ARTICLE AD BOX
ନୂଆଦିଲ୍ଲୀ: ମୁମ୍ବାଇରେ ଅଭିନେତା ଟାଇଗର ଶ୍ରଫ୍ଙ୍କ ଉପରେ ଗୁଳିମାଡ଼ ଘଟଣାରେ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ସେଲ୍ ଦୁଇଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସୂତ୍ର ଅନୁସାରେ, ଏହି ଚାରିଜଣ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ଜଡିତ ଏକ ମଡ୍ୟୁଲର ଅଂଶ ଥିଲେ ଓ ରବିବାର ସନ୍ଧ୍ୟାରେ ଅଭିନେତାଙ୍କ କାର୍ ଉପରେ ଗୁଳି ଚଳାଇଥିବା ଅଭିଯୁକ୍ତମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା।
ଗିରଫ ଅଭିଯୁକ୍ତମାନେ କୁନାଲ, ସୁମିତ୍, ରାଧା ଓ ବବିତା ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ୧୯ରୁ ୨୩ ମଧ୍ୟରେ ହେବ। କୁନାଲ ଓ ସୁମିତ୍ ହରିୟାଣାର ସୋନିପତ୍ର ହୋଇଥିବାବେଳେ ରାଧା ଓ ବବିତା ଉତ୍ତର ପ୍ରଦେଶର ବାସିନ୍ଦା । ତଦନ୍ତକାରୀଙ୍କ ଅନୁଯାୟୀ, ଅନ୍ୟ ଏକ ମାମଲାରେ ଜାମିନରେ ମୁକୁଳିଥିବା କୁନାଲ ଅଭିନେତାଙ୍କ ଉପରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଅନିଲ ପଣ୍ଡିତଙ୍କ ସହ ଯୋଗାଯୋଗରେ ଥିଲେ। ପଣ୍ଡିତ ଆମେରିକାରୁ ଗ୍ୟାଙ୍ଗର କାର୍ଯ୍ୟକଳାପ ପରିଚାଳନା କରୁଥିବାବେଳେ ଏକ ଅଡିଓ ବାର୍ତ୍ତାରେ ଟାଇଗରଙ୍କ ଉପରେ ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛନ୍ତି।
ସମ୍ପୂର୍ଣ୍ଣ ମଡ୍ୟୁଲର ପର୍ଦ୍ଦାଫାସ ଦାବି
ସୂତ୍ର ଅନୁଯାୟୀ, ରାଧା ଓ ବବିତା କୁନାଲଙ୍କ ନିର୍ଦ୍ଦେଶରେ ଆକ୍ରମଣରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ମୁମ୍ବାଇ ନେଇଥିଲେ ଓ ଅଭିଯୁକ୍ତମାନଙ୍କୁ ହସ୍ତାନ୍ତର କରିଥିଲେ। ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ସେଲ୍ ଦ୍ୱାରା ଏହି ଚାରି ଜଣଙ୍କୁ ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ଏହି ଗିରଫଦାରୀ ସହିତ ତଦନ୍ତକାରୀମାନେ ଗୁଳିକାଣ୍ଡ ଘଟଣାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଯୋଗାଣରେ ସମ୍ପୃକ୍ତ ସମ୍ପୂର୍ଣ୍ଣ ମଡ୍ୟୁଲର ପର୍ଦ୍ଦାଫାସ କରିଛି ବୋଲି ଦାବି କରିଛନ୍ତି। ତଦନ୍ତକାରଙ୍କ ତଥ୍ୟ ଅନୁଯାୟୀ, କୁନାଲ ଜେଲରୁ ବାହାରିବା ପରେ ହରିୟାଣାର ହର୍ଷସାଣାର ଜଣେ ବନ୍ଧୁଙ୍କ ମାଧ୍ୟମରେ ଅନିଲ ପଣ୍ଠିତ ସହିତ ଯୋଗାଯୋଗରେ ଆସିଥିଲେ। ପଣ୍ଡିତ କଥାରେ କୁନାଲ ଅମୃତସର୍ରୁ ଗୋଟିଏ ପିସ୍ତଲ ଓ ୨୦ଟି କ୍ୟାଟ୍ରିଜ୍ ନେଇଥିଲା। ଦୁଇ ମାସ ତଳେ କୁନାଲ ରାଧାକୁ ଭେଟି ତା’ର କାର୍ଯ୍ୟକାଳପ ସମ୍ପର୍କରେ ଜଣାଇବା ସହିତ ମୁମ୍ବାଇକୁ ଅସ୍ତ୍ରଶସ୍ତ୍ର ନେଇ ଯିବାକୁ ରାଜି କରାଯାଇଥିଲା।
ଦୁଇ ମହିଳାଙ୍କ ସହିତ ଯୋଗାଯୋଗ
ଗୁଳିକାଣ୍ଡର ତିନି ଦିନ ପୂର୍ବରୁ ଅକ୍ଟୋବର ୧୫ ତାରିଖରେ, କୁନାଲ ରାଧା ଓ ବବିତାଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଛାଡ଼ି ଥିଲା। ପିସ୍ତଲଟି ରାଧାର ବ୍ୟାଗ ଭିତରେ ଲୁଚାଇ ରଖାଯାଇଥିଲା। ଯାତ୍ରା ସମୟରେ କୁନାଲ ଏକ ଏନକ୍ରିପ୍ଟେଡ୍ ମେସେଜିଂ ଆପ୍ ମାଧ୍ୟମରେ ଦୁଇ ମହିଳାଙ୍କ ସହିତ ଯୋଗାଯୋଗରେ ରହିଥିଲା ଓ ପଣ୍ଡିତଙ୍କଠାରୁ ନିର୍ଦ୍ଦେଶ ପଠାଇଥିଲେ।
ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ଅକ୍ଟୋବର ୧୭ ତାରିଖରେ ଦୁଇ ମହିଳା ଦାଦର ଷ୍ଟେସନରେ ପହଞ୍ଚି ଏକ ହୋଟେଲରେ ରହିଥିଲେ। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଜଣେ ନାବାଳକ ରାଧାଙ୍କଠାରୁ ବ୍ୟାଗ ଆଣିବା ପାଇଁ ହୋଟେଲ ନିକଟରେ ପହଞ୍ଚିଥିଲା। ଅକ୍ଟୋବର ୧୮ ତାରିଖରେ ତିନି ଅଭିଯୁକ୍ତ - ହ୍ରିତିକ୍, ରେହାନ ଓ ଫୁଲ ସିଂହ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଟାଇଗର ଶ୍ରଫ୍ଙ୍କ ଉପରେ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି।
ଏହି ଘଟଣା ପରେ ପଣ୍ଡିତ କୁନାଲଙ୍କୁ ଗୁଳି ଚଳାଇଥିବା ଲୋକମାନେ ମୁମ୍ବାଇରେ ଫସି ରହିଥିବା ଓ ସହରରୁ ସେମାନଙ୍କ ପ୍ରସ୍ଥାନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲା। ସେହି ଦିନ ରାଧା ଓ ବବିତା ଦିଲ୍ଲୀ ଫେରିବା ପାଇଁ ଦାଦରରୁ ହରିଦ୍ୱାର ଏକ୍ସପ୍ରେସରେ ଚଢ଼ିଥିଲେ। ଅକ୍ଟୋବର ୨୦ ତାରିଖରେ ସେମାନଙ୍କୁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଗିରଫ କରାଯାଇଥିଲା। କୁନାଲ ଓ ସୁମିତଙ୍କୁ ହରିୟାଣାର ସୋନିପତରୁ ଗିରଫ କରାଯାଇଥିଲା। ପରଦିନ ରାଜସ୍ଥାନର କୋଟାରେ ଏକ ଟ୍ରେନ୍ରୁ ହ୍ରିତିକ, ରେହାନ ଓ ଫୁଲ ସିଂହ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା।

6 days ago
5


