ARTICLE AD BOX
ନୂଆଦିଲ୍ଲୀ: ଅନେକ ସମୟରେ ପୁରୁଣା କିମ୍ବା ନୂଆ ନିର୍ମିତ କୋଠା ହଠାତ୍ ଭୁଶୁଡ଼ି ପଡ଼ିବାର ଖବର ସାମ୍ନାକୁ ଆସିଥାଏ। ଏହାଦ୍ୱାରା ଧନଜୀବନର ବ୍ୟାପକ କ୍ଷତି ଘଟିଥାଏ। ଲୋକମାନେ ଭାବନ୍ତି ଯେ କେବଳ ବହୁ ବର୍ଷର ପୁରୁଣା ଘର ହିଁ ଭାଙ୍ଗିଥାଏ, କିନ୍ତୁ ନିମ୍ନମାନର ନିର୍ମାଣ ସାମଗ୍ରୀ, ମୂଳଦୁଆ ଦୁର୍ବଳ ହେବା, ପାଣି ଗଳିବା (ଲିକେଜ୍) ଯୋଗୁଁ ନୂଆ ଘର ମଧ୍ୟ ହଠାତ୍ ଭୁଶୁଡ଼ି ପାରେ। ତେବେ କୌଣସି ଘର କିମ୍ବା କୋଠା ଭୁଶୁଡ଼ିବା ପୂର୍ବରୁ କିଛି ମୁଖ୍ୟ ବିପଦ ସଙ୍କେତ ଦେଇଥାଏ। ସମୟ ଥାଉଁ ଥାଉଁ ଏହାକୁ ଚିହ୍ନଟ କରି ପଦକ୍ଷେପ ନେଲେ ବଡ଼ ଦୁର୍ଘଟଣାରୁ ବଞ୍ଚିହେବ |
୧. କବାଟ ଓ ଝରକା ବନ୍ଦ ହେବାରେ ସମସ୍ୟା
ଯଦି ଘରର କବାଟ କିମ୍ବା ଝରକା ହଠାତ୍ ବନ୍ଦ ହେବାରେ କିମ୍ବା ଖୋଲିବାରେ ସମସ୍ୟା ଦେଖାଦିଏ, ଚଉକାଠ ବଙ୍କା ଦେଖାଯାଏ, ତେବେ ଏହା କୋଠା ଉପରେ ଅତିରିକ୍ତ ଚାପ ପଡ଼ୁଥିବାର ପ୍ରଥମ ଲକ୍ଷଣ। ଯଦି ଏହା ସହିତ କାନ୍ଥରେ ଫାଟ ଦେଖାଯାଏ, ତେବେ ତୁରନ୍ତ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଇବା ଉଚିତ।
୨. ଚଟାଣ ଦବିଯିବା ଓ ଟାଇଲ୍ସ ଭାଙ୍ଗିବା
ଯଦି ଘରର ଚଟାଣ (ଫ୍ଲୋର୍) ଗୋଟିଏ ପଟକୁ ଗଡ଼ାଣିଆ ଅନୁଭବ ହୁଏ କିମ୍ବା ଟାଇଲ୍ସଗୁଡ଼ିକ ଫାଟି ଉପରକୁ ଉଠିଆସେ, ତେବେ ଏହା ଭୂମିତଳେ ହଲଚଲ ହେବାର ସଙ୍କେତ। ଏହା ଦର୍ଶାଏ ଯେ ଭିତ୍ତିଭୂମି ଉପରେ ସମାନ ଭାବେ ଭାର ପଡ଼ୁନାହିଁ।
ଆହୁରି ପଢନ୍ତୁ: Janhvi Kapoor: ଦେବରା ପାର୍ଟ ୧ ଚଳଚ୍ଚିତ୍ରର ଗୀତ ‘ଚୁଟ୍ଟୁମାଲ୍ଲେ’କୁ ନେଇ ମୁହଁ ଖୋଲିଲେ ଜାହ୍ନବୀ କପୁର
୩. ପିଲାର୍ ଓ ବିମ୍ରେ ଗଭୀର ଫାଟ
