Literature: ଗଳ୍ପ ଅନିଶ୍ଚିତ ଆକାଶ: ଅମରେଶ ବିଶ୍ବାଳଙ୍କ କଲମରୁ ନିଃସୃତ ମନଛୁଆ ଗଳ୍ପ....

4 days ago 5
ARTICLE AD BOX

ଅନିଶ୍ଚିତ ଆକାଶ

ଅମରେଶ ବିଶ୍ବାଳ

ଅବସରପ୍ରାପ୍ତ ସରକାରୀ ଅଧିକାରୀ ପ୍ରାଣବନ୍ତ ମହାକୁଡ଼ ନିଜକଥା କହୁ କହୁ କାନ୍ଦି ପକାଇଲେ। ରାସ୍ତାକଡ଼ ଚା ଦୋକାନଟିରେ ସକାଳର ଆସର ଜମିନଥିଲା। ମୁଁ ଅପ୍ରସ୍ତୁତ ହେଇ କହିଲି- ଚା ଥଣ୍ଡା ହେଇଯାଉଚି, ପିଇ ଦିଅନ୍ତୁ।

ପ୍ରାଣବନ୍ତ ମହାକୁଡ଼ଙ୍କ ଇଲେକ୍ଟ୍ରିଚାଳିତ ନୂଆ ସ୍କୁଟିରେ ସାମାନ୍ୟ ବି ଦାଗ ହେଇନଥିଲା। ବରଂ ମୋ କାର୍‌ର ଆଗ ବମ୍ପର୍‌ରେ ସାମାନ୍ୟ ଆଞ୍ଚୁଡ଼ାଟିଏ ଲାଗିଥିଲା। ପୂର୍ବ ଟ୍ରାଫିକ୍ ଷ୍ଟପ୍‌ରେ ଯେତେବେଳେ ମୋ ଗାଡ଼ି ତାଙ୍କ ସ୍କୁଟିକୁ ସାମାନ୍ୟ ଚୁମ୍ବନ ଦେଲା ବୃଦ୍ଧ ମହାକୁଡ଼ କ୍ରୋଧରେ ମୋ କାର୍ ବମ୍ପର୍‌କୁ ବିଧାଟାଏ ମାରି ତାଙ୍କ ଗାଡ଼ିକୁ ଆଗପଛ ଦରାଣ୍ଡି ପକାଇଲେ।

ଆହୁରି ପଢ଼ନ୍ତୁ- Ayodhya: ଅଯୋଧ୍ୟାରେ ମାଛ ଭାତ ଭୋଜି: କଣ୍ଟା ଅଟକିଲା ତଣ୍ଟିରେ, କଂଗ୍ରେସ-ବିଜେପି ମୁହାଁମୁହିଁ

ମୁଁ ତାଙ୍କୁ ଗାଡ଼ି ଭିତରୁ ହାତଯୋଡ଼ି ଥଣ୍ଡା ରହିବାକୁ ସଙ୍କେତ ଦେଲି ଏବଂ ବାଇକ୍‌ରେ ସସ୍ତ୍ରୀକ ଓ ସସନ୍ତାନ ଯାଉଥିବା ପାଖ ସହଯାତ୍ରୀଙ୍କୁ ଅନେଇ ହସିଲି। ପ୍ରକୃତରେ ବାପାମାଆଙ୍କ ବନ୍ଧନୀ ଭିତରେ ଚାପି ହୋଇ ବସିଥିବା ତାଙ୍କ କୁନିଝିଅଟି ଢୋଳାଉଛି ବୋଲି ସେମାନଙ୍କୁ ସଚେତନ କରିବାକୁ ଚେଷ୍ଟିତ ଥିଲାବେଳେ, ଅସାବଧାନତାବଶତଃ ସାମ୍ନାରେ ଠିଆ ହୋଇଥିବା ପ୍ରାଣବନ୍ତ ମହାକୁଡ଼ଙ୍କ ଇଲେକ୍ଟ୍ରିଚାଳିତ ସ୍କୁଟିକୁ ମୋ କାର୍ ସାମାନ୍ୟ ଛୁଇଁ ଦେଇଥିଲା।

