ARTICLE AD BOX
ନୂଆଦିଲ୍ଲୀ: ୨୦୨୬ରେ ଭାରତର ୭ଟି ଷ୍ଟାର୍ଟଅପ୍ କମ୍ପାନି ୟୁନିକର୍ନରେ ପରିଣତ ହୋଇଛନ୍ତି। ସେହି କମ୍ପାନି ଗୁଡ଼ିକ ହେଲେ ଟ୍ବିନ ହେଲ୍ଥ, କ୍ରେଡିଟ୍ବି, କ୍ଲାଉଡନାଇନ୍ ହସ୍ପିଟାଲ୍ସ, ଧନ, ଲା ରେନନ୍, ନିଓ ୱେଲଥ୍ ମ୍ୟାନେଜମେଣ୍ଟ ଏବଂ ଇନ୍ଭିଡିଓ ଏଆଇ। ଅର୍ଥାତ୍ ଏସବୁ କମ୍ପାନିର ମୂଲ୍ୟ ୧ ବିଲିଅନ ବା ୧୦୦ କୋଟି ଡଲାର ଅତିକ୍ରମ କରିଛି। ଏଏସ୍କେ ପ୍ରାଇଭେଟ୍ ୱେଲ୍ଥ ହୁରୁନ୍ ଇଣ୍ଡିଆ ଗାଜେଲି ଇଣ୍ଡେକ୍ସ ୨୦୨୬ରୁ ଏହା ଜଣାଯାଇଛି। ଏମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ଟ୍ବିନ ହେଲ୍ଥ।
ସ୍ବାସ୍ଥ୍ୟସେବା କ୍ଷେତ୍ରର ଏହି ଷ୍ଟାର୍ଟଅପ୍ର ମୂଲ୍ୟ ୭୦୦ ନିୟୁତ ଡଲାରରୁ ବୃଦ୍ଧି ପାଇ ୨ ବିଲିଅନ ଡଲାରରେ ପହଞ୍ଚିଛି। କାଲିଫର୍ଣ୍ଣିଆର ମେନଲୋ ପାର୍କରେ ଅବସ୍ଥିତ ଏହି କମ୍ପାନିର ଭାରତୀୟ ମୁଖ୍ୟାଳୟ ଚେନ୍ନାଇରେ ରହିଛି। ୨୦୧୮ ମସିହାରେ ଏହି କମ୍ପାନି ସ୍ଥାପନ ହୋଇଥିଲା। ବେଙ୍ଗାଲୁରୁଭିତ୍ତିକ କ୍ରେଡିଟ୍ବିର ମୂଲ୍ୟ ୧.୫ ବିଲିଅନ ଡଲାରରେ ପହଞ୍ଚିଛି। ୨୦୧୬ ମସିହାରେ ସ୍ଥାପିତ ଏହି କମ୍ପାନି ଡିଜିଟାଲ ଋଣ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରୁଛି। ବେଙ୍ଗାଲୁରୁରେ ମୁଖ୍ୟାଳୟ ଥିବା ମାତୃ ଓ ଶିଶୁ ଯତ୍ନ ପ୍ରଦାନକାରୀ ଡାକ୍ତରଖାନା କ୍ଲାଉଡନାଇନ୍ର ମୂଲ୍ୟ ଚଳିତବର୍ଷ ୧.୩ ବିଲିଅନ ଡଲାର ଅତିକ୍ରମ କରିଛି। ୨୦୦୭ ମସିହାରେ ଏହାର ପ୍ରତିଷ୍ଠା କରାଯାଇଥିଲା।
୨୦୨୧ ମସିହାରେ ପ୍ରତିଷ୍ଠା ହୋଇଥିବା ମୁମ୍ବାଇଭିତ୍ତିକ ଟ୍ରେଡିଂ ଓ ନିବେଶ ପ୍ଲାଟଫର୍ମ ଧନ ମଧ୍ୟ ୟୁନିକର୍ନ କ୍ଲବରେ ସାମିଲ ହୋଇଛି। ଏହାର ସମ୍ପତ୍ତି ୧.୨ ବିଲିଅନ ଡଲାରରେ ପହଞ୍ଚିଛି। ଚଳିତବର୍ଷ ୟୁନିକର୍ନରେ ପରିଣତ ହୋଇଥିବା ୭ଟି ଯାକ କମ୍ପାନି ମଧ୍ୟରେ ଏହା ସର୍ବକନିଷ୍ଠ।
ଏଥିସହିତ ଅହମଦାବାଦଭିତ୍ତିକ ଫାର୍ମା କମ୍ପାନି ଲା ରେନନ ଚଳିତବର୍ଷ ୟୁନିକର୍ନରେ ପରିଣତ ହୋଇଛି। ଏହି କମ୍ପାନିର ମୂଲ୍ୟ ୧.୨ ବିଲିଅନ ଡଲାର ବୋଲି କୁହାଯାଇଛି। ୨୦୨୧ ମସିହାରେ ମୁମ୍ବାଇରେ ସ୍ଥାପିତ କମ୍ପାନି ନିଓ ୱେଲଥ୍ ମ୍ୟାନେଜମେଣ୍ଟ ମଧ୍ୟ ୟୁନିକର୍ନ କ୍ଲବରେ ସାମିଲ ହୋଇଛି। ଏହାର ସମ୍ପତ୍ତି ୧.୧ ବିଲିଅନ ଡଲାରରେ ପହଞ୍ଚିଛି। ଚଳିତବର୍ଷ ଏକମାତ୍ର ଏଆଇ କମ୍ପାନି ଭାବେ ଇନ୍ଭିଡିଓ ଏଆଇ ୟୁନିକର୍ନ ତାଲିକାରେ ସାମିଲ ହୋଇଛି। ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ଏହାର ମୁଖ୍ୟାଳୟ ଥିବାବେଳେ ମୁମ୍ବାଇରେ ଭାରତ ପାଇଁ ଏହାର ମୁଖ୍ୟାଳୟ ରହିଛି। ୨୦୧୭ ମସିହାରେ ଏହି ଏଆଇ କମ୍ପାନି ସ୍ଥାପନ ହୋଇଥିଲା।

54 minutes ago
2


