Judgement: ଲାଞ୍ଚ ମାମଲାରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ୪ ବର୍ଷ ଜେଲ୍

2 hours ago 2
ARTICLE AD BOX

ବଲାଙ୍ଗୀର: ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ୮ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଟିପିଡବ୍ଲୁଓଡିଏଲ୍ ରାଉରକେଲା ସର୍କଲ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ଚିତ୍ତରଞ୍ଜନ ବେହେରାଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ହୋଇଛି। ଦଣ୍ଡାଦେଶ ପରେ ତାଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ, ଚିତ୍ତରଞ୍ଜନ ବେହେରା ପୂର୍ବରୁ ସୁବର୍ଣ୍ଣପୁରଜିଲ୍ଲା ବିନିକା ବିଦ୍ୟୁତ୍ ସେକ୍ସନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ପରେ ସେ ଟିପିଡବ୍ଲୁଓଡିଏଲ୍ର ରାଉରକେଲା ସର୍କଲ୍ ଅଧୀନ ଏମ୍‌ଆରଟିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। 

ବିନିକା ଅଞ୍ଚଳର ଜଣେ ଜଳନିଧି ଯୋଜନାର ହିତାଧିକାରୀ ନିଜ ଚାଷଜମିରେ ସ୍ଥାପନ କରିଥିବା ମୋଟର ପମ୍ପକୁ ବିଦ୍ୟୁତ୍ ଯୋଗାଣ ବାବଦରେ ଅସ୍ଥାୟୀ ବିଲ୍ ପରିବର୍ତ୍ତେ ନିୟମିତ ବିଦ୍ୟୁତ୍ ବିଲ୍ ପାଇବାକୁ ଚାହିଁଥିଲେ। ଏଥିପାଇଁ ଚିତ୍ତରଞ୍ଜନ ତାଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିବା ସହ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨) ସହ ୧୩(୧)(ଡି) ଏବଂ ଧାରା ୭ ଅନୁଯାୟୀ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା। 

ବିଚାର ପରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହେବା ପରେ ଚିତ୍ତରଞ୍ଜନ ବେହେରାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ଭିଜିଲାନ୍ସ ପକ୍ଷରୁ ପ୍ରସ୍ତାବ ପଠାଯିବ ବୋଲି କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.