“ଏ ବୟସରେ ଆପଣ ଏତେ ରାଗୁଛନ୍ତି ମଉସା?’’
ଟ୍ରାଫିକ୍ ପାର ହେଲାପରେ ବୃଦ୍ଧ ପ୍ରାଣବନ୍ତ ମହାକୁଡ଼ ଗାଡ଼ି ସାଇଡ୍ କରି ଦେଖୁଥିଲେ ତାଙ୍କ ଗାଡ଼ିରେ କେଉଁଠି ଦାଗ ହେଇଛି କି ନାହିଁ। ମୁଁ ମଧ୍ୟ ସେଇଠି ଗାଡ଼ି ସାଇଡ୍ କଲି ଓ ତାଙ୍କୁ ଅସଲ ଘଟଣାଟା ବୁଝେଇବାକୁ ଚାହିଲି।
“ବରଂ ଈଶ୍ୱରଙ୍କୁ ଆମେ ଧନ୍ୟବାଦ ଦେବାକଥା ଯେ, ଆମର କାହାର କିଛି ହେଇନି।’’ ମୁଁ ବୃଦ୍ଧଙ୍କ ଆଡ଼କୁ ଲକ୍ଷ୍ୟ କରି କହିଲି, ଯେତେବେଳେ କି ସିଏ ତଥାପି ତାଙ୍କ ଇଭି ଗାଡ଼ିଟିକୁ ଅଣ୍ଡାଳୁଥିଲେ।
ମୁଁ ପାଖକୁ ଆସିଲା ପରେ ଏଥର ସେ ସ୍କୁଟିର ଷ୍ଟାଣ୍ଡ୍‌ ମାରିଲେ ଓ ମତେ ଅନେଇଲେ। ମୁଁ ହସିଲି ଓ ତାଙ୍କ ସ୍କୁଟିର ପ୍ରଶଂସା କଲି।
“ପୂରା ନୂଆଟା ନା ମଉସା। ବଢ଼ିଆ ରଙ୍ଗ ଖଣ୍ଡେ ଦେଖି କିଣିଛନ୍ତି। ଖେଳନା ପରି ଦିଶୁଛି। ଆପଣଙ୍କର ନା ନାତୁଣୀର।’’

ମୁଁ ତାଙ୍କୁ ଟିକେ ସହଜ କରିବାକୁ ଚେଷ୍ଟା କରୁଥିଲି। ପ୍ରାଣବନ୍ତ ମହାକୁଡ଼ ମୋ ଆଡ଼କୁ ଟିକେ ଅନେଇ ହସିଲେ, ଚା ପିଇଲେ ଓ ସହଜ ହେଇଗଲେ। କହିଲେ, “ବୁଝିଲ ବାବୁ, ଏ ପ୍ରାଣବନ୍ତ ମହାକୁଡ଼ ଉଠା ଜଳସେଚନ ବିଭାଗରେ ଜୀବନଟା କାଟିଦେଲା, କିନ୍ତୁ ତା’ ଜୀବନଟା କେବେ ଉଠିପାରିଲା ନାହିଁ।’’
ମହାକୁଡ଼ଙ୍କ ବ୍ୟଙ୍ଗାତ୍ମକ ବାକ୍ୟ ପ୍ରୟୋଗ ମତେ ଭଲ ଲାଗିଲା। ଚା ପିଉପିଉ କହିଲି, “ସମଗ୍ର ଜୀବନକୁ ଆପଣ ସରକାରଙ୍କ ସେବାରେ କାଟି ଦେଇଛନ୍ତି ତାହା କ’ଣ ବଡ଼ କଥା ନୁହେଁ ମଉସା?’’

