ARTICLE AD BOX
ବିଜୟ ନାୟକ
କେବଳ ଭାରତୀୟ ଚିନ୍ତା-ଚେତନାରେ ନୁହେଁ, ପୃଥିବୀର ପ୍ରାୟ ପ୍ରତ୍ୟେକ ପ୍ରାଚୀନ ସଭ୍ୟତାର ଧ୍ୟାନଧାରଣାରେ ‘ଦେବତା’ର ପରିକଳ୍ପନା ପରିଲକ୍ଷିତ ହୁଏ। ତେବେ ସେହି ଦେବତା କିଏ? ଦେବତା ବିଷୟରେ ବିପୁଳ ମତମତାନ୍ତର ଥିଲେ ମଧ୍ୟ ସୂକ୍ଷ୍ମ ସହମତିଟିଏ ବିଦ୍ୟମାନ। ଯାହା ମଣିଷ କରି ନପାରେ, ତାହା କିଏ ଆଉ କରିପାରେ ଦେବତା ବ୍ୟତିରେକେ? ଅର୍ଥାତ୍ ରୂପଗୁଣ, ଶକ୍ତିସାମର୍ଥ୍ୟ ଓ ଜ୍ଞାନଗରିମାରେ ମଣିଷଠାରୁ ମହତ୍ତର ଏକ ଗୋଷ୍ଠୀ ତାହା ବାସ୍ତବ ହେଉ କି କାଳ୍ପନିକ, ଦେବତା ପଦବାଚ୍ୟ ନିଶ୍ଚୟ। ଆମ ଶବ୍ଦକୋଷରେ ଦେବତାର ଅନ୍ୟ ନାମ ଅମର। ଯାହାର ମୃତ୍ୟୁ ନାହିଁ, ଯାହା ଠାରେ ରହିଛି ଅକଳ୍ପନୀୟ ପାରଙ୍ଗମତା- ସେ ହିଁ ଦେବତା।
Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍ ସହାୟତା ଗ୍ରହଣ କରିବ
ହିନ୍ଦୁ ପୁରାଣଶାସ୍ତ୍ରରେ ଦେବାସୁର ଯୁଦ୍ଧ ବିଷୟରେ ଅନେକତ୍ର ବର୍ଣ୍ଣନା ରହିଛି। ଅସୁରମାନେ ମଧ୍ୟ ବେଶ୍ ଶକ୍ତିଶାଳୀ କିନ୍ତୁ ସେମାନେ ଦେବତାମାନଙ୍କର ସମକକ୍ଷ ନୁହଁନ୍ତି। ଦେବତାମାନେ ହିଁ ଅପରାଜେୟ। ସେମାନେ ମାରାତ୍ମକ ଅସ୍ତ୍ରଶସ୍ତ୍ରର ମଧ୍ୟ ଅଧିକାରୀ। ବ୍ରହ୍ମାସ୍ତ୍ର, ଆଗ୍ନେୟାସ୍ତ୍ର, ବରୁଣାସ୍ତ୍ର ଆଦି ନାନା ଅସ୍ତ୍ରଶସ୍ତ୍ର ବିଷୟରେ ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ ରହିଛି। କିନ୍ତୁ ଅସ୍ତ୍ରଶସ୍ତ୍ର ତ ବାହ୍ୟଶକ୍ତି। ଦେବତାମାନଙ୍କର ଅମିତ ଅନ୍ତଃଶକ୍ତି ମଧ୍ୟ ଥିଲା। ବୀର ହନୁମାନ ବିଶଲ୍ୟକରଣୀ ଚିହ୍ନିବାରେ ଅସମର୍ଥ ହୋଇ ଗନ୍ଧମାର୍ଦ୍ଦନ ପର୍ବତର ମୂଳୋତ୍ପାଟନ କରି ତାକୁ ସହଜରେ ବହନ କରିଥିବା କାହାଣୀ ସହିତ ସମସ୍ତେ ପରିଚିତ। ପରିଚିତ ଶ୍ରୀରାମଚନ୍ଦ୍ରଙ୍କ ଶିବଧନୁ ଭାଙ୍ଗିବାର କ୍ଷମତା ଏବଂ ଶ୍ରୀକୃଷ୍ଣଙ୍କ ଚକ୍ରଚାଳନାର ପାରଦର୍ଶିତା ସମ୍ପର୍କିତ ଉପାଖ୍ୟାନ ସହିତ। ସୁତରାଂ ଅଲୌକିକତା ହିଁ ଦୈବୀଗୁଣ।
