ARTICLE AD BOX
ଅସିତ ମହାନ୍ତି
ଓଡ଼ିଶା ଓ ବଙ୍ଗ- ଦୁଇ ପଡ଼ୋଶୀ ପ୍ରଦେଶ। ଏହି ଦୁଇ ପଡ଼ୋଶୀ ପ୍ରଦେଶ ମଧ୍ୟରେ ସଂପର୍କ ତିକ୍ତ-ମଧୁର। ଶହ ଶହ ବର୍ଷ ଧରି ଏହା ଚର୍ଚ୍ଚା ହୋଇଆସିଛି। କେତେବେଳେ ଭାଷାକୁ ନେଇ ତ କେତେବେେଳ କଳାସ୍ଥାପତ୍ୟକୁ ନେଇ ଏବଂ ଆଉ କେେତବେଳେ ରସଗୋଲା ପରି ମିଠାକୁ ନେଇ ଏ ସଂପର୍କ ତିକ୍ତ ହୋଇଛି। ମାତ୍ର ଶହ ଶହ ବର୍ଷ ଧରି ବଙ୍ଗଳାର ବହୁ ବିଶିଷ୍ଟ ବ୍ୟକ୍ତି ଓଡ଼ିଶା ଆସି ଓଡ଼ିଶାକୁ ନେଇ ଯେଉଁସବୁ ଭ୍ରମଣ ବୃତ୍ତାନ୍ତ ବା ସ୍ମୃତିକଥା ଲେଖିଯାଇଛନ୍ତି, ସେଥିରେ ଓଡ଼ିଶା ପ୍ରତି ସେମାନଙ୍କର ଶ୍ରଦ୍ଧା ଓ ସମ୍ମାନ ପ୍ରକଟିତ। କିନ୍ତୁ ଓଡ଼ିଶା ଓ ବଙ୍ଗଳା ମଧ୍ୟରେ ଶହ ଶହ ବର୍ଷ ଧରି ଯେଉଁ ସଂପର୍କର ସେତୁ ଗଢ଼ି ଉଠିଛି, ତାହାକୁ ନେଇ ବଙ୍ଗଳାରେ ଗୋଟିଏ ପୁସ୍ତକର ହୁଏତ ଏଯାଏ ଅଭାବ ଥିଲା। ସେହିପରି ଏକ ଅଭାବ ଅନେକାଂଶରେ ପୂରଣ କରିଛି ‘ଉତ୍କଳ-ବଙ୍ଗ’।
ଓଡ଼ିଶାର ଏକ ପ୍ରାଚୀନ ନାମ ଉତ୍କଳ। ଏହି ନାମ ଆଜି ବି ଓଡ଼ିଶାରେ ଓ ଓଡ଼ିଶା ବାହାରେ ଲୋକପ୍ରିୟ। ଆମ ଦେଶର ଜାତୀୟ ସଂଗୀତରେ ବି ଓଡ଼ିଶାର ଦୁଇ ପ୍ରତିବେଶୀ ପ୍ରଦେଶକୁ ମିଶାଇ ‘ଦ୍ରାବିଡ଼-ଉତ୍କଳ-ବଙ୍ଗ’ର ଉଲ୍ଲେଖ ଅଛି। ସେଥିପାଇଁ ବୋଧହୁଏ ଅରିନ୍ଦମ ଚକ୍ରବର୍ତ୍ତୀ ତାଙ୍କର ଏଇ ବହିର ନାଆଁ ରଖିଛନ୍ତି- ‘ଉତ୍କଳ-ବଙ୍ଗ’। ପୁଣି ତାହାର ଏକ ଉପନାମ ଦେଇଛନ୍ତି- ‘ଦୁଇ ପ୍ରତିବେଶୀର ସେତୁବନ୍ଧନ’।
