ARTICLE AD BOX
ଇନ୍ଦୋର: ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ଏଣିକି ଘଣ୍ଟାପ୍ରତି ସର୍ବାଧିକ ୧୧୦ କିଲୋମିଟର ବେଗରେ ଚଳାଇବାକୁ ରେଳବାଇ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଟ୍ରେନ୍ର ୧୨୦ କିଲୋମିଟର ବେଗରେ ପରୀକ୍ଷାମୂଳକ ଚଳାଚଳ ସଫଳ ହୋଇସାରିଛି। ଏବେ ଏହାର ନିୟମିତ ଚଳାଚଳ ବେଗ ୭୫ କିଲୋମିଟର ଥିବା ବେଳେ ଏହାକୁ ୧୧୦ କିଲୋମିଟର କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ରେଳବୋର୍ଡ ଅଧ୍ୟକ୍ଷ ତଥା ସିଇଓ ସତୀଶ କୁମାର ରବିବାର ଇନ୍ଦୋରରେ କହିଛନ୍ତି।
ଏହି ଟ୍ରେନ୍ କେଉଁ ରୁଟ୍ରେ ଚଳାଚଳ କରିବ, ସେନେଇ ରେଳବାଇ ବିଭିନ୍ନ ପକ୍ଷ ସହ ଆଲୋଚନା କରୁଛି। ରୁଟ୍ ଚୟନ ସହ ଟ୍ରେନ୍ ପାଇଁ ଆବଶ୍ୟକ ବୈଷୟିକ ବ୍ୟବସ୍ଥା ଓ ନିରବଚ୍ଛିନ୍ନ ହାଇଡ୍ରୋଜେନ୍ ଯୋଗାଣ ପାଇଁ ଭିତ୍ତିଭୂମି କିପରି ତିଆରି ହେବ, ତାହା ମଧ୍ୟ ଯାଞ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ପ୍ରାୟ ୪ରୁ ୫ ବର୍ଷ ଲାଗିପାରେ ବୋଲି ସତୀଶ କୁମାର କହିଛନ୍ତି। ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୭ରେ ହରିୟାଣାର ଜିନ୍ଦ ରେଳଷ୍ଟେସନରୁ ଉଦ୍ଘାଟନ କରିଥିଲେ। ଏହା ଜିନ୍ଦ-ସୋନିପତ ମଧ୍ୟରେ ୮୯ କିଲୋମିଟର ରୁଟ୍ରେ ଚଳାଚଳ କରୁଛି। ଏହି ଟ୍ରେନ୍ର ଡିଜାଇନ୍ ବେଗ ୧୧୦ କିଲୋମିଟର ଥିବା ବେଳେ ବର୍ତ୍ତମାନ ଏହା ୭୫ କିଲୋମିଟର ବେଗରେ ଚାଲୁଛି।
ହାଇଡ୍ରୋଜେନ୍ ଟ୍ରେନ୍ ପାରମ୍ପରିକ ବିଦ୍ୟୁତ୍ ଟ୍ରେନ୍ଠାରୁ ଭିନ୍ନ। ଏହା ଉପରେ ଥିବା ବିଦ୍ୟୁତ୍ ତାରରୁ ବିଦ୍ୟୁତ୍ ନେଇ ଚାଲେ ନାହିଁ। ଟ୍ରେନ୍ ଭିତରେ ହାଇଡ୍ରୋଜେନ୍ ଓ ଅମ୍ଳଜାନର ରାସାୟନିକ ପ୍ରତିକ୍ରିୟାରୁ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ। ଏହି ପ୍ରକ୍ରିୟାରେ ବାଷ୍ପ ଓ ତାପ ଉତ୍ପନ୍ନ ହୁଏ। ଧୂଆଁ କିମ୍ବା କାର୍ବନ ନିର୍ଗମନ ହୁଏନାହିଁ। ତେଣୁ ବିଦ୍ୟୁତୀକରଣ ହୋଇନଥିବା ରେଳପଥରେ ଡିଜେଲ୍ ଟ୍ରେନ୍ର ଏକ ସ୍ୱଚ୍ଛ ବିକଳ୍ପ ଭାବେ ଏହାକୁ ଦେଖାଯାଉଛି।
ଆହୁରି ପଢ଼ନ୍ତୁ: Odisha CM to Visit UAE ପାଞ୍ଚ ଦିନିଆ କାର୍ଯ୍ୟକ୍ରମରେ ୟୁଏଇ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଅନ୍ୟପକ୍ଷରେ ସତୀଶ କୁମାର କହିଛନ୍ତି, ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ହାୱଡ଼ା-କାମାଖ୍ୟା ରୁଟ୍ରେ ଚାଲୁଛି। ଆଉ ୪ଟି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ପ୍ରସ୍ତୁତ ହୋଇସାରିଛି ଏବଂ ଖୁବ୍ଶୀଘ୍ର ସେଗୁଡ଼ିକର ଉଦ୍ଘାଟନ ହେବ। ଚଳିତ ବର୍ଷ ରେଳବାଇକୁ ଆହୁରି ୧୧ଟି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ମିଳିବ। ୨୦୨୮ରେ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ହେବାକୁ ଥିବା ସିଂହସ୍ଥ ମେଳା ପାଇଁ ମଧ୍ୟ ରେଳବାଇ ପ୍ରସ୍ତୁତି ଆରମ୍ଭ କରିଛି। ମେଳା ସମୟରେ ୧୦୦ରୁ ୧୨୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାର ଯୋଜନା ରହିଛି। ଏଥିସହ ଷ୍ଟେସନ ଓ ଟ୍ରେନ୍ର ସୁରକ୍ଷା ବଢ଼ାଇବା ପାଇଁ କ୍ୟାମେରା ସହ କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର କରାଯିବ। ଇନ୍ଦୋର-ମନମାଡ଼ ୧୮,୫୦୦ କୋଟି ଟଙ୍କାର ରେଳପଥ ପ୍ରକଳ୍ପର ଜମି ଅଧିଗ୍ରହଣ ମଧ୍ୟ ଦ୍ରୁତ ଗତିରେ ଚାଲିଛି।

19 minutes ago
1


