Festival: ବାନ୍ଦନା କେବଳ ଏକ ପର୍ବ ନୁହେଁ, ଏହା ପ୍ରକୃତି, ମାଟି ଓ ଗୋଧନର ଜୀବନ୍ତ କାବ୍ୟ: ମୁଖ୍ୟମନ୍ତ୍ରୀ

1 hour ago 3
ARTICLE AD BOX

ବାରିପଦା (ବଟକୃଷ୍ଣ ବିହାରୀ):ମୟୂରଭଞ୍ଜ ଜିଲ୍ଲାର ଆଗୁଆଡ଼ ଠାରେ ଆଜି ଆୟୋଜିତ ‘ଜାତୀୟ ବାନ୍ଦନା ପରବ–୨୦୨୬’ର ସାଂସ୍କୃତିକ ମହାମିଳନ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଡୁମୀ ସମାଜର ପ୍ରାଚୀନ ପରମ୍ପରା, କର୍ମଠତା ଏବଂ ପ୍ରକୃତି ପ୍ରେମର ଉଚ୍ଚ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ କୁଡୁମୀ ସମ୍ପ୍ରଦାୟର ସମସ୍ତ ମା’, ଭାଇ ଓ ଭଉଣୀମାନଙ୍କୁ ‘ବାନ୍ଦନା ପରବ’ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ରାଜ୍ୟର ସର୍ବ ସମାବେଶୀ ବିକାଶ ମଡେଲରେ କୁଡୁମୀ ସମାଜର ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ ଏବଂ ସାଂସ୍କୃତିକ ବିକାଶ ପାଇଁ ସରକାର ସଦାସର୍ବଦା ବଦ୍ଧପରିକର ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାନ୍ଦନା କେବଳ ଏକ ପର୍ବ ନୁହେଁ, ବରଂ ଏହା ପ୍ରକୃତି, ମାଟି, ଗୋଧନ ଏବଂ ମାନବୀୟ ସମ୍ପର୍କର ଏକ ଜୀବନ୍ତ କାବ୍ୟ। ପ୍ରକୃତିର ପୂଜା, କୃଷି ସଂସ୍କୃତିର ଆରାଧନା ଏବଂ ମାଟି ପ୍ରତି ଆନୁଗତ୍ୟର ଏହି ନିଶାଣ ଆମ ସଂସ୍କୃତିର ଆତ୍ମା। 

କୁଡୁମୀ ସମାଜଠାରୁ ଶିଖିବାକୁ ମିଳେ
ସେ ଆହୁରି ମଧ୍ୟ କହିଛନ୍ତି ଯେ କୁଡୁମୀ ଜାତି ହେଉଛନ୍ତି ଭୂମିର ସନ୍ତାନ ଏବଂ ମାଟିକୁ ସ୍ୱେଦରେ ସିଞ୍ଚି ଶସ୍ୟଶ୍ୟାମଳା କରିବାର କଳା କୁଡୁମୀ ସମାଜଠାରୁ ଶିଖିବାକୁ ମିଳେ। ପ୍ରକୃତିକୁ ମା’ ଭାବେ ପୂଜା କରିବା, ଗଛଲତା, ପାହାଡ଼, ନଦୀ-ନାଳ ଏବଂ ପ୍ରାଣୀଜଗତ ସହ ସହବସ୍ଥାନ କରିବାର ଯେଉଁ ଅନନ୍ୟ ଶୈଳୀ ଏହି ସମାଜ ପାଖରେ ରହିଛି, ତାହା ସମଗ୍ର ମାନବ ସମାଜ ପାଇଁ ଏକ ଦିଗଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ମୟୂରଭଞ୍ଜ ମାଟି ସହ ନିଜର ଗଭୀର ଆତ୍ମିକ ସମ୍ପର୍କକୁ ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୟୂରଭଞ୍ଜ ହେଉଛି ତାଙ୍କର ଦ୍ଵିତୀୟ ଘର ଏବଂ ଘରକୁ କିଛି ଦିନ ଅନ୍ତରାଳରେ ଆସିଲେ ଯେପରି ଆନନ୍ଦ ମିଳିଥାଏ, ଆଜି ଠିକ୍ ସେହିପରି ଆନନ୍ଦ ଅନୁଭବ ହେଉଛି। 