ଅରିନ୍ଦମ ପୂର୍ବ ମେଦିନୀପୁରର ମହିଷାଦଳ ରାଜ କଲେଜର ଇତିହାସ ଅଧ୍ୟାପକ। ତାଙ୍କର ଆଗ୍ରହର ବିଷୟ, ଊନବିଂଶ-ବିଂଶ ଶତାବ୍ଦୀର ବଙ୍ଗଳା ସମାଜ ଓ ସଂସ୍କୃତି। ବଙ୍ଗାଳୀମାନଙ୍କର ତୀର୍ଥଯାତ୍ରା ଓ ପର୍ଯ୍ୟଟନର ପରମ୍ପରା ସଂପର୍କରେ ମଧ୍ୟ ସେ ଚର୍ଚ୍ଚା କରିଛନ୍ତି। ସେହି ସୂତ୍ରରେ ଉତ୍କଳ ଓ ବଙ୍ଗ- ଏହି ଦୁଇ ପ୍ରତିବେଶୀ ପ୍ରଦେଶର ସେତୁବନ୍ଧନ ପ୍ରସଙ୍ଗ ପ୍ରତି ତାଙ୍କର ଆଗ୍ରହ ହୋଇଛି। ସଂଯୋଗକୁ ଭାରତୀୟ ସମାଜ-ବିଜ୍ଞାନ ଗବେଷଣା ପରିଷଦର ପୂର୍ବାଞ୍ଚଳ ଶାଖାରୁ ଏ ନେଇ ଏକ ଅନୁଦାନ ସେ ପାଇଛନ୍ତି। ତାହାର ଫଳଶ୍ରୁତି ଏହି ପୁସ୍ତକ। ଏହାର ପ୍ରକାଶକାଳ ୨୦୨୫ ଜାନୁଆରି।
ଏହି ପୁସ୍ତକର ‘ମୁଖବନ୍ଧ’ରେ ଅରିନ୍ଦମ ଲେଖିଛନ୍ତି- ଦୀର୍ଘ ୨୨ ବର୍ଷ ପୂର୍ବେ, ୨୦୦୨ ମସିହାରେ ସେ ପ୍ରଥମେ ଆସିଥିଲେ ପୁରୀ। ତାହା ଥିଲା ଦ୍ବାଦଶ ଶ୍ରେଣୀର ଏକ ଶିକ୍ଷାମୂଳକ ଭ୍ରମଣ। ଏ ଭିତରେ ସେ ଅଧ୍ୟାପକ ହୋଇଛନ୍ତି, ଭାରତବର୍ଷର ବେଶ୍ କିଛି ଜାଗା ବୁଲିବାର ସୌଭାଗ୍ୟ ବି ତାଙ୍କୁ ମିଳିଛି। କିନ୍ତୁ ସେ ସବୁ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଆକର୍ଷଣ ହିନ୍ଦୁ ମନରେ ଦୃଷ୍ଟାନ୍ତହୀନ।
ଓଡ଼ିଶାର କଳାସ୍ଥାପତ୍ୟ, ଏବଂ ବିଶେଷକରି ଶ୍ରୀଜଗନ୍ନାଥଙ୍କୁ ନେଇ ଏହି ଦୁଇ ପଡ଼ୋଶୀ ପ୍ରଦେଶ ମଧ୍ୟରେ କିପରି ସଂପର୍କର ଦୃଢ଼ ସେତୁବନ୍ଧନ ଗଢ଼ିଉଠିଛି, ତାହା ଦର୍ଶାଇବାକୁ ଯାଇ ସେ ଅତୀତର ଅବତାରଣା କରିଛନ୍ତି। କହିଛନ୍ତି ସୁଦୂର ଲାହୋର, ମୁଲତାନରୁ ଯାତ୍ରୀମାନେ ପାଦରେ ଚାଲିଚାଲି ଆସୁଥିଲେ ଶ୍ରୀକ୍ଷେତ୍ରକୁ, ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ। ପୁରୀର ଯାତ୍ରୀପଣ୍ଡାଙ୍କ ନଥି ତାହାର ପ୍ରମାଣ। ସେ ଯାଏ ରେଳ ଚାଲି ନ ଥିଲା। ଅଠରନଳାଠାରେ ପହଞ୍ଚି, ସେଠାରୁ ଶ୍ରୀମନ୍ଦିରର ଚୂଡ଼ା ଦର୍ଶନ କରି ହଜାର ହଜାର ଯାତ୍ରୀ କିପରି ଭାବପ୍ରବଣ ହୋଇ ଉଠୁଥିଲେ, ଆଜି ହୁଏତ ତାହା କେହି କଳ୍ପନା କରିପାରିବେ ନାହିଁ। ସେମାନଙ୍କ ମଧ୍ୟରେ ପଡ଼ୋଶୀ ବଙ୍ଗ ପ୍ରଦେଶର ଯାତ୍ରୀ ନିଶ୍ଚିତ ଭାବରେ ଥିଲେ ସଂଖ୍ୟାଧିକ।
ଅରିନ୍ଦମ ‘ଉତ୍କଳ-ବଙ୍ଗ’ର ‘ମୁଖବନ୍ଧ’ରେ ଲେଖିଛନ୍ତି- ବଙ୍ଗାଳିମାନଙ୍କର ପୁରୀଯାତ୍ରାର ପରମ୍ପରା ମୁଖ୍ୟତଃ ଶ୍ରୀଚୈତନ୍ୟଙ୍କ ସମୟରୁ। ଏ ପ୍ରସଙ୍ଗରେ ସ୍ମରଣଯୋଗ୍ୟ ଯେ ଶ୍ରୀଚୈତନ୍ୟ ତାଙ୍କ ଜୀବନର ଶେଷ ବର୍ଷଗୁଡ଼ିକ ପୁରୀରେ ବିତାଇଥିଲେ। ସେ ସନ୍ନ୍ୟାସ ଗ୍ରହଣ କରିବା ପରେ, ୧୫୧୦ ଖ୍ରୀଷ୍ଟାବ୍ଦରେ ପୁରୀ ଆସିଥିଲେ ଏବଂ ତୀର୍ଥଯାତ୍ରା ଓ ଅନ୍ୟାନ୍ୟ ସ୍ଥାନ ପରିଭ୍ରମଣ କରିବା ପରେ ୧୫୧୬ ଖ୍ରୀଷ୍ଟାବ୍ଦ ବେଳକୁ ପୁରୀକୁ ଫେରି ଅବଶିଷ୍ଟ ୧୮ ବର୍ଷ ପୁରୀରେ ହିଁ ଅବସ୍ଥାନ କରିଥିଲେ। ସେଥିପାଇଁ ତାଙ୍କ ମୁଖବନ୍ଧରେ ଅରିନ୍ଦମ ଲେଖିଛନ୍ତି- ନିଜର ପ୍ରାଣର ଗୌରଙ୍କ ଦର୍ଶନପାଇଁ ବର୍ଷ ପରେ ବର୍ଷ ଗୌର ଭକ୍ତମାନେ ଆସୁଥିଲେ ନୀଳାଚଳ। କୃଷ୍ଣଦାସ କବିରାଜ ଗୋସ୍ବାମୀ ତାଙ୍କ ‘ଶ୍ରୀଚୈତନ୍ୟ ଚରିତାମୃତ’ରେ ସେଥିପାଇଁ ଲେଖିଛନ୍ତି-
‘‘ଗୌଡ଼ଦେଶେର ଭକ୍ତଗନ ପ୍ରତ୍ୟବ୍ଦ ଆସିୟା
ପୁନଃ ଗୌଡ଼ ଦେଶେ ଯାୟ ପ୍ରଭୁକେ ମିଲିୟା।’’
ଏଣୁ ସମ୍ଭବତଃ ଏହି ଗୌଡ଼ଦେଶର ଭକ୍ତବୃନ୍ଦ ହିଁ ପୁରୀକୁ ଅଧିକ ଜନପ୍ରିୟ କରି ଦେଇଥିଲେ।