ମାନବଜାତିର ଇତିହାସ ଅଗ୍ରଗତି ଓ ଉତ୍ତରଣର ମହାଗାଥା। ମଣିଷ ସବୁବେଳେ ଉନ୍ନତି ପଥରେ ଅଗ୍ରସର ହୋଇଆସିଛି। ଯାଯାବର ମଣିଷ ନଦୀ ଉପତ୍ୟକାରେ ସ୍ଥାୟୀ ବସତି ସ୍ଥାପନ କରିଛି। କୃଷିଭିତ୍ତିକ ସାମ୍ରାଜ୍ୟରୁ ପୁଣି ଶିଳ୍ପ ସମୃଦ୍ଧ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନଟନ ଓ ବ୍ୟାଧିଗ୍ରସ୍ତ ଜୀବନରୁ ମୁକ୍ତି ଲାଭ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଛି ମଧ୍ୟ। ବିଜ୍ଞାନର ବରଦାନ ବଳରେ ସ୍ୱଚ୍ଛଳ, ସ୍ୱଚ୍ଛନ୍ଦ ଓ ନିରୋଗ ଜୀବନଯାପନ କରିବାକୁ ସକ୍ଷମ ହୋଇଛି। ଏକବିଂଶ ଶତାବ୍ଦୀରେ ମଣିଷ ଅମରତ୍ୱର ନିକଟବର୍ତ୍ତୀ ହୋଇପାରିଛି। ତା’ର ପରବର୍ତ୍ତୀ ଅଭୀପ୍ସା ଯଦି ଦେବତ୍ୱ (ଏଠାରେ ‘ଦେବତ୍ୱ’ ସର୍ବଶକ୍ତିମାନ ଅର୍ଥରେ ବ୍ୟବହୃତ) ଲାଭ କରିବା ହୁଏ, ଏଥିରେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ।
ତେବେ ବିଜ୍ଞାନ ମଣିଷକୁ କେଉଁ ମନ୍ତ୍ର ଦେଇଛି, ଯାହା ବଳରେ ସେ ଜୀବନର ସବୁ ସୀମା ସରହଦକୁ ଲଙ୍ଘି ଯାଇପାରିବ? ମାନବଜାତି ତା’ର ଅସ୍ତିତ୍ୱ ଆରମ୍ଭରୁ ଢେଲାପଥର, ବର୍ଚ୍ଛାତୀର, ଖଡ୍ଗକୃପାଣ ଓ ପରବର୍ତ୍ତୀ ସମୟରେ ଗୋଳାବାରୁଦର ଉଦ୍ଭାବନ ଓ ବ୍ୟବହାର କରିପାରୁଥିଲେ। ଗତ ଶତାବ୍ଦୀଠାରୁ ନାନା କ୍ଷେପଣାସ୍ତ୍ରରେ ସେ ବଳୀୟାନ। ପରମାଣୁ ବୋମାର ଆବିଷ୍କାର ଓ ପ୍ରୟୋଗ ମଣିଷର ସର୍ବୋତ୍ତମ ସମର-ସମ୍ପତ୍ତି। ଅସ୍ତ୍ରଶସ୍ତ୍ର ବ୍ୟତୀତ ଜଳ, ସ୍ଥଳ, ବନ, ଗିରି, ଆକାଶ- ସବୁର ସେ ସର୍ବେସର୍ବା। ସେ ପୁଣି ଚନ୍ଦ୍ରବିଜୟୀ, ମଙ୍ଗଳ ଅନ୍ୱେଷଣରେ ଅଗ୍ରଣୀ। ଏହାର ମର୍ମ ଏହି ଯେ ମଣିଷ ତ୍ରିଭୁବନର ଏକଛତ୍ର ଅଧୀଶ୍ୱର।
