ARTICLE AD BOX
କଟକ: ଚୌଦ୍ବାର ସର୍କଲ ଜେଲ୍ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଅଡ଼ୁଆ ବଢିଛି। ଶ୍ରୀ ରାଉଳଙ୍କୁ ଆଗୁଆ ଜାମିନ ଦେବାକୁ ହାଇକୋର୍ଟ ମନା କରିଛନ୍ତି। ଆବେଦନକାରୀଙ୍କୁ ଗିରଫ-ପୂର୍ବ ଜାମିନ ପ୍ରଦାନ କରି ସୁରକ୍ଷିତ କରିଦେଲେ, ଏହି ମାମଲାରେ ଆଗକୁ ହେବାକୁ ଥିବା ତଦନ୍ତ କେବଳ ଏକ ପ୍ରହସନ ହୋଇ ରହିଯିବ ବୋଲି ହାଇକୋର୍ଟ କହିବା ସହିତ ଶ୍ରୀ ରାଉଳଙ୍କୁ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରିଛନ୍ତି।
ପୂର୍ବରୁ ଶ୍ରୀ ରାଉଳଙ୍କୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ସୁରକ୍ଷାକୁ ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀ ଯଦି ଆତ୍ମ ସମର୍ପଣ କରି ଜାମିନ ଆବେଦନ କରନ୍ତି ତେବେ ନିମ୍ନ ଅଦାଲତ ତାହାକୁ ଯୋଗ୍ୟତା ଆଧାରରେ ବିଚାର କରିବେ ବୋଲି ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଶ୍ରୀ ରାଉଳଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ରାଉଳଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Chaudhary Jail: ପୁଣି ଚର୍ଚ୍ଚାରେ ଚୌଦ୍ବାର ଜେଲ୍: କଏଦୀଙ୍କ ସୁନା ଅଳଙ୍କାର ଗାଏବ ଘଟଣାରେ ୱାର୍ଡର ଗିରଫ
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦୁଇ ଦୁର୍ଦ୍ଦାନ୍ତ କଏଦୀ ଫେରାର ଘଟଣା ପରେ ବରିଷ୍ଠ ଅଧୀକ୍ଷକ ଶ୍ରୀ ରାଉଳଙ୍କ ବିରୋଧରେ ଚୌଦ୍ବାର ଥାନାରେ ଚୌଦ୍ବାର ଜେଲ୍ର ପୂର୍ବତନ ଜେଲର୍ ଗୁରୁତର ଅଭିଯୋଗ ଆଣି ଏତଲା ଦେଇଥିଲେ। ସରକାରୀ ରେକର୍ଡ ହେରଫେର ଓ ସରକାରୀ ଡ୍ୟୁଟିରେ ଥାଇ ଅପରାଧୀକ ବ୍ୟବହାର ଭଳି ସଂଗିନ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ଶ୍ରୀ ରାଉଳଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ୨୦୨୫, ଅକ୍ଟୋବର ୨ରେ ‘ସୁପରିନଟେଣ୍ଡେଣ୍ଟ ମିନିଟ ବୁକ୍’ରେ ଜେଲରଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା ଅଭିଯୋଗ ହୋଇଥିଲା। ଚୌଦ୍ବାର ଥାନାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୬(୨), ୩୩୬(୩), ୩୩୬(୪), ୩୩୭, ୩୪୦ରେ ପୁଲିସ ମାମଲା ରୁଜୁ କରିଥିବା ବେଳେ ଶ୍ରୀ ରାଉଳ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ମାର୍ଚ୍ଚ ୨୩ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଶ୍ରୀ ରାଉଳଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ।
ମାମଲାର ଶୁଣାଣି ବେଳେ ତଦନ୍ତକାରୀ ଅଧିକାରୀଙ୍କ ତରଫରୁ ସତ୍ୟପାଠ ଦାଖଲ କରାଯାଇ ଅବଗତ କରାଯାଇଥିଲା ଯେ ‘ସୁପରିନଟେଣ୍ଡେଣ୍ଟ ମିନିଟ ବୁକ୍’ ଦାଖଲ ପାଇଁ ଅଧୀକ୍ଷକଙ୍କୁ ବାରମ୍ବାର କୁହାଯାଇଥିଲା। କିନ୍ତୁ ଅଧୀକ୍ଷକ ଏହା ଦାଖଲ କରୁ ନାହାନ୍ତି। ଅଗଷ୍ଟ ୧୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ତଦନ୍ତ ପାଇଁ ଆବଶ୍ୟକ ଚୌଦ୍ବାର ସର୍କଲ ଜେଲର ମୂଳ ‘ସୁପରିନଟେଣ୍ଡେଣ୍ଟ ମିନିଟ ବୁକ୍’ ଅଗଷ୍ଟ ୧୭ରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବାକୁ ଶ୍ରୀ ରାଉଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଅଗଷ୍ଟ ୧୮ରେ ଆଗୁଆ ଜାମିନ ଆବେଦନର ଶୁଣାଣି ସମୟରେ ଆବେଦନକାରୀ ଶ୍ରୀ ରାଉଳଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଚୌଦ୍ବାର ସର୍କଲ ଜେଲର ‘ସୁପରିନଟେଣ୍ଡେଣ୍ଟ ମିନିଟ ବୁକ୍’ ଦାଖଲ ନ କରିବା ଘଟଣା ତାଙ୍କ ନିୟନ୍ତ୍ରଣ ବାହାରେ ଥିଲା। ‘ସୁପରିନଟେଣ୍ଡେଣ୍ଟ ମିନିଟ ବୁକ୍’ ମିଳୁ ନଥିବା ନେଇ ଥାନାକୁ ଅବଗତ କରାଯାଇଛି ଓ ଏ ନେଇ ଷ୍ଟେସନ ଡାଏରି ପଞ୍ଜୀକରଣ କରାଯାଇଛି। ଆବେଦନକାରୀ, ରାଜ୍ୟ ସରକାର ଓ ଏତଲାକାରୀଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଅଗଷ୍ଟ ୨୪ରେ ରାୟ ସଂରକ୍ଷିତ ରଖିଥିଲେ।

1 hour ago
1


