ARTICLE AD BOX
ଭୁବନେଶ୍ୱର:ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସ୍ଥିତିର ନିରନ୍ତର ତଦାରଖ ଓ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ବନ୍ୟାପ୍ରଭାବିତ ଜିଲ୍ଲାରେ ନିୟୋଜିତ କରାଯାଇଛି।
ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ
ନିୟୋଜିତ ଅଧିକାରୀମାନେ ଆଜି ସକାଳୁ ନିଜ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲା ଅଭିମୁଖେ ଯାତ୍ରା କରି ସେଠାରେ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସ୍ଥିତି ସମୀକ୍ଷା କରିବା ଆରମ୍ଭ କରିଛନ୍ତି । ଏଥିସହିତ, ବରିଷ୍ଠ ଅଧିକାରୀମାନେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସ୍ଥାନୀୟ ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟ୍ୟରେ ସ୍ଵତନ୍ତ୍ର ଶାସନ ସଚିବ ଡ. ବିଜୟ ମିଶ୍ରଙ୍କୁ ବାଲେଶ୍ୱର, DPH ଡ. ରବୀନ୍ଦ୍ର ମିଶ୍ରଙ୍କୁ ଭଦ୍ରକ, DFW ଡ. ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ କେନ୍ଦୁଝର ଏବଂ DHS ଡ. ଏମ୍. ଏମ୍. ପଣ୍ଡାଙ୍କୁ ଯାଜପୁର ଜିଲ୍ଲାର ଦାୟିତ୍ଵ ଦିଆଯାଇଛି l
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, ଦୀର୍ଘସ୍ଥାୟୀ ବନ୍ୟା ପରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯେପରି କୌଣସି ପ୍ରକାରର ମହାମାରୀ କିମ୍ବା ରୋଗର ପ୍ରକୋପ ସୃଷ୍ଟି ନହୁଏ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଦୀର୍ଘ ସମୟ ଧରି ଜଳମଗ୍ନ ରହିଥିବା ଗ୍ରାମଗୁଡ଼ିକରେ ସ୍ୱଚ୍ଛତା ଓ ସାନିଟାଇଜେସନ୍ କାର୍ଯ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯିବ। ବନ୍ୟାଜଳ ହଟିବା ପରେ ଜଳମଗ୍ନ ଗ୍ରାମ, ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ବ୍ୟାପକ ସଫେଇ କାର୍ଯ୍ୟ ସହ ଜୀବାଣୁମୁକ୍ତ କରିବା ନିମନ୍ତେ ପଦକ୍ଷେପ ନିଆଯିବ l
ସେହିପରି ବନ୍ୟା ପରେ ବିଭିନ୍ନ ଜଳବାହିତ ତଥା ସଂକ୍ରାମକ ରୋଗର ନିୟନ୍ତ୍ରଣ, ପାନୀୟ ଜଳର ନିରାପତ୍ତା, ଆବଶ୍ୟକ ଔଷଧର ପର୍ଯ୍ୟାପ୍ତ ମହଜୁଦ ଓ ଉପଲବ୍ଧତା, ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ଏବଂ ସମ୍ଭାବ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟାର ତ୍ୱରିତ ମୁକାବିଲା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ବନ୍ୟା ପରବର୍ତ୍ତୀ ସମୟରେ ଜନସାଧାରଣଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯେପରି ନିରବଚ୍ଛିନ୍ନ ଭାବେ ମିଳିପାରିବ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରାଯାଉଛି l ବରିଷ୍ଠ ଅଧିକାରୀମାନଙ୍କର କ୍ଷେତ୍ରସ୍ତରୀୟ ଉପସ୍ଥିତି ଓ ତଦାରଖ ଦ୍ୱାରା ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ ଓ ପ୍ରଭାବଶାଳୀ କରାଯିବ।
Student: ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଏଥିସହିତ, ପାନୀୟ ଜଳର ଉତ୍ସଗୁଡ଼ିକର ସ୍ୱଚ୍ଛତା ଓ ବିଶୋଧନ ସହ ବନ୍ୟା ପରେ ଅଞ୍ଚଳରେ ପଡ଼ିରହିଥିବା ପଚାଶଢ଼ା ଓ ନଷ୍ଟ ହୋଇଥିବା ଖାଦ୍ୟସାମଗ୍ରୀ, ପ୍ରାଣିସମ୍ପଦ ମୃତଦେହ ଏବଂ ଅନ୍ୟାନ୍ୟ ଅବକ୍ଷୟଶୀଳ ବସ୍ତୁକୁ ତୁରନ୍ତ ହଟାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ସମ୍ଭାବ୍ୟ ସ୍ୱାସ୍ଥ୍ୟ ବିପଦକୁ ପୂର୍ବରୁ ଚିହ୍ନଟ କରି ତାହାର ତ୍ୱରିତ ମୁକାବିଲା ପାଇଁ କ୍ଷେତ୍ରସ୍ତରରେ ନିରନ୍ତର ନିରୀକ୍ଷଣ କରାଯାଇ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି l

5 days ago
3