ସେ େସହି ମୁଖବନ୍ଧରେ ଆହୁରି ମଧ୍ୟ ଲେଖିଛନ୍ତି- ସେତେବେଳେ ରାସ୍ତାଘାଟ ଥିଲା ଅତ୍ୟନ୍ତ ଦୁର୍ଗମ। ସ୍ଥାନେ ସ୍ଥାନେ ନଦୀ ଆଉ କ୍ଷେତ। ବହୁକାଳ ପରେ ପୋସ୍ତାର ରାଜା ସୁଖମୟ ରାୟ ସେହି ରାସ୍ତାରେ ବେଶ୍ କେତୋଟି ସେତୁ ନିର୍ମାଣ କରାଇଥିଲେ। ମାତ୍ର ଦୁର୍ଭାଗ୍ୟ, ଯେ ଆଧୁନିକ ସଡ଼କ ନିର୍ମାଣ ଫଳରେ ସେହି ସବୁ ସେତୁର ଗଙ୍ଗାପ୍ରାପ୍ତି ହୋଇଯାଇଛି।
ଏ ପ୍ରସଙ୍ଗରେ ଏହି ପୁସ୍ତକର ନାମକରଣକୁ ଯଥାର୍ଥ କରି ଅରିନ୍ଦମ ଲେଖିଛନ୍ତି- ସୁଖମୟ ରାୟ ଯେଉଁ ସେତୁ ନିର୍ମାଣ କରିଥିଲେ, ସେ ସେତୁ ନିଛକ ନଦୀ-ନାଳର ଦୁଇ ତଟକୁ ସଂଯୋଗ କରୁଥିବା ସେତୁ ନୁହେଁ; ତାହା ବଙ୍ଗ-ଓଡ଼ିଶା ଦୁଇ ପ୍ରତିବେଶୀ ପ୍ରଦେଶର ମାନସିକ ଆଦାନ-ପ୍ରଦାନର ସେତୁ। ମନେହୁଏ, ସେ ସେତୁର ମୁଖ୍ୟ ବିନ୍ଧାଣି ଶ୍ରୀଜଗନ୍ନାଥ ସ୍ବୟଂ।
ଏହି ପରିପ୍ରେକ୍ଷୀରେ, ସେ ଓଡ଼ିଶା ସହିତ ନିଜର ମାନସିକ ସଂପର୍କର ଉଲ୍ଲେଖ କରି ଯାହା କହିଛନ୍ତି, ତାହା ସମ୍ଭବତଃ ସବୁ ବଙ୍ଗୀୟଙ୍କର ମାନସିକତା। ସେ କହିଛନ୍ତି- ଓଡ଼ିଶା ଗଲେ ମନେହୁଏନା ଭିନ୍ନ ଏକ ରାଜ୍ୟକୁ ଆସିଛି। ଦାମୋଦର, ରୂପନାରାୟଣ ଓ ପରିଶେଷରେ ସୀମାବର୍ତ୍ତୀ ସୁବର୍ଣ୍ଣରେଖା ଟପିବା ପରେ, ଆଉ ଆମ ନିଜଘର ପାଇଁ ଟିକିଏ ବି ମନ ଖରାପ ହୁଏ ନାହିଁ। କାରଣ ବ୍ରାହ୍ମଣୀ, ବୈତରଣୀ, କାଠଯୋଡ଼ି ଏବଂ ଅବଶ୍ୟମ୍ଭାବୀ ଭାବେ ମହାନଦୀ- ଏସବୁ ମଧ୍ୟରେ ଆମ ନିଜଦେଶର ନଦୀମାନଙ୍କୁ ଖୋଜି ପାଏ। କେତେ କେତେ ଦିନର ଏଇ ସଂଯୋଗ!