କିନ୍ତୁ ଏକବିଂଶ ଶତାବ୍ଦୀରେ ମଣିଷ ଏକ ଅଦ୍ଭୁତ ଶକ୍ତି ପ୍ରାପ୍ତିର ଦ୍ରୁତ ଅଗ୍ରଗତି ପଥରେ ଯାତ୍ରୀ। ତାହା ହେଉଛି ସ୍ୱାଭାବିକ ପ୍ରକ୍ରିୟା ମାଧ୍ୟମରେ ନୁହେଁ, ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରୟୋଗ ଜରିଆରେ ନିଜକୁ ବିବର୍ତ୍ତିତ କରିବାର ଅଭୂତପୂର୍ବ ଦକ୍ଷତା। ମଣିଷ ଅଧୁନା ନିଜ ଇଚ୍ଛାମତେ ନିଜର ଦୈହିକ ଓ ବୌଦ୍ଧିକ ବିବର୍ତ୍ତନ କରିବାକୁ ସକ୍ଷମ। ଚନ୍ଦ୍ରବିଜୟ ଓ ପରମାଣୁ ବୋମା- ଏ ଦୁଇଟି ଯଦି ବିଂଶ ଶତାବ୍ଦୀର ବୈଜ୍ଞାନିକ ବିସ୍ମୟ, ଏକବିଂଶ ଶତାବ୍ଦୀର ଦୁଇ ବିସ୍ମୟକର କୃତିର ନାମ ନିଶ୍ଚୟ ଏ.ଆଇ. ଏବଂ ବାୟୋ ଇଞ୍ଜିନିଅରିଂ। ବାୟୋ ଇଞ୍ଜିନିୟରିଂ ମାଧ୍ୟମରେ ମଣିଷ ତା’ ଶରୀରର ଅଙ୍ଗପ୍ରତ୍ୟଙ୍ଗର ପରିବର୍ତ୍ତନ କରିପାରିବ। ଅଣ୍ଡିରା ଗୋଶାବକକୁ ବଳଦରେ ପରିଣତ କରିବା ଏବଂ ସୁଲତାନମାନଙ୍କ ରାଣୀହଂସପୁରରେ ନପୁଂସକ କରାଯାଇଥିବା ଜଗୁଆଳୀ ନିଯୁକ୍ତ କରିବା ଏକ ପୁରୁଣା ଉପଲବ୍ଧି। ଏହି କାର୍ଯ୍ୟ ବ୍ୟାପକ ଓ ସଫଳ ଭାବରେ କରାଯାଇ ମଣିଷ ଶରୀରକୁ ନୂଆ ରୂପ ଓ ଅପ୍ରମିତ ଶକ୍ତି ପ୍ରଦାନ କରାଯିବା ବିଜ୍ଞାନର ଯୋଜନା। ସଶକ୍ତ ବା ସକ୍ରିୟ ଆଖି, କାନ, ଗୋଡ଼, ହାତ କେବଳ ନୁହେଁ, ନୂଆ ମସ୍ତିଷ୍କ ମଧ୍ୟ ମଣିଷ ଶରୀରରେ ଯୋଡ଼ିବା ଅସମ୍ଭବ ନୁହେଁ। ସାଇବର୍ଗ ଇଞ୍ଜିନିୟରିଂ ମାଧ୍ୟମରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗର ପ୍ରସ୍ତୁତି ଓ ପ୍ରତିରୋପଣ ସମ୍ଭବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ମାନବସୁଲଭ ଅଙ୍ଗପ୍ରତ୍ୟଙ୍ଗ ମାଧ୍ୟମରେ ମେସିନ୍କୁ ମଣିଷ ପରି ସକ୍ରିୟ ଓ ଜୀବନ୍ତ କରିବା। କମ୍ପ୍ୟୁଟରରେ ବୁଦ୍ଧିର ଶକ୍ତିବୃଦ୍ଧି ହୋଇଗଲେ, ମଣିଷ ପୁରାଣର ଦେବତାମାନଙ୍କ ପରି ଅସମ୍ଭବକୁ ସମ୍ଭବ କରିପାରିବ। ଏ.ଆଇ. ବା କୃତ୍ରିମ ବୁଦ୍ଧିମତ୍ତା ଏହାର ସଦ୍ୟତମ ଦୃଷ୍ଟାନ୍ତ।
Horoscope 2026 August 29: ଜାଣନ୍ତୁ ଆଜିର ରାଶିଫଳ...