ସାନ୍ତାଳ ଓ କୁଡୁମୀ ମଧ୍ୟରେ ସଂପର୍କ
କେନ୍ଦୁଝର ଓ ମୟୂରଭଞ୍ଜ ଅଞ୍ଚଳର ସାନ୍ତାଳ ଓ କୁଡୁମୀ ସମ୍ପ୍ରଦାୟ ମଧ୍ୟରେ ଥିବା ଭାଇଚାରାକୁ ପ୍ରଶଂସା କରି ଶ୍ରୀ ମାଝୀ କହିଥିଲେ ଯେ ଆମ ଆଦିବାସୀ ସଂସ୍କୃତିରେ ଭାଇଚାରା ସବୁବେଳେ ପ୍ରଥମ ସ୍ଥାନରେ ରହିଆସିଛି। ବାଲ୍ୟକାଳରୁ ନିଜ ଗାଁରେ କୁଡୁମୀ ପରିବାରଗୁଡ଼ିକ ସହ ବଢ଼ିଥିବା ସ୍ମୃତିକୁ ରୋମନ୍ଥନ କରି ସେ ଢେଙ୍ଗୁଆନ ବୁଲିବା ଏବଂ ପିଠା ଖାଇବାର ନିଆରା ଅନୁଭୂତି ବାଣ୍ଟିବା ସହ ରାଜନୈତିକ କ୍ଷେତ୍ରରେ ମଧ୍ୟ କୁଡୁମୀ ସମ୍ପ୍ରଦାୟର ସହଯୋଗୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସ୍ୱୀକାର କରିଥିଲେ। 

WhatsApp Image 2026-11-13 at 16.49.02

ସାମାଜିକ ଅବଦାନ ଉପରେ ଚର୍ଚ୍ଚା
କୁଡୁମୀ ସମ୍ପ୍ରଦାୟର ଐତିହାସିକ ପୃଷ୍ଠଭୂମି ଓ ସାମାଜିକ ଅବଦାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କର୍ମରେ ବିଶ୍ବାସ କରୁଥିବା ଏହି ପ୍ରାଚୀନ ଓ ପରିଶ୍ରମୀ କୃଷକ ସମ୍ପ୍ରଦାୟ ଓଡ଼ିଶା ସମେତ ଆସାମ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼, ଗୁଜୁରାଟ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ବସବାସ କରୁଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ମୟୂରଭଞ୍ଜ ଓ କେନ୍ଦୁଝର ଏ ଜାତିର ମୁଖ୍ୟ ବାସସ୍ଥଳୀ ପାଲଟିଥିବା ବେଳେ ବାରିପଦା ଓଡ଼ିଶାର କୁଡୁମୀମାନଙ୍କର ଅଘୋଷିତ ରାଜଧାନୀ ଭାବେ ପରିଚିତ ହୋଇଛି। ଏକ ସ୍ୱାଭିମାନୀ, ବିଶ୍ୱସ୍ତ ଓ ରାଷ୍ଟ୍ରଭକ୍ତ ଜାତି ଭାବେ କୁଡୁମୀମାନେ ସଂଘର୍ଷରୁ ସଫଳତା ହାସଲ କରିବାରେ ବିଶ୍ୱାସ କରନ୍ତି ଏବଂ ଆଜି କୃଷି ସହିତ ବାଣିଜ୍ୟ ଓ ଚାକିରି କ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ପ୍ରତିପାଦନ କରୁଛନ୍ତି। ସେହିପରି କୁଡୁମୀମାନଙ୍କୁ ଆଦିବାସୀ ତାଲିକାଭୁକ୍ତ କରିବା ଏବଂ କୁଡୁମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦୀର୍ଘ ଦିନରୁ ଚାଲିଆସୁଥିବା ଦାବି ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ପରିବେଶ ସୁରକ୍ଷାର ବାର୍ତ୍ତା 
ବାନ୍ଦନା ପରବ ଓ ଅନ୍ୟାନ୍ୟ ପାରମ୍ପରିକ ପର୍ବପର୍ବାଣୀର ମହତ୍ତ୍ୱ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋ-ଜାତି ପ୍ରତି ସମ୍ମାନ ଓ କୃତଜ୍ଞତା ଅର୍ପଣ ପାଇଁ ଆବାହମାନ କାଳରୁ ଗୋଠ ପୂଜା, ଗୁହାଳ ପୂଜା ଓ ଗୋରୁ ବାନ୍ଦନା ଆଦି ପାଳନ କରାଯାଇଆସୁଛି। ଏହା ସହିତ କରମ ପର୍ବ ମାଧ୍ୟମରେ କରମ ଗଛକୁ ପୂଜା କରି ଏହି ସମାଜ ସାରା ବିଶ୍ୱକୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଥିବା ବେଳେ ଟୁସୁଦେବୀଙ୍କ ବୀରତ୍ୱର ଗାଥା କୁଡୁମୀ ମହିଳା ଓ ଝିଅମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିଛି। 

