ARTICLE AD BOX
ଆଜିକାଲି 'ୱାର୍କ ଫ୍ରମ୍ ହୋମ୍' ସଂସ୍କୃତି ଆମ ଜୀବନଶୈଳୀକୁ ଯେତିକି ସହଜ ଓ ନମନୀୟ କରିଛି, ସେତିକି ହିଁ ନୂଆ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଆମନ୍ତ୍ରଣ କରିଛି। ଘଣ୍ଟା ଘଣ୍ଟା ଧରି ଲାପଟପ୍ ଆଗରେ ବସି କାମ କରିବା ଫଳରେ ଅଧିକାଂଶ ବ୍ୟକ୍ତି ପିଠି ବିନ୍ଧା, ବେକ ଶକ୍ତ ହୋଇଯିବା, କାନ୍ଧ ଓ ଜଙ୍ଘ ଯନ୍ତ୍ରଣାର ଶିକାର ହେଉଛନ୍ତି।
ଆହୁରି ପଢ଼ନ୍ତୁ: ଶନିବାର ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ମୁକାବିଲା: ପୁଣି ବଡ଼ ସ୍କୋର୍ ସମ୍ଭାବନା
ଜୟପୁର ସିକେ ବିର୍ଲା ହସ୍ପିଟାଲ୍ର ଫିଜିଓଥେରାପି ବିଭାଗର ଡାକ୍ତର ଆଶିଷ ଅଗ୍ରୱାଲଙ୍କ ଅନୁସାରେ, ଆମ ଶରୀର ଗତିଶୀଳତା ପାଇଁ ତିଆରି ହୋଇଛି, ଦୀର୍ଘ ସମୟ ଏକା ଜାଗାରେ ବସି ରହିବା ପାଇଁ ନୁହେଁ। ଯେତେବେଳେ ଆମେ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥିତିରେ ବସି ରହୁ, ଆମର ମାଂସପେଶୀ ଓ ଯୋଡ଼ ଉପରେ କ୍ରମାଗତ ଚାପ ପଡ଼ିଥାଏ।
ମୁଣ୍ଡ ନୁଆଁଇ କାମ କରିବାର ଭୟଙ୍କର ପରିଣାମ
ଯେତେବେଳେ ଆମେ ଲାପଟପ୍ କିମ୍ବା ମୋବାଇଲ୍ ସ୍କ୍ରିନ୍ ଦେଖିବା ପାଇଁ ବେକକୁ ପାଖାପାଖି ୬୦ ଡିଗ୍ରୀ ନୁଆଁଇଥାଉ, ସେତେବେଳେ ଆମର ମେରୁଦଣ୍ଡର ବେକ ଭାଗ ଉପରେ ପାଖାପାଖି ୨୭ କିଲୋଗ୍ରାମର ଅତିରିକ୍ତ ଭାର ପଡ଼ିଥାଏ। ଫଳରେ ବେକର ମାଂସପେଶୀକୁ ଅଧିକ କାମ କରିବାକୁ ପଡ଼ିଥାଏ, ଯାହା ଶେଷରେ ତୀବ୍ର ଯନ୍ତ୍ରଣା ଓ ଶକ୍ତପଣର କାରଣ ହୋଇଥାଏ।
ଜଙ୍ଘ ଓ ପିଠି ତଳ ଭାଗ ଉପରେ ପ୍ରଭାବ