କିନ୍ତୁ ଏ କ୍ଷେତ୍ରରେ ମାନବ ସମାଜ ପ୍ରତି ପ୍ରତିକୂଳ ପରିଣତିର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ। ଏହି ପ୍ରସଙ୍ଗରେ ମ୍ୟାରି ସେଲିଙ୍କ ‘ଫ୍ରାଙ୍କେନ୍ଷ୍ଟାଇନ’ ଉପନ୍ୟାସ ଏକ ଉଦାହରଣ। ଏହି ଉପନ୍ୟାସର କାହାଣୀ ପରି ବୈଜ୍ଞାନିକମାନେ ଅତିମାନବ ବା ଦେବତା ଗଢ଼ୁ ଗଢ଼ୁ ଦୈତ୍ୟ ଗଢ଼ିଦେବା ବିଚିତ୍ର ନୁହେଁ। ଦୈତ୍ୟ ସୃଷ୍ଟିନାଶର ହେତୁ ହୋଇପାରେ। ଅତି ଶକ୍ତିଶାଳୀ ମାନବ ସଂଗୋଷ୍ଠୀ ବା ଦେବ ସଂଗୋଷ୍ଠୀ ଧରାକୁ ସରା ମଣିବ ନାହିଁ କି? ଚରାଚର ବିନାଶର କାରକ ହେବ ନାହିଁ କି? ଏମନ୍ତ ସଂଗୋଷ୍ଠୀର ସର୍ଜନା ହେବ ଆଧୁନିକ ବିଜ୍ଞାନର ଅବିମୃଶ୍ୟକାରିତା। ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଉଚ୍ଚାକାଂକ୍ଷା ଉହାଡ଼ରେ ଅନ୍ୟ ଏକ ତିମିରାଚ୍ଛନ୍ନ ଦିଗ ମଧ୍ୟ ରହିଛି। ବିଜ୍ଞାନ ହୃତ୍ପିଣ୍ଡ ସଂରଚନା କରିପାରିବ, ହେଲେ ଗୋଟେ ହୃଦୟ ତିଆରି କରିପାରିବ କି? ହୃଦୟ ବିନା ସୁକୁମାରପଣ, ସମ୍ବେଦନଶୀଳତା ଓ ଭାବପ୍ରବଣତା କାହିଁ? ପ୍ରବଣତା ନାହିଁ ତ ଜୀବନ ନାହିଁ। ନୂଆ ସଂଗୋଷ୍ଠୀ ଶକ୍ତିମାନ୍ ହେବ ସିନା ହୃଦୟବାନ୍ ହୋଇପାରିବ କି? ଭାରତୀୟ ମହାମନୀଷାରେ ତେଣୁ ‘ଦେବତ୍ୱ’ ଉପରେ ନୁହେଁ, ‘ଦିବ୍ୟତ୍ୱ’ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି। ବିଜ୍ଞାନ କିନ୍ତୁ ‘ଦେବତ୍ୱ’ ଓ ‘ଦିବ୍ୟତ୍ୱ’ ମଧ୍ୟରେ ପାର୍ଥକ୍ୟ ବୁଝେନା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୧୪୩୮୯୬

1 hour ago
1