ବଙ୍ଗୀୟମାନଙ୍କର ଓଡ଼ିଶା ସ୍ମୃତି ଓ ଓଡ଼ିଆମାନଙ୍କର ବଙ୍ଗସ୍ମୃତିର ଅବତାରଣା ଏ ପୁସ୍ତକର ମୁଖବନ୍ଧରେ କରି ଅରିନ୍ଦମ କହିଛନ୍ତି- ଅନ୍ନଦାଶଙ୍କର ରାୟ ଆମୃତ୍ୟୁ ତାଙ୍କର ଓଡ଼ିଶାରେ ବଢ଼ିଉଠିବା ଦିନଗୁଡ଼ିକର ସ୍ମୃତି ଓ ତାଙ୍କର ବନ୍ଧୁବାନ୍ଧବଙ୍କର ସ୍ମୃତିକୁ ସଯତ୍ନ ସାଇତି ରଖିଯାଇଛନ୍ତି। ଆଜି ବି ପ୍ରବାସୀ ବଙ୍ଗାଳୀମାନେ ଓଡ଼ିଶାରେ ବେଶ୍ ସୁଖଶାନ୍ତିରେ ଅଛନ୍ତି। ଆଉ ବର୍ଷ ପରେ ବର୍ଷ ହଜାର ହଜାର ବଙ୍ଗାଳୀ ଶ୍ରୀକ୍ଷେତ୍ରକୁ ଯାଇଯାଇ, କେତେବେଳେ ସେ ଦେଶଟି ବି ଯେମିତି ତାଙ୍କର ହୋଇଯାଇଛି। ଏଇ ଦୁଇ ପ୍ରତିବେଶୀଙ୍କ ମଧ୍ୟରେ ସଂପର୍କ ସତରେ ଖୁବ୍ ଘନିଷ୍ଠ।
ଏହି ପରିପ୍ରେକ୍ଷୀରେ, ଓଡ଼ିଶା ସହ ତାଙ୍କର ସଂପର୍କ କିପରି ଘନିଷ୍ଠ ହେଲା, ତାହାର ବିଶଦ ଅବତାରଣା ଅରିନ୍ଦମ କରିଛନ୍ତି। ଏହି ପ୍ରସଙ୍ଗରେ ଅଦୂର ଅତୀତରେ ରସେଗାଲାକୁ ନେଇ ଘଟିଯାଇଥିବା ମିଠାଯୁଦ୍ଧର ଅବତାରଣା ସେ କରିଛନ୍ତି। ପରୋକ୍ଷରେ, ରସଗୋଲା ଓଡ଼ିଶାରୁ ଯାଇ ବଙ୍ଗାଳୀଙ୍କର ପତ୍ରରେ ପଡ଼ିଛି ବୋଲି ବି କହିଛନ୍ତି। ତାଙ୍କର ସେହି ସ୍ବୀକାରୋକ୍ତି ଖୁବ୍ ରୋଚକ। ସେ କହିଛନ୍ତି- ଗୋଟିଏ କଳି ଦେଖି ବେଶ୍ ମଜା ଲାଗେ-‘ରସଗୋଲା! ତୁମେ କାହାର?’ ଏ ବିତର୍କ ଅନ୍ତହୀନ। ଏହା ସୁନ୍ଦର ଏକ ଖାଦ୍ୟଦ୍ରବ୍ୟ। ତାକୁ ନେଇ ଏମିତି ଲଢ଼େଇ କରି କି ଲାଭ? ଏହି ମଧୁର ଦ୍ରବ୍ୟଟି ପ୍ରଥମେ କାହାର ହାତ ଦେଇ ବଙ୍ଗାଳୀଙ୍କ ପତ୍ରରେ ପଡ଼ିଲା, ସେ ନେଇ ଦୁଇ ପ୍ରତିବେଶୀଙ୍କ ମଧ୍ୟରେ ବିବାଦ ଅର୍ଥହୀନ। ଏହାକୁ ନେଇ ଦୁଇ ପ୍ରତିବେଶୀଙ୍କ ମଧ୍ୟରେ ମିଠାଯୁଦ୍ଧ ଚାଲୁ; ଆମେ କିନ୍ତୁ ରସ ଆସ୍ବାଦନ କରୁଥାଉ!