ଦୀର୍ଘ ସମୟ ବସିବା ଏବଂ ଶାରୀରିକ ନିଷ୍କ୍ରିୟତା ଯୋଗୁଁ ହିପ୍ ଜଏଣ୍ଟ ଶକ୍ତ ହୋଇଯାଏ। ଏଥିସହ ପୃଷ୍ଠଭାଗର ମାଂସପେଶୀ ନିଷ୍କ୍ରିୟ ହୋଇପଡ଼ନ୍ତି, ଯାହାକୁ ସାଧାରଣ ଭାଷାରେ 'ଗ୍ଲୁଟିଆଲ୍ ଆମ୍ନେସିଆ' କୁହାଯାଏ। ଏହା ଯୋଗୁଁ ନିଶ୍ଚଳ ହୋଇ ବସିବା ପରେ ଠିଆ ହେବା ସମୟରେ କଷ୍ଟ ଅନୁଭବ ହୋଇଥାଏ।
ଖରାପ ଅବସ୍ଥାନ ଓ କାର୍ଯ୍ୟକ୍ଷେତ୍ରର ସେଟ୍ଅପ୍
ଅସୁବିଧାଜନକ ଚେୟାର, ନୀଚା ହୋଇ ରହିଥିବା ଲାପଟପ୍ ସ୍କ୍ରିନ୍ ଏବଂ ପିଠିକୁ ସଠିକ୍ ସପୋର୍ଟ ନ ମିଳିବା ଦ୍ୱାରା ଦେହର ଭଙ୍ଗୀ ବିଗିଡ଼ିଯାଏ। ତେବେ ଡାକ୍ତର ଅଗ୍ରୱାଲଙ୍କ ମତରେ "ଦୁନିଆରେ ଏପରି କୌଣସି ଗୋଟିଏ 'ପରଫେକ୍ଟ ପୋଷ୍ଟର' ନାହିଁ ଯାହାକୁ ଦିନସାରା ଧରି ରଖାଯାଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ସ୍ଥିତିରେ ଅଧିକ ସମୟ ନ ରହି ନିୟମିତ ସ୍ଥାନ ଓ ସ୍ଥିତି ବଦଳାଇବା।"
କିପରି କରିବେ ପ୍ରତିକାର?
ସ୍ମାର୍ଟ ସେଟ୍ଅପ୍: ଲାପଟପ୍ ବ୍ୟବହାର କରୁଥିଲେ ସ୍କ୍ରିନ୍କୁ ଆଖିର ସମାନ୍ତରାଳ ରଖନ୍ତୁ। ଅଲଗା କି-ବୋର୍ଡ ଓ ମାଉସ୍ ବ୍ୟବହାର କରନ୍ତୁ।
ଛୋଟ ବ୍ରେକ୍ : ପ୍ରତି ୩୦ ରୁ ୬୦ ମିନିଟ୍ ମଧ୍ୟରେ ୨ ରୁ ୫ ମିନିଟ୍ ପାଇଁ ଠିଆ ହୁଅନ୍ତୁ, ସାମାନ୍ୟ ଚାଲନ୍ତୁ କିମ୍ବା ଷ୍ଟ୍ରେଚିଂ କରନ୍ତୁ।
ବିନ୍ଧା ସହି କାମ କରନ୍ତୁ ନାହିଁ: ଯନ୍ତ୍ରଣା ଆରମ୍ଭ ହେବା ପର୍ଯ୍ୟନ୍ତ ଅପେକ୍ଷା ନକରି ଗତିଶୀଳତାକୁ ଆପଣଙ୍କ ଦୈନନ୍ଦିନ ଅଭ୍ୟାସରେ ପରିଣତ କରନ୍ତୁ।
ନିୟମିତ ବ୍ୟାୟାମ: ନିଜ ଶରୀରର କ୍ଷମତା ଅନୁସାରେ ଧୀରେ ଧୀରେ ମାଂସପେଶୀକୁ ମଜବୁତ୍ କରୁଥିବା ବ୍ୟାୟାମ ଆରମ୍ଭ କରନ୍ତୁ।
ଆହୁରି ପଢ଼ନ୍ତୁ: ‘ଧୁରନ୍ଧର: ଦ ରିଭେଞ୍ଜ’ରେ କ୍ୟାମିଓ ପାଇଁ ମୋଟା ଅଙ୍କର ପାରିଶ୍ରମିକ ପାଇଛନ୍ତି କି ୟାମୀ ଗୌତମ?
ଅଧିକ ଦେଖନ୍ତୁ:

1 week ago
5


