବେ? .
‘ଟକ୍ସିକ୍: ଏ ଫେରି ଟେଲ୍ ଫର୍ ଗ୍ରୋନ୍-ଅପ୍ସ’
ନିର୍ଦ୍ଦେଶକ: ଗୀତୁ ମୋହନଦାସ
ମୁଖ୍ୟ ଚରିତ୍ର: ୟଶ, କିଆରା ଆଡ଼ଭାନୀ, ନୟନତାରା, ତାରା ସୁତାରିୟା, ହୁମା କ୍ୟୁରେସୀ, ରୁକ୍ମିଣୀ ବସନ୍ତ

1 hour ago
2