ସମ୍ପୂର୍ଣ୍ଣ ଘରର ଭାର ପିଲାର୍ (ଖୁଣ୍ଟ) ଓ ବିମ୍ ଉପରେ ନିର୍ଭର କରେ। ଯଦି ପିଲାରର କଂକ୍ରିଟ୍ ଖସି ରଡ୍ (ଲୁହା ଛଡ଼) ଦେଖାଯାଏ କିମ୍ବା ସେଥିରେ କଳଙ୍କି ଲାଗିବା ନଜରକୁ ଆସେ, ତେବେ ଏହା ଅତ୍ୟନ୍ତ ଚିନ୍ତାଜନକ। କାନ୍ଥ ଓ ପିଲାର୍ ମଧ୍ୟରେ ଫାଙ୍କ ସୃଷ୍ଟି ହେଲେ କେବଳ ସିମେଣ୍ଟ ଦେଇ ଢାଙ୍କିବା ପରିବର୍ତ୍ତେ ଷ୍ଟ୍ରକ୍ଚରାଲ୍ ସିଭିଲ୍ ଇଞ୍ଜିନିୟରଙ୍କ ପରାମର୍ଶ ନେବା ଆବଶ୍ୟକ।
୪. ମୂଳଦୁଆ ପାଖ ମାଟି ଧସିଯିବା ଓ ଶବ୍ଦ ଶୁଣାଯିବା
ଘର ପାଖ ମାଟି ହଠାତ୍ ଧସିଯିବା କିମ୍ବା ମୂଳଦୁଆରେ ସିଧାସଳଖ ଫାଟ ସୃଷ୍ଟି ହେବା ଦର୍ଶାଏ ଯେ ଜଳ ନିଷ୍କାସନ ସମସ୍ୟା ଯୋଗୁଁ ମାଟି ଖସୁଛି। ଏହା ବ୍ୟତୀତ, ରାତିର ନିରବତା ସମୟରେ ଯଦି କଂକ୍ରିଟ୍ କିମ୍ବା ଛାତରୁ ଫାଟିବାର ଶବ୍ଦ ଶୁଣାଯାଏ, ତେବେ କୋଠାଟି ବିପଦରେ ଅଛି ବୋଲି ଜାଣିବାକୁ ହେବ।
ଆହୁରି ପଢନ୍ତୁ: Govt. Ashram School: ଶୃଙ୍ଖଳା ନାମରେ ୮୨ ଜଣ ଛାତ୍ରଙ୍କୁ ଅଧା ଲଣ୍ଡା: ମହାରାଷ୍ଟ୍ରର ଆଶ୍ରମ ସ୍କୁଲରେ ମନମୁଖୀ କାମ
୫. କାନ୍ଥରେ ଓଦା ଭାବ
ଛାତରୁ ପାଣି ଗଳିବା କିମ୍ବା କାନ୍ଥରେ କ୍ରମାଗତ ଓଦା ଭାବ ରହିବା ଦ୍ୱାରା ଭିତରେ ଥିବା ଲୁହା ରଡ୍ରେ କଳଙ୍କି ଲାଗିଥାଏ। ଏହାଯୋଗୁଁ କଂକ୍ରିଟ୍ ଦୁର୍ବଳ ହୋଇଯାଏ ଓ ପ୍ଲାଷ୍ଟର ଖସିବାକୁ ଲାଗେ।
କେଉଁ ସମୟରେ ତୁରନ୍ତ ଘର ଖାଲି କରିବେ?
ଯଦି ପିଲାର୍ରେ ଥିବା ଫାଟ ଦ୍ରୁତ ଗତିରେ ବଢ଼ିବାରେ ଲାଗେ। ଛାତର କୌଣସି ଅଂଶ ତଳକୁ ନଇଁଯାଏ। କାନ୍ଥରେ ଆରପାରି ଦେଖାଯାଉଥିବା ବଡ଼ ଫାଟ ସୃଷ୍ଟି ହୁଏ। ସମ୍ପୂର୍ଣ୍ଣ କୋଠା ଗୋଟିଏ ପଟକୁ ଢଳିଗଲା ଭଳି ଅନୁଭବ ହୁଏ। ଏପରି ପରିସ୍ଥିତିରେ ବିନା ବିଳମ୍ବରେ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଚାଲିଯିବା ସହ ସ୍ଥାନୀୟ ପ୍ରଶାସନ ଓ ବିଶେଷଜ୍ଞଙ୍କୁ ସୂଚନା ଦେବା ଆବଶ୍ୟକ।

3 weeks ago
5


