ARTICLE AD BOX
ମୁମ୍ବାଇ:ମହାରାଷ୍ଟ୍ରରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ମିଳିତ ଭାବରେ ରବିବାର ମୁମ୍ବାଇରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଇଛନ୍ତି। ପ୍ରତିବାଦ ସମୟରେ ଦୁଇ ଠାକରେ ଭାଇ ପୁଣି ଥରେ ନିର୍ବାଚନ ପ୍ରକ୍ରିୟା ଏବଂ ଭୋଟର ତାଲିକା ସମ୍ପର୍କରେ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନଙ୍କୁ ଟାର୍ଗେଟ କରିଛନ୍ତି। ଉଦ୍ଧବ ଠାକରେ ଏବଂ ରାଜ ଠାକରେ ନିଜ ନିଜ ଭାଷଣରେ ଭୋଟର ତାଲିକାରେ ପରିବର୍ତ୍ତନ, ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା, ନିର୍ବାଚନ କମିସନରଙ୍କ ନିଯୁକ୍ତି ଏବଂ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଚନ୍ତି। ଉଭୟ ନେତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ, କିନ୍ତୁ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ନୁହେଁ। ଜ୍ଞାନେଶ କୁମାର କିଏ ବୋଲି ପ୍ରଶ୍ନ କରି ସେମାନେ ଏସଆଇଆର ବନ୍ଦ କରିବାକୁ ଏବଂ ବାଲଟ୍ ପେପର ଦ୍ୱାରା ଭୋଟ୍ ଦେବାର ବ୍ୟବସ୍ଥା ପୁନଃସ୍ଥାପିତ କରିବାକୁ ଦାବି କରିବା ସହ ନିର୍ବାଚନ କମିସନର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି।
୧୩ କୋଟି ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍
ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି ଯେ, ଏହି ଲଢ଼େଇ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିରୋଧରେ ନୁହେଁ,ବରଂ ସ୍ୱାଧୀନତା ପାଇଁ ଲଢ଼େଇ। ସେ ଅଭିଯୋଗ କରିଛନ୍ତି ଯେ ଦେଶର ଅନେକ ପ୍ରତିଷ୍ଠାନ ଶାସକ ଦଳର ଅଧୀନରେ ରହିଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ ପୂର୍ବରୁ ଚୟନ କମିଟିରେ ବିରୋଧୀ ଦଳ ଏବଂ ମୁଖ୍ୟ ବିଚାରପତି ସାମିଲ ଥିଲେ, କିନ୍ତୁ ପରେ ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଥିଲା। ଉଦ୍ଧବ ଠାକରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ଦାବି କରିଛନ୍ତି ଯେ ସେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି।
ଜନସାଧାରଣ ଏକଛତ୍ରବାଦ ଆଡକୁ କୌଣସି ପଦକ୍ଷେପ ଗ୍ରହଣ କରିବେ ନାହିଁ ଏବଂ ଗଣତନ୍ତ୍ରରେ ଭୋଟରଙ୍କ ଅଧିକାରକୁ ହରଣ କରାଯାଇପାରିବ ନାହିଁ। ଭୋଟର ତାଲିକାରୁ ନାମ ବ୍ୟାପକ ଭାବରେ ବାଦ୍ ଦିଆଯିବା ସମ୍ପର୍କରେ ଉଲ୍ଲେଖ କରି ସେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁର ପରିସ୍ଥିତିର ଉଦାହରଣ ଦେଇଛନ୍ତି। ସାରା ଦେଶରେ ପ୍ରାୟ ୧୩ କୋଟି ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ଏହା ସହ ସେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଶାସନ ସମୟରେ ବିଜେପି ଦୁର୍ନୀତି ବିରୋଧୀ ଭାରତ ସ୍ଲୋଗାନ ଦେଇଥିଲା, ଏବେ ଭୋଟ ଚୋରି ପ୍ରସଙ୍ଗ ସାମ୍ନାକୁ ଆସିଛି। ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, କ୍ଷମତାରେ ଥିବା ନେତା ଜନସାଧାରଣଙ୍କ ପ୍ରଶ୍ନର ଉତ୍ତର ଦେବା ଉଚିତ୍।
ରାଜ ଠାକରେ କହିଛନ୍ତି, କିଏ ଜିତିବ ଏବଂ କିଏ ହାରିବ ତାହା ନିର୍ବାଚନ କମିସନ ନିଷ୍ପତ୍ତି ନେଉଛନ୍ତି। କିଏ କ୍ଷମତାକୁ ଆସିବ ତାହା ନିର୍ବାଚନ କମିସନ ନୁହେଁ ଜନସାଧାରଣ ନିଷ୍ପତ୍ତି ନେବା ଉଚିତ୍। ନିର୍ବାଚନ କମିସନଙ୍କ ଭୂମିକା ସମ୍ପର୍କରେ ଲୋକଙ୍କ ମନରେ ଗମ୍ଭୀର ପ୍ରଶ୍ନ ଉଠିଛି। ସାରା ଦେଶରେ ଏକକାଳୀନ ଏଆଇଆର ପରିଚାଳନା ପାଇଁ ଆଇନ କିମ୍ବା ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ। ଏସଆଇଆର ପ୍ରକ୍ରିୟାରେ ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦିଆଯାଇଛି। ଏହି ଲୋକମାନେ କିଏ ଏବଂ କେଉଁ ଆଧାରରେ ସେମାନଙ୍କ ନାମ ବାଦ୍ ଦିଆଯାଇଛି, ସେନେଇ ପ୍ରଶ୍ନ କରିଛନ୍ତି।

3 weeks ago
6