ଅରିନ୍ଦମ ଚକ୍ରବର୍ତ୍ତୀ ତାଙ୍କର ଏହି ପୁସ୍ତକକୁ ତିନିଟି ଭାଗରେ ପ୍ରସ୍ତୁତ କରିଛନ୍ତି। ପ୍ରଥମଟି- ‘ସଂପର୍କେର ଉଠାନାମା’, ଦ୍ବିତୀୟଟି- ‘ବାଙ୍ଗାଲିର ଶ୍ରୀକ୍ଷେତ୍ର’ ଏବଂ ତୃତୀୟଟି- ଶେଷକଥା ‘ହାଲଫିଲ’। ଶେଷରେ ଅଛି ସହାୟକ ଗ୍ରନ୍ଥର ସୂଚନା ଓ ପରିଶିଷ୍ଟ। ପ୍ରତି ଅଧ୍ୟାୟ ସହିତ ସମସ୍ତ ପ୍ରାସଙ୍ଗିକ ତଥ୍ୟ ସୂଚନା ମଧ୍ୟ ରହିଛି। ଅର୍ଥାତ୍, ଏହା ଏକ କ୍ଷୁଦ୍ର ଅଥଚ ଗୁରୁତ୍ବପୂର୍ଣ୍ଣ ଗବେଷଣା ଗ୍ରନ୍ଥ। ‘ସଂପର୍କେର ଉଠାନାମା’ରେ ଏହି ଦୁଇ ପ୍ରତିବେଶୀ ପ୍ରଦେଶର ଲୋକଙ୍କ ମଧ୍ୟରେ ସଂପର୍କ କିପରି ଭାବରେ ଛିଡ଼ିଛି ଓ ବଢ଼ିଛି ତାହାର ପ୍ରାମାଣିକ ଓ ଐତିହାସିକ ବିବରଣୀ ରହିଛି। ଦ୍ବିତୀୟ ଅଧ୍ୟାୟର ପ୍ରସଙ୍ଗ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ଓଡ଼ିଶା ସହିତ ବଙ୍ଗୀୟମାନଙ୍କର ସଂପର୍କର ବିବରଣୀ ଏବଂ ତୃତୀୟ ତଥା ଶେଷ ଅଧ୍ୟାୟ- ଏ ସଂପର୍କର ସାଂପ୍ରତିକ ସ୍ଥିତି। ଏ ସବୁ ଏକ ଏକ ସ୍ବତନ୍ତ୍ର ଆେଲାଚନା ବା ଉପସ୍ଥାପନାର ବିଷୟ।
ତେବେ ଏ ପ୍ରସଙ୍ଗରେ ଶେଷ ଅଧ୍ୟାୟରେ ଉଦ୍ଧୃତ ଏକ ଅଭିଭାଷଣର ଅଂଶ ବେଶ୍ ପ୍ରାସଙ୍ଗିକ ମନେହୁଏ। ତାହା ହେଉଛି, ୧୯୫୨ ମସିହାରେ କଟକରେ ଅନୁଷ୍ଠିତ ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନରେ, ମୂଳ ସଭାପତି ଭାବରେ ଶ୍ୟାମାପ୍ରସାଦ ମୁଖାର୍ଜୀ ଦେଇଥିବା ଅଭିଭାଷଣ। ସେଥିରେ ସେ କହିଥିଲେ- ‘‘ଭାରତର ପ୍ରଧାନ ଲକ୍ଷ୍ୟ ବିଭିନ୍ନତା ମଧ୍ୟରେ ଐକ୍ୟ ସ୍ଥାପନା। ସାହିତ୍ୟ ମାଧ୍ୟମରେ ଏହି ଲକ୍ଷ୍ୟର ଫଲଗୁପ୍ରବାହ ଚିରଦିନ ଭାରତର ପ୍ରଦେଶ ପ୍ରଦେଶରେ ପ୍ରବାହିତ ହୋଇଆସିଛି। ଏହାକୁ ସ୍ମରଣରେ ରଖି ଭାରତର