ଆହୁରି ପଢ଼ନ୍ତୁ- Ocean Winner Ship Mystery ଖୋଲିପାରୁନି ‘ଓସେନ୍ ୱିନର’ଜାହଜର ଡୁବିବା ଘଟଣାର ରହସ୍ୟ

ଶୃଙ୍ଖଳିତ ଆଉ କ’ଣ, ଚାକିରି ପରେ ଏ ଯାଏଁ ପେନସନ୍ ମିଳିନି, ଚାକିରି ଜୀବନରେ ଗୁଡ଼ାଏ ଲାଞ୍ଚ ଖାଇ ପିଲାଟାକୁ ତିଆରି କଲି, ହେଲେ କ’ଣ ହେଲା, ମୁଁ ଆଜି ଏକା। ଯିଏ ମୋ ସାଙ୍ଗରେ ଥିଲା ଜୀବନ ସାରା, ମୋ ସ୍ତ୍ରୀ, ସେ ବି ଆଉ ନାହିଁ।
ପ୍ରାଣବନ୍ତ ମହାକୁଡ଼ ରୋକ୍‌ଠୋକ୍‌ ମଣିଷ ପରି ଜଣାପଡୁଛନ୍ତି। ନହେଲେ ଆଜିକାଲି କିଏ ନିଜ ଅପକର୍ମ ଓ ପାରିବାରିକ ଦୁଃଖ ବିଷୟରେ ପରମଣିଷ ଆଗରେ ଖୋଲିକି ଏମିତି କହିଦିଏ ?
କଥାଟି କହିଦେଇ ପ୍ରାଣବନ୍ତ ମହାକୁଡ଼ ମୁଁ ମଗେଇଥିବା ଚା’ଟାକୁ ସୁଡୁ ସୁଡୁ କରି ପିଉଥିଲେ ଓ ହସୁଥିଲେ। ଏବେବି ସେ ସାର୍ଟକୁ ତାଙ୍କ ଢିଲା ପ୍ୟାଣ୍ଟରେ ଇନ୍ କରି ପିନ୍ଧିଛନ୍ତି। ବେଲ୍ଟ ନାହିଁ। ମୁଁ କହିଲି- “ହେଲା ଏବେ, ନିଜ ପିଲାଟା ତ ସେ ଯୁଆଡ଼େ ଗଲେବି ଆପଣଙ୍କର ନା ଆଉ କାହାର। ସେ ପୁଣି ବୁଝି ପାରିବ ଯେ।’
ପ୍ରାଣବନ୍ତ ମହାକୁଡ଼ଙ୍କୁ ମୁଁ ସହଜ କରିବାକୁ ଏହି କଥା ପଦିଏ କହିଲି। ସେ ଖୁସି ଦିଶିଲେ ନାହିଁ। ବରଂ ପୁରୁଣା ଦୁଃଖଟିଏ କହିଲେ।

ସେ ଆଉ କ’ଣ ଫେରିବ? ସମାନ ସହରରେ ସେମାନେ ଅଲଗା ରହୁଛନ୍ତି, ଆମେ ବୁଢ଼ାବୁଢ଼ୀ ଭଡ଼ାଘରେ ପଡ଼ିଥିଲୁ। ମାଆଟା ମରିଗଲା ଯେ ଟିକେ ଦେଖିବାକୁ ଆସିଲା ନାହିଁ କି ମୁହଁରେ ପାଣି ଦେବାକୁ ଆସିଲା ନାହିଁ। ଆଉ କ’ଣ ସିଏ ଆସିବ? ଯାହା ପଇସାପତ୍ର ଥିଲା ସେଇଥିରେ ଏଇ ସ୍କୁଟିଟାକୁ କିଣିଥିଲି ନାତୁଣୀକି ଦେବି ବୋଲି, କାଳେ ପୁଅବୋହୂ ଟିକେ ଖୁସି ହେବେ। ହେଲେ ଅତି କଠୋର କଥା କହି ଫେରେଇ ଦେଲେ। କହିଲେ, ପେନସନ୍ ଟଙ୍କା ସବୁ ଆମକୁ ଦିଅ, ଏ ସ୍କୁଟି ଦେଇକି ଭଣ୍ଡେଇଲେ ହେବନି। ତମେ ତ ବୁଢ଼ା ହେଲଣି, ସେ ଟଙ୍କା ସବୁ କ’ଣ କରିବ?

