ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତିରେ ଅଭିବାଦନର ଏକ ସ୍ୱତନ୍ତ୍ର ପରମ୍ପରା ରହିଛି। କାହାକୁ ଭେଟିଲେ ଆମେ ସାଧାରଣତଃ ‘ନମସ୍ତେ’, ‘ନମସ୍କାର’ କିମ୍ବା ‘ପ୍ରଣାମ’ କହିଥାଉ। ଅନେକଙ୍କ ଧାରଣାରେ ଏହି ତିନୋଟି ଶବ୍ଦର ଅର୍ଥ ସମାନ। ତେବେ ଏଗୁଡ଼ିକର ବ୍ୟବହାର ଓ ଭାବାର୍ଥ ନେଇ ଭିନ୍ନତା ରହିଛି। ଦୂରଦର୍ଶନର ଲୋକପ୍ରିୟ ଧାରାବାହିକ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ଏହି ପାର୍ଥକ୍ୟ ବିଷୟରେ ଏକ ଭିଡିଓରେ ଆଲୋଚନା କରିଛନ୍ତି। ସରଳ ଭାଷାରେ ସେ ଏହି ତିନୋଟି ଶବ୍ଦର ବ୍ୟବହାର ବୁଝାଇଛନ୍ତି।
ନୂତନ ପିଢ଼ିକୁ ଦେଲେ ବାର୍ତ୍ତା
ସୁନୀଲ ଲହରୀଙ୍କ କହିବା ଅନୁସାରେ, ‘ନମସ୍ତେ’ ସାଧାରଣତଃ ସମକକ୍ଷ କିମ୍ବା ସମାନ ସ୍ଥିତିର ବ୍ୟକ୍ତିଙ୍କୁ ଅଭିବାଦନ କରିବା ସମୟରେ କୁହାଯାଏ। ଏହା ସମ୍ମାନ ଓ ସୌହାର୍ଦ୍ଦର ଭାବ ପ୍ରକାଶ କରେ। ଏକାଧିକ ବ୍ୟକ୍ତିଙ୍କୁ ଏକାସାଙ୍ଗରେ ଅଭିବାଦନ କରିବା ସମୟରେ ‘ନମସ୍କାର’ ବ୍ୟବହାର କରାଯାଏ ବୋଲି ସେ କହିଛନ୍ତି। ଭାରତୀୟ ସମାଜରେ ଏହା ଏକ ସାଧାରଣ ଓ ସମ୍ମାନଜନକ ଅଭିବାଦନ ଭାବେ ପ୍ରଚଳିତ। ‘ପ୍ରଣାମ’ ଶବ୍ଦଟି ସାଧାରଣତଃ ନିଜଠାରୁ ବୟସରେ ବଡ଼ କିମ୍ବା ଅଧିକ ସମ୍ମାନନୀୟ ବ୍ୟକ୍ତିଙ୍କ ପ୍ରତି ବ୍ୟବହାର କରାଯାଏ। ବୟୋଜ୍ୟେଷ୍ଠ, ଗୁରୁ କିମ୍ବା ଆଦରଣୀୟ ବ୍ୟକ୍ତିଙ୍କ ପ୍ରତି ଏହା ଶ୍ରଦ୍ଧାର ପ୍ରତୀକ। ସୁନୀଲ ହସି ହସି କହିଛନ୍ତି ଯେ ତାଙ୍କ ପାଇଁ ସମସ୍ତେ ଏହି ତିନୋଟି ବର୍ଗ ମଧ୍ୟରେ ଆସନ୍ତି। ତେଣୁ ସେ ପରିସ୍ଥିତି ଅନୁସାରେ ଏହି ତିନୋଟି ଶବ୍ଦ ବ୍ୟବହାର କରନ୍ତି।
ଭାରତୀୟ ସଂସ୍କୃତି ଓ ପରମ୍ପରା ସହ ଯୋଡ଼ି ରହିବାକୁ ସୁନୀଲ ନୂଆ ପିଢ଼ିକୁ ପରାମର୍ଶ ଦେଇଛନ୍ତି। ସମୟ ସହିତ ପରିବର୍ତ୍ତନ ଜରୁରୀ। କିନ୍ତୁ ନିଜର ମୂଳ ଓ ମୂଲ୍ୟବୋଧକୁ ଭୁଲିଯିବା ଉଚିତ ନୁହେଁ ବୋଲି ସେ ମତ ଦେଇଛନ୍ତି। ସେହିପରି ବିଦ୍ୟାଳୟ ଶିକ୍ଷାରେ ପୁରୁଣା ଗୁରୁକୁଳ ପରମ୍ପରାର କିଛି ଭଲ ଦିଗକୁ ସାମିଲ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ପିଲାଙ୍କ ମଧ୍ୟରେ ଶୃଙ୍ଖଳା, ସମ୍ମାନ ଓ ମୂଲ୍ୟବୋଧ ବଢ଼ିପାରିବ।
ଆଜି ବି ଲକ୍ଷ୍ମଣ ଚରିତ୍ର ପାଇଁ ଲୋକପ୍ରିୟ
୧୯୮୭ରେ ପ୍ରସାରିତ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ସୁନୀଲ ଲହରୀଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଲକ୍ଷ୍ମଣଙ୍କ ଭୂମିକା ତାଙ୍କୁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା। ୨୦୨୦ର ଲକଡାଉନ୍ ସମୟରେ ‘ରାମାୟଣ’ ପୁଣି ଟେଲିଭିଜନରେ ପ୍ରସାରିତ ହେବା ପରେ ନୂଆ ପିଢ଼ି ମଧ୍ୟ ଏହି ଧାରାବାହିକ ସହ ପରିଚିତ ହୋଇଥିଲା। ଏବେ ମଧ୍ୟ ସୁନୀଲ ଲହରୀ ସୋସିଆଲ ମିଡିଆ ମାଧ୍ୟମରେ ସାଂସ୍କୃତିକ ଓ ସାମାଜିକ ପ୍ରସଙ୍ଗରେ ନିଜ ମତ ରଖୁଛନ୍ତି।

5 days ago
3