ପ୍ରତ୍ୟେକ ପ୍ରଦେଶର ଭାଷା ଯେଉଁଥିରେ ସମୃଦ୍ଧ ହେବ, ସେହି ଲକ୍ଷ୍ୟରେ ଆଜି ଆନ୍ତଃ-ପ୍ରାଦେଶିକ ଭାବବିନିମୟର ବ୍ୟବହାର ଆବଶ୍ୟକ। ପ୍ରାଦେଶିକ ସାହିତ୍ୟ କୃତିଗୁଡ଼ିକର ପଠନ ପାଠନ ଦ୍ବାରା ଏହି କାର୍ଯ୍ୟ ସୁଷ୍ଠୁ ଭାବରେ ସଂପନ୍ନ ହୋଇ ପାରିବ। ଏ ଦୃଷ୍ଟିରୁ ଆଜିର ପ୍ରୟୋଜନ ହେଉଛି- ଭାରତୀୟ ସାହିତ୍ୟରେ ଯାହାସବୁ ସମଧିକ ଐଶ୍ବର୍ଯ୍ୟଶାଳୀ, ସେସବୁ ଯେପରି ନିଜ ନିଜ କ୍ଷେତ୍ରରେ ଉନ୍ନତ ହୋଇ ଉଠିବ, ଗୌରବମୟ ହୋଇଉଠିବ, ସେ ଦିଗରେ ଆମେ ଦୃଷ୍ଟିଦେବା। ଗୋଟିଏ ଭାଷାକୁ ଅବଦମିତ କରି ରଖି ଅନ୍ୟ ଭାଷାର ପ୍ରସାର ଓ ପ୍ରଭାବ ବିସ୍ତୃତିର ଚେଷ୍ଟା ଉଚିତ ନୁହେଁ କି ସମର୍ଥନଯୋଗ୍ୟ ନୁହେଁ। ଭାଷାକୁ ନେଇ ଯଦି ପରସ୍ପର ମଧ୍ୟରେ ବିବାଦ ବଢ଼ି ଉଠେ, ତେବେ ତାହାଠାରୁ ଅଧିକ ମର୍ମାନ୍ତିକ ଦୁର୍ଘଟଣା ଆଉ କିଛି ହୋଇ ନ ପାରେ।’’
ଦିନ ଥିଲା, ନୂଆ ଇଂରେଜୀ ପଢ଼ୁଆ ବଙ୍ଗୀୟ ଅଧିକାରୀମାନେ ଓଡ଼ିଶାରେ ଅବସ୍ଥାପିତ ହୋଇ, ଓଡ଼ିଆ ଭାଷାକୁ ମାରିଦେବାର ଅପଚେଷ୍ଟା କରିଥିଲେ। ଦିନ ବି ଥିଲା, ଉତ୍କଳୀୟ ସ୍ଥାପତ୍ୟର ଅନୁପମ ନିଦର୍ଶନ କୋଣାର୍କକୁ ବଙ୍ଗୀୟ ଶିଳ୍ପୀ ଗଢ଼ିଥିଲେ ବୋଲି କହିଥିଲେ। ଉତ୍କଳୀୟ କବି ଜୟଦେବଙ୍କୁ ମଧ୍ୟ ଦିନେ ତାଙ୍କର ବୋଲି କହିଥିଲେ। ସେହିପରି ରସଗୋଲା କେବଳ ବଙ୍ଗଳାର ରସକୀର୍ତ୍ତି ବୋଲି କହୁଥିଲେ। ଏସବୁ ନିରାଧାର ସାବ୍ୟସ୍ତ ହୋଇଛି। ଏବେ ସ୍ଥିତି ଦ୍ରୁତ ବଦଳୁଛି। ସେହି ବଦଳିବା ଓ ପରସ୍ପର ସହ ସଂପର୍କର ସେତୁକୁ ଦୃଢ଼ କରିବା କ୍ଷେତ୍ରରେ ଏ ବହିଟି ନିଶ୍ଚିତ ଭାବରେ ସହାୟକ ହେବ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦ ୩୪୮୦୪

4 days ago
6