ଆହୁରି ପଢ଼ନ୍ତୁ- H1N1 Cases: ଭାରତରେ ବଢୁଛି ଏଚ୍‌୧ଏନ୍‌୧ ମାମଲା: ସ୍ୱାସ୍ଥ୍ୟ ପରାମର୍ଶ ଓ ସତର୍କତା କ’ଣ ରହିଛି ଜାଣିବା

ମୋ ପାଟିରୁ ଆପେ ବାହାରି ପଡ଼ିଲା, “ଆରେରେ... ଏଗୁଡ଼ା କି କଥା? ବାପମାଆଙ୍କର ସବୁକିଛି ପିଲାମାନଙ୍କର, ତା’ ବୋଲି କ’ଣ  ଏମିତି?’’
“ରିଟାୟାର୍ଡ ପରେ ଯୋଉ କେତେ ଲକ୍ଷ ଟଙ୍କା ମିଳିଥିଲା ସବୁ ନେଇଗଲା, ପେନସନ୍ ତ ପାଉନି, ଏବେ ମୋ ପାଖରେ କାଣି କଉଡ଼ିଟିଏ ନାହିଁ, ଏ ବୟସରେ ରୋଷେଇ କରି ଖାଉଛି, ଲୁଗା କାଚି ପାରୁନି, ଚାକର ପିଲାଟିଏ ଥିଲା ଯେ, ସବୁ ଚୋରି କରି ନେଇଗଲା। କି ଶିକ୍ଷା ଦେଇଥିଲି କେଜାଣି, ନିଜ ପିଲାଟା ଅମଣିଷ ହେଇଗଲା। ଈଶ୍ୱର କରନ୍ତୁ, ସେ ଭଲରେ ରହୁ।’’

ପଚାରିଲି, “ଏବେ ପୁଣି କେମିତି କ’ଣ କରିବେ ବୋଲି ଭାବିଛନ୍ତି?’’
ସେ ନିଜ ଇନ୍ ସଜାଡୁ ସଜାଡୁ କହିଲେ, “ଗୋଟେ ବୃଦ୍ଧାଶ୍ରମ ବୁଝିଛି। ସେଇଠିକି ଯାଉଥିଲି। ଭାବୁଛି ସେଇଠି ରହିଯିବି। ତାଙ୍କୁ କହିଛି, ପେନ୍‌ସନ ଯାହା ପାଇବି ମାସକୁ ମାସ ଦେଇଦେବି। ହେଲେ ସେ ପଚାରିଲା, ପେନ୍‌ସନ କେବେ ପାଇବେ, ଏତେଦିନ ଯାଏ ତ ମାଗଣା ରହିହେବନି। ତାକୁ କହିଲି, ଏ ନୂଆ ସ୍କୁଟିଟା କିଣିଥିଲି, ଏଟାକୁ ନେଇଯା, ତମର ବୃଦ୍ଧାଶ୍ରମରେ ଦରକାର ଆସିବ। ସେ ରାଜି ହୋଇଛି। ତା ଭିତରେ ଧରାଧରି କରି ପେନସନ୍‌ଟା କରେଇଦେବି। ନହେଲେ କ’ଣ ସେ ମତେ ରଖିବ?’’

ପ୍ରାଣବନ୍ତ ମହାକୁଡ଼ଙ୍କ କଥା ଶୁଣି ମୋ ଆଖିରେ ଲୁହ ଜକେଇ ଆସିଲା। ସେଇ ଚା ଦୋକାନ ଆଗରେ ମୁଁ ତାଙ୍କୁ ଆବେଗରେ ଜାବୁଡ଼ି ଧରିଲି। ମତେ ଲାଗିଲା, ଗୋଟେ ନିଛାଟିଆ ରାସ୍ତାରେ ଅସହାୟ ଅବସ୍ଥାରେ ଏକୁଟିଆ ଠିଆ ହେଇଛନ୍ତି ମୋ ବୁଢ଼ା ବାପା। ତାଙ୍କ ପଛରେ ଦୁଃଖରେ ଭର୍ତ୍ତି ଏକ ଭୁଲି ହେଉନଥିବା ଅତୀତ, ଆଉ ଆଗରେ ଶୂନ୍ୟ ଆକାଶ ପରି ଏକ ଅନିଶ୍ଚିତ ଭବିଷ୍ୟତ।

ମୋ: ୯୮୬୧୪୧୫୩୭୭

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.