ARTICLE AD BOX
ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଚଳିତ ବର୍ଷର ବନ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ ଏବଂ କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି ଯେ ଚଳିତବର୍ଷ ରାଜ୍ୟରେ ୧୨ଟି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ୬ଟି ଅବପାତର ରୂପ ନେଇଥିଲା। ଏହା ପ୍ରଭାବରେ ରାଜ୍ୟର ପ୍ରାୟ ୨୮ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପ୍ରାୟ ସମସ୍ତ ଜିଲ୍ଲା ଉଣା ଅଧିକେ ପ୍ରଭାବିତ ହୋଇଛି। ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ କ୍ଷତିପୂରଣ ଆକାରରେ ୧୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। କ୍ଷତିଗ୍ରସ୍ତ ଚାଷଜମି, ଫସଲ, ବାସଗୃହ, ବାସନକୁସନ, ଡଙ୍ଗା, ମାଛଧରା ଜାଲ ଆଦି ପାଇଁ କ୍ଷତିପୂରଣ ପ୍ରଦାନ କରାଯାଇଛି l
Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
ରିଲିଫ୍ କ୍ୟାମ୍ପ ପରିଚାଳନା, ବାସଗୃହ ମରାମତି, କୃଷି ରିହାତି ଏବଂ ଅନ୍ୟାନ୍ୟ କ୍ଷତିପୂରଣ ବାବଦକୁ ଏସ୍ଆର୍ସିଙ୍କ ପକ୍ଷରୁ ୨୮୮ କୋଟି ୭୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଅକ୍ଟୋବର ୧୦ତାରିଖ ସୁଦ୍ଧା ସମସ୍ତ ପ୍ରଭାବିତଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ପ୍ରାୟ ସମସ୍ତ ଜିଲ୍ଲାରେ କ୍ଷତିପୂରଣ ପ୍ରଦାନ କରାଯାଇଛି। କିନ୍ତୁ କେତେକ ସ୍ଥାନରେ ପ୍ରଭାବିତଙ୍କୁ କ୍ଷତିପୂରଣ ମିଳିନି। ତେଣୁ ସମସ୍ତଙ୍କୁ ୭୨ଘଣ୍ଟା ମଧ୍ୟରେ ବଳକା କ୍ଷତିପୂରଣ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଏବଂ ଅନ୍ୟାନ୍ୟ ପ୍ରଭାବିତ ବିଭାଗମାନଙ୍କୁ ମଧ୍ୟ ବିଭିନ୍ନ ମରାମତି କାର୍ଯ୍ୟ ନିମନ୍ତେ ଆବଶ୍ୟକ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ବିଭାଗ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଛନ୍ତି l ଆଗାମୀ ଦିନରେ ଲଗାଣ ବୃଷ୍ଟିପାତଜନିତ ପ୍ରଭାବ ତଥା ସହରାଞ୍ଚଳ ବନ୍ୟା ପରିସ୍ଥିତିକୁ ହ୍ରାସ କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ନେଇ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ କୁମାର ପାଢ଼ୀ, ଏସ୍ଆର୍ସି ରାଜେଶ ପ୍ରଭାକର ପାଟିଲ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍.ଏନ୍., ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ଉପସ୍ଥିତ ଥିଲେ। ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।

1 week ago
3


