Literature: ସୃଜନ ସମ୍ଭାର: ତିନିଟି କ୍ଷୁଦ୍ରଗଳ୍ପ ଲେଖିକା ସ୍ତୁତି ମିଶ୍ରଙ୍କ କଲମରୁ ନିଃସୃତ...

46 minutes ago 2
ARTICLE AD BOX

ସୃଜନ ସମ୍ଭାର

ମାଛଲାଞ୍ଜ

କେଜାଣି କାହିଁକି ମୋ ମା’କୁ ଏମିତି ଖାଇବା ଭଲ ଲାଗେ, ଯୋଉଟା କେହି ଖାଆନ୍ତିନି। ଯେମିତିକି ମାଛ ଲାଞ୍ଜ, ଆମ୍ବଟାକୁଆ, ପାଉଁରୁଟିର ପ୍ରଥମ ଆଉ ଶେଷ ଖଣ୍ଡ।

ସମସ୍ତଙ୍କୁ ବଳେଇ ବଳେଇ ବାଢ଼ି ସାରିଲା ପରେ ସେ ଖାଇବାକୁ ବସିଲା ବେଳକୁ ଏମିତି ମାଛଲାଞ୍ଜ କି ମୁଣ୍ଡ ନହେଲେ କେହି ଖାଉ ନଥିବା ପେଟି ମାଛ ଧରିକି ବସେ। ତୋ ପାଇଁ କାହିଁକି ରଖୁନୁ ପଚାରିଲେ କହେ, “ମତେ ମାଛଲାଞ୍ଜ ଖାଇବାକୁ ବହୁତ ଭଲ ଲାଗେ।” ଦିନେ ପଖାଳ ଖାଇଲା ବେଳେ ମୁଁ ଆମ୍ବଟାକୁଆ ଆଉ ମାଛଲାଞ୍ଚ ନେଇ ଗଲିI ସେଦିନ ମା’ କହିଲା, “ତୁ ଭଲ ପିସ୍ ନେ। ସେଇଟା ମୁଁ ଖାଇଦେବି’’। ମୁଁ କହିଲି, “ଦେଖିବା କେତେ ଭଲ ଲାଗୁଛି। ତୁ ସବୁବେଳେ ଖାଉଚୁ ମୁଁ ଦିନେ ଚାଖେ।” ସେଦିନ ମା’ ମନ ଟିକେ ଦୁଃଖ ହେଇଗଲା।

ତା’ପର ଥର ପୁଣି ପଖାଳ ମାଛ ଆଉ ଆମ୍ବ ଖାଇବା ପାଇଁ ଆଣିଲା ବେଳେ ମୁଁ ଦେଖିଲି ମାଛଲାଞ୍ଜଟା ଟିକେ ବେଶି ବଡ଼ କଟା ହେଇଚି, ଆଉ ଆମ୍ବଟାକୁଆ ତା ବି ଟିକେ ବେଶି ମୋଟା ହେଇଚି। ଆଜି କିନ୍ତୁ ମୋ ମା’ ମନ ଆଉ ଦୁଃଖ ନଥିଲା ମୁଁ ମାଛଲାଞ୍ଜ ଆଉ ଆମ୍ବଟାକୁଆ ନେଲାବେଳେ।

ଆହୁରି ପଢ଼ନ୍ତୁ- Delhi Air Pollution: ଦିଲ୍ଲୀ ପ୍ରଦୂଷଣକୁ ନେଇ ରାଜନୈତିକ ବାକ୍ ଯୁଦ୍ଧ ଆରମ୍ଭ: ମନିଟରିଂ ତଥ୍ୟ ହେରଫେର୍ ଅଭିଯୋଗ ଆଣିଲେ ବିରୋଧୀ ଦଳ

ଭୋଜି

କିଛିଦିନ ହେଲା ଭୋଜି ଖାଇବାକୁ ଭାରି ଇଚ୍ଛା ହେଉଛି। ଧାଡ଼ି ଧାଡ଼ି ହୋଇ ତଳେ ବସି ଖଲିପତ୍ରରେ ଯୋଉ ଭୋଜି ଖାଆନ୍ତି ମ ସେଇ ଭୋଜି। ଧାଡ଼ିରେ ଲୋକ ବସିଲା ପରେ ପତ୍ର ପଡ଼ିବ ତା’ପରେ ଆସିବ ପାଣି। ପାଣି ଛିଞ୍ଚିଲା ପରେ ଆସିବ ଲୁଣ, ଲଙ୍କା ଆଉ ଲେମ୍ବୁ। ତା’ପରେ ଭାତ, କାନିକା, ଡାଲି, ଡାଲମା, ଖଟା, ତରକାରି, ବେସର, ଆମ୍ବିଳ, ମାଛ, ଚିଙ୍ଗୁଡ଼ି। ଆଉ ଶେଷରେ ପତ୍ର ସଫା କରି ଖାଇଲା ପରେ ଆସିବ କ୍ଷୀରି ଆଉ ମିଠା।