WhatsApp Image 2026-11-13 at 16.48.42

କୁଡୁମୀ ଛାତ୍ରଛାତ୍ରୀଙ୍କ ସଫଳତା
ଶିକ୍ଷା କ୍ଷେତ୍ରରେ କୁଡୁମୀ ଛାତ୍ରଛାତ୍ରୀଙ୍କ ସଫଳତାକୁ ପ୍ରଶଂସା କରି ଶ୍ରୀ ମାଝୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ କେନ୍ଦୁଝରର ଦିଗରାଜ ମହାନ୍ତ, ତପନ କୁମାର ମହାନ୍ତ, କଟକର ଚନ୍ଦନ କୁମାର ମହାନ୍ତ ଏବଂ ଚଳିତ ବର୍ଷ ବାରିପଦାର ପାର୍ଥ ସାରଥୀ ମହାନ୍ତ ମେଟ୍ରିକ୍ ପରୀକ୍ଷାରେ ରାଜ୍ୟ ଟପ୍ପର ହୋଇଥିବା ବେଳେ ମୟୂରଭଞ୍ଜର ଝିଅ ସଞ୍ଜନା ମହାନ୍ତ ଯୁକ୍ତ ଦୁଇ ବିଜ୍ଞାନରେ ରାଜ୍ୟ ଟପ୍ପର ହୋଇ ସମଗ୍ର ଜାତିର ସୁନାମ ବଢ଼ାଇଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ’ ମନ୍ତ୍ରରେ ଉଦ୍‌ବୁଦ୍ଧ ହୋଇ ରାଜ୍ୟ ସରକାର ‘ସମାବେଶୀ ବିକାଶ’ ମଡେଲରେ କାର୍ଯ୍ୟ କରୁଛନ୍ତି। 

Bandana parab: ଜାତୀୟ ବାନ୍ଦନା-୨୦୨୬ ପାଇଁ ପ୍ରସ୍ତୁତି ସମାବେଶ

ବିକାଶ ନେଇ ମତ ରଖିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାର ପ୍ରତ୍ୟେକ ଜାତି, ସମ୍ପ୍ରଦାୟ ଓ ଅଞ୍ଚଳର ସମାନ ପ୍ରଗତି ହେଲେ ହିଁ ରାଜ୍ୟ ସମୃଦ୍ଧ ହୋଇପାରିବ ବୋଲି ମତଦେଇ କୁଡୁମୀ ସମାଜର କଳା ଓ ସଂସ୍କୃତିର ସୁରକ୍ଷା, ବିଭିନ୍ନ କୃଷକ କଲ୍ୟାଣ ଯୋଜନା ମାଧ୍ୟମରେ କୃଷକଙ୍କ ଜୀବନଜୀବିକାର ଉନ୍ନତି ଏବଂ ଗୋ-ସମ୍ପଦର ଅଭିବୃଦ୍ଧି ପାଇଁ ସରକାର ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.