ARTICLE AD BOX
ବାଲିପଦା: ମୟୂରଭଞ୍ଜ ଜିଲ୍ଲାର ମାଟିତଳେ ସୁନା ଓ ତମ୍ବା ଭଳି ମୂଲ୍ୟବାନ ଖଣିଜ ସମ୍ପଦ ରହିଛି। ଏହାର ସନ୍ଧାନ ପାଇଁ ବହୁବର୍ଷ ଧରି ସର୍ଭେ ଚାଲିଥିଲେ ମଧ୍ୟ ଖଣିଗୁଡ଼ିକର ନିଲାମ ପ୍ରକ୍ରିୟା ଆଗେଇ ପାରୁନାହିଁ। ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ରଖିଥିବା ଉତ୍ତର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଖଣିଜ ସମ୍ପଦର ସର୍ଭେ ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଜିଏସ୍ଆଇ) ପକ୍ଷରୁ କରାଯାଇଛି। କିଛି ସ୍ଥାନରେ ତମ୍ବା ଓ ସୁନା ସହ ଅନ୍ୟ ଖଣିଜ ପଦାର୍ଥ ଏକାଠି ଥିବାରୁ ସେଗୁଡ଼ିକୁ ମିଶାଇ ନିଲାମ ପ୍ରକ୍ରିୟାରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଜିଏସ୍ଆଇର ସର୍ଭେ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ତିନୋଟି ସ୍ଥାନରେ ତମ୍ବା ଓ ଗୋଟିଏ ସ୍ଥାନରେ ସୁନାର ସନ୍ଧାନ ମିଳିଛି। କୁଳିଅଣା ବ୍ଲକ୍ର ମଦନାସାହି-କାଞ୍ଜିଆ ଅଞ୍ଚଳରେ ସୁନା ସହ ତମ୍ବା ଗଚ୍ଛିତ ରହିଛି। ଏଠାରେ ୧୭.୦୬ ନିୟୁତ ଟନ୍ ତମ୍ବା ଥିବାବେଳେ ସୁନାର ପରିମାଣ ୧୪.୬୨୭୩ କିଲୋଗ୍ରାମ୍ ବୋଲି ଉଲ୍ଲେଖ କରାଯାଇଛି।
Cyclone: ବଙ୍ଗୋପସାଗରରେ ବାରମ୍ବାର କାହିଁକି ସୃଷ୍ଟି ହୁଏ ଶକ୍ତିଶାଳୀ ବାତ୍ୟା
ସେହିପରି କେଶରପୁରରେ ୧୬.୬୭ ନିୟୁତ ଟନ୍ ଏବଂ ନୟା-ଦୁଧିଆଶୋଳାରେ ୪.୦୪ ନିୟୁତ ଟନ୍ ତମ୍ବା ରହିଥିବା ଜଣାପଡ଼ିଛି। ଏଠାରେ ସୁନାର ପରିମାଣ କମ୍ ଥିବା ଦର୍ଶାଇ ଖଣି କାର୍ଯ୍ୟ ଆଗକୁ ନିଆଯାଉନାହିଁ। ଏପରି କି ଖଣିଗୁଡ଼ିକର ନିଲାମ ପ୍ରକ୍ରିୟା କେଉଁ ସ୍ଥିତିରେ ଅଛି, ତାହା ମଧ୍ୟ ସ୍ପଷ୍ଟ ହେଉନି। ଅନ୍ୟପକ୍ଷରେ, ବିଭିନ୍ନ ସମୟରେ ବୁଡ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ବାଲିରୁ ସଂଗ୍ରହ କରାଯାଉଥିବା ନମୁନାରେ ଅଧିକ ପରିମାଣର ସୁନା ଥିବା ସ୍ଥାନୀୟ ଲୋକେ ଦାବି କରୁଛନ୍ତି। ଉଲ୍ଲେଖ ଥାଉ କି ବାରିପଦା ନିକଟ କେଶରପୁରରେ ତମ୍ବା ଓ ଅନ୍ୟ ଖଣିଜ ପଦାର୍ଥର ସନ୍ଧାନ ପାଇଁ ୧୯୬୯ ମସିହାରେ ଜିଏସ୍ଆଇ ପକ୍ଷରୁ ସର୍ଭେ ଆରମ୍ଭ ହୋଇଥିଲା। ଯାହା ୧୯୭୭ ମସିହା ପର୍ଯ୍ୟନ୍ତ ଚାଲିଥିଲା। ସେତେବେଳେ ଏଠାରୁ ମୁଖ୍ୟତଃ ତମ୍ବା ମିଳୁଥିଲା। ୧୯୭୭-୭୮ରୁ ୧୯୮୫ ମସିହା ପର୍ଯ୍ୟନ୍ତ ଏମ୍ଏସିଏଲ୍ ପକ୍ଷରୁ ତମ୍ବା ପଥର ଉତ୍ତୋଳନ କରାଯାଉଥିଲା। ସଂପୃକ୍ତ ଅଞ୍ଚଳରେ ତମ୍ବା ସହ ସୁନା ମଧ୍ୟ ରହିଥିବା ଜଣାପଡ଼ିଥିଲା। ବାଙ୍ଗିରିପୋଷି ଅଞ୍ଚଳର ନାଫ୍ରି ଓ କଲମପୁର ଆଦି ସ୍ଥାନରେ ଅନ୍ୟ ଖଣିଜ ସମ୍ପଦ; ଏପରି କି କେତେକ ସ୍ଥାନରେ ୟୁରାନିୟମ୍ର ସନ୍ଧାନ ମିଳିଥିଲା। ମୟୂରଭଞ୍ଜର ମାଟି ତଳେ ଅନେକ ଖଣିଜ ସମ୍ପଦ ରହିଛି। ଯାହାର ଉପଯୋଗ ନେଇ ସରକାର ଗୁରୁତ୍ୱ ଦେବା ଉଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
Foreign exchange: ଟଙ୍କା ପାଇଁ ଅତ୍ୟଧିକ ବିଦେଶୀ ମୁଦ୍ରା ଖର୍ଚ୍ଚ କରନି: ରାଜନ

41 minutes ago
3


