ARTICLE AD BOX
ଭୁବନେଶ୍ବର: ରଣଜୀ ଟ୍ରଫିର ତୃତୀୟ ରାଉଣ୍ଡ ମୁକାବିଲାରେ ସୋମବାରଠାରୁ ସ୍ଥାନୀୟ କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ସର୍ଭିସେସ୍ର ମୁକାବିଲା କରିବ ଓଡ଼ିଶା। ନିଜ ପ୍ରଥମ ଦୁଇ ମୁକାବିଲାରେ ଶୋଚନୀୟ ପରାଜୟ ବରଣ କରିଥିବା ଓଡ଼ିଶା ପାଇଁ ଏହି ମ୍ୟାଚ୍ ଚଳିତ ଋତୁର ପ୍ରଥମ ବିଜୟ ପାଇବାର ଅପୂର୍ବ ସୁଯୋଗ ନେଇ ଆସିବ। କିଟ୍ କ୍ରିକେଟ୍ ଷ୍ଟାଡିୟମ୍ ରାଜ୍ୟ ରଣଜୀ ଦଳ ପାଇଁ ଅଧିକାଂଶ ସମୟ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇ ଆସିଥିବାରୁ ଏହିଠାରେ ଓଡ଼ିଶା ଚଳିତ ଋତୁରେ ନିଜ ପଏଣ୍ଟ ଖାତା ଖୋଲିବ ବୋଲି ମଧ୍ୟ ଆଶା କରାଯାଉଛି। ତେବେ ସର୍ଭିସେସ୍କୁ ହରାଇବାକୁ ହେଲେ ଶୁଭ୍ରାଂଶୁ ସେନାପତିଙ୍କ ଦଳକୁ ନିଜ ପୁରୁଣା ଦୋଷ ଦୁର୍ବଳତା ଦୂର କରି ଶୃଙ୍ଖଳିତ କ୍ରିକେଟ୍ ଖେଳିବାକୁ ପଡ଼ିବ ବୋଲି କ୍ରିକେଟ୍ ପଣ୍ଡିତମାନେ ଚେତାଇ ଦେଇଛନ୍ତି।
Umar Khalid: ଜେଏନ୍ୟୁ କାନ୍ଥରେ ଉମର ଖାଲିଦଙ୍କ ସମର୍ଥନରେ ନାରା
ଉଭୟ ଓଡ଼ିଶା ଓ ସର୍ଭିସେସ୍ ନିଜ ନିଜ ପ୍ରଥମ ଦୁଇ ମ୍ୟାଚ୍ରେ ପରାଜିତ ହୋଇଛନ୍ତି। ଏଣୁ ଦୁଇଟି ଯାକ ଦଳ ସମାନ ଡଙ୍ଗାରେ ସବାର ଅଛନ୍ତି। ଉଭୟ ନିଜ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିଛନ୍ତି। ଓଡ଼ିଶା ତା’ର ପ୍ରଥମ ମୁକାବିଲାରେ ଗୁଜରାଟଠାରୁ ୧୦ ୱିକେଟ୍ରେ ପରାଜିତ ହୋଇଥିଲା। ସେହିଭଳି କେରଳ ବିପକ୍ଷ ଦ୍ବିତୀୟ ମ୍ୟାଚ୍ରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରି ଗୋଟିଏ ପାଳି ଓ ୩୬ ରନ୍ରେ ହାରିଥିଲା। କେବଳ ଏହି ଦୁଇ ମ୍ୟାଚ୍ ନୁହେଁ ଗତ ଋତୁର ଦୁଇଟି ମ୍ୟାଚ୍କୁ ମିଶାଇ ଓଡ଼ିଶା ଏବେ ଲଗାତାର ୪ଟି ମ୍ୟାଚ୍ ହାରିଲାଣି। ରାଜ୍ୟ ଦଳର ଶେଷ ବିଜୟ କିଟ୍ ଷ୍ଟାଡିୟମ୍ରେ ହିଁ ୨୦୨୫ ମସିହା ନଭେମ୍ବର ମାସରେ ନାଗାଲାଣ୍ଡ ବିପକ୍ଷରେ ଆସିଥିଲା। ଏହି ମ୍ୟାଚ୍ର ପ୍ରଥମ ପାଳିରେ ଅନିଲ ପରିଡ଼ାଙ୍କ ୧୧୮*, ବିପ୍ଲବ ସାମନ୍ତରାୟଙ୍କ ୯୨ ଏବଂ ଦ୍ବିତୀୟରେ ସ୍ବସ୍ତିକ ସାମଲଙ୍କ ୧୬୯ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ୧୩୭ ରନ୍ ବଳରେ ନାଗାଲାଣ୍ଡକୁ ଘରୋଇ ଓଡ଼ିଶା ୨୯୯ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଥିଲା।
S Jaishankar: ଆତଙ୍କବାଦକୁ ରାଷ୍ଟ୍ରନୀତିର ଅସ୍ତ୍ର କରିବା ଗ୍ରହଣୀୟ ନୁହେଁ: ଜୟଶଙ୍କର
ଏଣୁ ଏଥର ମଧ୍ୟ ରାଜ୍ୟ ଦଳ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି। ତେବେ ସର୍ଭସେସ୍ ରୂପରେ ନାଗାଲାଣ୍ଡଠାରୁ ଅଧିକ ଶକ୍ତିଶାଳୀ ପ୍ରତିପକ୍ଷ ଥିବାରୁ ଏଥର ଓଡ଼ିଶା ପାଇଁ ଏଠାକାର ବିଜୟ ପଥ ସେତେଟା ସହଜ ହେଲା ଭଳି ମନେ ହେଉନି। ଅବଶ୍ୟ ସର୍ଭିସେସ୍ ମଧ୍ୟ ଚଳିତ ଋତୁର ଦୁଇଟିକୁ ମିଶାଇ ଲଗାତାର ୪ଟି ରଣଜୀ ଟ୍ରଫି ମ୍ୟାଚ୍ ହାରିଛି। ଏହି ଦଳର ଶେଷ ବିଜୟ ହରିୟାଣା ବିପକ୍ଷରେ ୨୦୨୫ ମସିହାରେ ଆସିଥିଲା। ଏଣୁ ସର୍ଭିସେସ୍ ବି ଭୁବନେଶ୍ବରରେ ତା’ର ଭାଗ୍ୟ ବଦଳାଇବା ଆଶାରେ ରହିଛି। ତେବେ ଘରୋଇ ପରିବେଶ ଏବଂ ଅତୀତର ସଫଳତାକୁ ପାଥେୟ କରି ଓଡ଼ିଶା ଘରୋଇ ପରିବେଶରେ ବିଜୟୀ ହେବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ସୂଚନା ଅନୁସାରେ କିଟ୍ ଷ୍ଟାଡିୟମ୍ରେ ଏହା ପଞ୍ଚଦଶ ରଣଜୀ ମ୍ୟାଚ୍ ହେବ। ଅନିଲଙ୍କ ପ୍ରତ୍ୟାବର୍ତ୍ତନ ଏବଂ କିଟ୍ର ପଞ୍ଚଦଶ ରଣଜୀ ମ୍ୟାଚ୍ ଓଡ଼ିଶା ଦଳ ପାଇଁ ସଫଳତାର ନୂଆ ବିଜୟଧାରା ନେଇ ଆସିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ପ୍ରଭଞ୍ଜନ ମଲ୍ଲିକ ମଧ୍ୟ ଏଥିନେଇ ଢେର ଆଶାବାଦୀ ଅଛନ୍ତି।

1 day ago
5


