ARTICLE AD BOX
ଯାଜପୁର (ଅନୁଜ ଦାସ): ବନ୍ୟା ଆସିଲେ କେବଳ ଘରଦ୍ୱାର ନୁହେଁ, ଜୀବନର ସମ୍ପୂର୍ଣ୍ଣ ଚିତ୍ର ବଦଳି ଯାଇଥାଏ। ଚାରିଆଡ଼େ କେବଳ ପାଣି ହିଁ ଦେଖାଯାଏ। ରାସ୍ତାଘାଟ ବୁଡ଼ିଯାଇଥାଏ। ଯାତାୟାତ ବି ବନ୍ଦ ହୋଇଯାଏ। ଜୀବନ ଟା ଯେମିତି ଏକ ଅଦୃଶ୍ୟ ଦଉଡ଼ିରେ ଅଟକିଯାଏ। ହେଲେ ଏହି ବନ୍ୟାର ଯନ୍ତ୍ରଣା ସମସ୍ତଙ୍କ ପାଇଁ ସମାନ ନୁହେଁ। ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦୁର୍ଦ୍ଦଶା ଆହୁରି ଗଭୀର ହୋଇଯାଏ। ବିଶେଷକରି ଶୌଚ ଭଳି ଏକ ମୌଳିକ ଆବଶ୍ୟକତା ପୂରଣ କରିବା ମଧ୍ୟ ବନ୍ୟା ସମୟରେ ସେମାନଙ୍କ ପାଇଁ ବଡ଼ ସମସ୍ୟା ପାଲଟି ଥାଏ। ଉତ୍ତର ଓଡ଼ିଶାରେ ବିଗତ ଦିନରେ ହୋଇଥିବା ବନ୍ୟା ଯୋଗୁଁ ଏଭଳି ଅସୁବିଧା ଦେଖାଯାଇଛି। ଯାଜପୁର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ଲକ୍ଷଲକ୍ଷ ଲୋକ ବନ୍ୟାପାଣିରେ ପ୍ରଭାବିତ ହୋଇଛନ୍ତି।
ଦିନରେ ସମୟ କଟିଯାଉଛି। ହେଲେ ସୂର୍ଯ୍ୟ ଅସ୍ତ ହେଲେ ବଢ଼ିଯାଉଛି ଭୟ। ଅନ୍ଧାରରେ ପାଣି ଭିତରେ ପାଦ ପକାଇବାକୁ ଡର। କେଉଁଠି ସାପ ଲୁଚିଛି, କେଉଁଠି ଜୋକ ଲାଗିବ ତାହାର ଠିକଣା ନାହିଁ। ଏହି ଭୟରେ ଅନେକ ମହିଳା ରାତିରେ ଘରୁ ବାହାରୁନାହାନ୍ତି। ଶୌଚ ଯିବାର ଭୟରେ ଖାଦ୍ୟ ଓ ପାଣିର ପରିମାଣ କମାଇ ଦେଉଛନ୍ତି। କିଏ କିଏ ତ ରାତିସାରା ଓପାସରେ ରହିବାକୁ ବାଧ୍ୟ ହେଉଛନ୍ତି।
/filters:format(webp)/sambad/media/media_files/2026/08/20/whatsapp-image-2026-08-20-17-46-40.jpeg)
ପେଟରେ ଭୋକ, କିନ୍ତୁ ଖାଇବାକୁ ଭୟ। ଶରୀରରେ ଯନ୍ତ୍ରଣା, କିନ୍ତୁ ବାହାରିବାକୁ ଭୟ। ଚାରିଆଡ଼େ ପାଣି, କିନ୍ତୁ ଶୌଚ ପାଇଁ ଖଣ୍ଡେ ସୁରକ୍ଷିତ ସ୍ଥାନ ନାହିଁ। ବନ୍ୟାର ଏହି ନୀରବ ଯନ୍ତ୍ରଣା କାହାଣୀ କହିଛନ୍ତି ଯାଜପୁରର ବନ୍ୟା ପ୍ରପୀଡ଼ିତ ମହିଳାମାନେ।
ଯାଜପୁର ଜିଲ୍ଲାର ସୁନୀତାଙ୍କ ପାଇଁ ବନ୍ୟା ମାନେ କେବଳ ଘରେ ପାଣି ପଶିବା ନୁହେଁ। ରାତି ହେଲେ ଆରମ୍ଭ ହେଉଛି ଆଉ ଏକ ଲଢ଼େଇ। ସେହିପରି ସୁଜାତା ମଲ୍ଲିକଙ୍କ ଭଳି ଅନେକ ମହିଳାଙ୍କ ମୁହଁରେ ଦେଖିବାକୁ ମିଳୁଛି ଅସହାୟତାର ଛାପ। ଘର ଭିତରେ ରହିଲେ ଶରୀରର ଆବଶ୍ୟକତା, ଘର ବାହାରକୁ ବାହାରିଲେ ସାପ-ଜୋକର ଭୟ। ଦୁଇଟି ବିପଦ ମଝିରେ ଫସିଯାଇଛି ସେମାନଙ୍କ ଜୀବନ। ବନ୍ୟା ଦିନେ ଦିନେ କମିଯିବ। ପାଣି ଛାଡ଼ିଯିବ। ରାସ୍ତା ଶୁଖିଯିବ। ଘରଦ୍ୱାର ସଫା ହେବ। ଜୀବନ ପୁଣି ଧୀରେ ଧୀରେ ସ୍ୱାଭାବିକ ହୋଇଯିବ। କିନ୍ତୁ ବନ୍ୟା ସମୟରେ ଜଣେ ମହିଳା ଯେଉଁ ମାନସିକ ଯନ୍ତ୍ରଣା ଓ ଅସହାୟତା ଭୋଗୁଛନ୍ତି ତାହାର ଭରଣା କରିବା ମୁସ୍କିଲ।
Flood In Jajpur: ଯାଜପୁର ଜିଲ୍ଲାରେ ବନ୍ୟା; ରିଲିଫ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ
ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅସ୍ଥାୟୀ ମୋବାଇଲ ଶୌଚାଳୟ ବ୍ୟବସ୍ଥା କରିବାକୁ ଦାବି ଉଠିଛି। ଉଦ୍ଧାର କାର୍ଯ୍ୟ, ରିଲିଫ୍ ଓ ରନ୍ଧା ଖାଦ୍ୟ ଯେତିକି ଜରୁରୀ, ମହିଳାଙ୍କ ପାଇଁ ସୁରକ୍ଷିତ ଶୌଚାଳୟ ମଧ୍ୟ ସେତିକି ଜରୁରୀ ବୋଲି କହିଛନ୍ତି ସ୍ୱେଚ୍ଛାସେବୀ ଓ ବନ୍ୟା ପ୍ରଭାବିତ ଲୋକେ। ବିପର୍ଯ୍ୟୟ ସମୟରେ କେବଳ ଲୋକଙ୍କୁ ବଞ୍ଚାଇଦେବା ଯଥେଷ୍ଟ ନୁହେଁ। ବଞ୍ଚି ରହିଥିବା ଲୋକଙ୍କୁ ସମ୍ମାନ, ସୁରକ୍ଷା ଓ ମର୍ଯ୍ୟାଦାର ସହ ବଞ୍ଚିବାର ସୁଯୋଗ ଦେବା ମଧ୍ୟ ସମାନ ଭାବେ ଜରୁରୀ ବୋଲି ଅନେକ ମତ ଦେଇଛନ୍ତି।

1 week ago
4


