ARTICLE AD BOX
ୱାଶିଂଟନ୍: ହର୍ମୁଜ ପ୍ରଣାଳୀ ଆନ୍ତର୍ଜାତୀୟ ଜଳପଥରୁ ଇରାନ ବିଛାଇଥିବା ସମସ୍ତ ସମୁଦ୍ର ମାଇନସ୍କୁ ଆମେରିକୀୟ ସେନା ସମ୍ପୂର୍ଣ୍ଣ ସଫା କରିଦେଇଛି ବୋଲି ମଧ୍ୟପ୍ରାଚ୍ୟ ପାଇଁ ନିୟୋଜିତ ଆମେରିକାର ଶୀର୍ଷ କମାଣ୍ଡର ଆଡମିରାଲ ବ୍ରାଡ୍ କୁପର ସୂଚନା ଦେଇଛନ୍ତି। ଗୁରୁବାର ରାତିରେ ଜାରି ହୋଇଥିବା ଏକ ଭିଡିଓ ବାର୍ତ୍ତାରେ ଆମେରିକା ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ କହିଛନ୍ତି ଯେ ଗତ କିଛି ମାସ ଧରି ନୌସେନା ଡାଇଭର, ସିଲସ ଏବଂ ବିମାନ ସାହାଯ୍ୟରେ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ଏହି ମାଇନଗୁଡ଼ିକୁ ନିଷ୍କ୍ରିୟ କରାଯାଇଛି। ଫଳରେ ଏବେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ପୁନର୍ବାର ସାଧାରଣ ଜାହାଜ ଚଳାଚଳ ପାଇଁ ସୁରକ୍ଷିତ ଓ ଉନ୍ମୁକ୍ତ ହୋଇଛି।
ଆକଳନକୁ ପୁରୁଣା ବୋଲି କହି ପ୍ରତ୍ୟାଖ୍ୟାନ
ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହରମୁଜ ପ୍ରଣାଳୀରେ କୌଣସି ମାଇନ ନାହିଁ ବୋଲି ଦାବି କରିଥିବା ବେଳେ ଆମେରିକାର କିଛି ସହଯୋଗୀ ଦେଶ ଏହାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ସେମାନଙ୍କ ଆକଳନ ଅନୁଯାୟୀ, ଇରାନ ଦ୍ୱାରା ବିଛାଯାଇଥିବା ଆନୁମାନିକ ୮୦ ରୁ ୧୫୦ଟି ମାଇନ ମଧ୍ୟରୁ ସମ୍ପୂର୍ଣ୍ଣ ସଫା ହୋଇନାହିଁ।
ତେବେ ଆମେରିକା ଅଧିକାରୀମାନେ ଏହି ଆକଳନକୁ ପୁରୁଣା ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି। ଫେବୃଆରୀ ମାସରୁ ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ତେଲ, ପ୍ରାକୃତିକ ଗ୍ୟାସ ଓ ସାର ପରିବହନର ମୁଖ୍ୟ ମାଧ୍ୟମ ପାଲଟିଥିବା ଏହି ଜଳପଥରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅନ୍ୟପକ୍ଷରେ, ଗତ ୧୪ ଦିନ ମଧ୍ୟରେ ଆମେରିକା ନିଜ ତତ୍ତ୍ୱାବଧାନରେ ହରମୁଜ ଦେଇ ୧୩୦ ନିୟୁତ ବ୍ୟାରେଲ ଅଶୋଧିତ ତେଲ ସୁରକ୍ଷିତ ଭାବେ ବାହାରକୁ ନେଇଛି ବୋଲି ଟ୍ରେଜରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ସୂଚନା ଦେଇଛନ୍ତି। ତେବେ ଇରାନ ଏହି ଜଳପଥ ଉପରେ ନିଜର ନିୟନ୍ତ୍ରଣ ରହିଛି ବୋଲି ଦାବି କରିବା ସହ ନିକଟରେ ଓମାନ ସହ ରାଜସ୍ୱ ଭାଗବଣ୍ଟା ଚୁକ୍ତି କରିଥିବା ପ୍ରକାଶ କରିଛି।

1 hour ago
1