ପରଷୁଥିବା ଲୋକଗୁଡ଼ାକ ପ୍ରାୟତଃ ସବୁ ସାନ ସାନ କାକା, ମାମୁ ନହେଲେ ଭାଇନାମାନେ। ବଳେଇ ବଳେଇ ବାଢୁଥିବେ। କୋଉଟା ଗୋଟେ ମନା କଲେ ଜବରଦସ୍ତି ପତ୍ରରେ ‘ବଢ଼ିଆ ହେଇଛି ଖାଇ ଦେ’ କହି ବାଢ଼ି ଦଉଥିବେ। ସେଇ ଭୋଜି।

ଭାରି ମନେପଡୁଛି ସେଇ ଭୋଜି। ଆଜିକାଲି ତ ଲଞ୍ଚ ଆଉ ଡିନର୍‌ ହଉଚି। କିଛି ଲୋକଙ୍କର ଇଚ୍ଛା ଥାଇ କି ବି ଭୋଜି ଜାଗାରେ ଲଞ୍ଚ କି ଡିନର୍‌ ଆୟୋଜନ ପାଇଁ।
କାହିଁକି ନା ମୋ ପରି କେତେଜଣଙ୍କୁ ଇଚ୍ଛା ହେଉଥିବ ଯେ ତଳେ ବସି ଭୋଜି ଖାଇବାକୁ।


ଶାଶୁ ବୋହୂ

କେତେ ଭାବିଥିଲି ବୋହୂ ଆସିଲେ ଟିକେ ଶାଶୁପଣିଆ କରିବି। ଟିକେ ଧମକଚମକ ଦେଖେଇବି। ଟିକେ ଫର୍ମାଇସ କରିବି ନୂଆ ନୂଆ ଖାଇବାର। ସବୁ କଥାରେ ଆକଟ କରିବି ଆଉ ପ୍ରତି ପାଦରେ ଜଣାଇ ଦେବି କି ମୁଁ ଏ ଘରର ରାଣୀI ମୋ ବିନା ଅନୁମତିରେ ଏଠି ପତ୍ର ହଲିବା ବି ଅସମ୍ଭବ।

ଏଇ ମନ ନେଇ ବାହାଘରର ପରଦିନ ବୋହୂକୁ ନିଦରୁ ଉଠାଇବାକୁ ଗଲି ଯେ ସେ କବାଟ ଖୋଲିଲା ବେଳକୁ ସଜବାଜ ହେଇକି ଫୋନ୍ ଧରି ରିଲ୍‌ସ କରୁଛି। ମତେ ଦେଖି କହିଲା, “ଆସ ବୋଉ ଗୋଟେ ରିଲ୍‌ କରିବା। ଆମେ ଶାଶୁ ବୋହୂ କେତେ ବଢ଼ିଆ ଚଳୁଚେ, ସମସ୍ତଙ୍କୁ ଦେଖେଇ ଦେବା।”

ଆଉ ସେଦିନ ଠୁଁ ଆରମ୍ଭ ହେଲା ମତେ ରିଲ୍‌, ରିଲ୍‌ରେ ନାଚିବା, ଡାଇଲଗ୍ କହିବା ଏମିତି କେତେ କ’ଣ ଶିଖାଇବା। ଭୁଲ୍‌ ହେଲେ ଗାଳି ଶୁଣିଲି। ଗୋଟେ ପରେ ଗୋଟେ ରୋଷେଇ ବରାଦ ଦିଆ ହେଲା ଆଉ ମୁଁ କଲା ପରେ ଶୁଣିଲି ମୋ ଶାଶୁ କେତେ ଭଲ। ମୁଁ ନ କହିଲେ ବି ସେ ମୋ ମନ ଜାଣି ରୋଷେଇ କରୁଛନ୍ତି। ଇମିତି କେତେ କ’ଣ ପ୍ରଶଂସା। ବୋହୂର ରିଲ୍‌ସ ଦେଖିକି ସମସ୍ତେ ଖୁସି ହେଲା ବେଳେ ମୁଁ ଖୁସି ହେବି ନା ଦୁଃଖ କରିବି ଜାଣିପାରୁନି।

ଏତିକି ଖାଲି ଏଇ ରିଲ୍‌ସ ଆଉ ବ୍ଲଗ୍‌ ପାଇଁ ଶାଶୁପଣିଆ ଦୂରରେ ଥାଉ ଶାଶୁ ହବାକୁ ବି ଡର ମାଡୁଚି।

ଆହୁରି ପଢ଼ନ୍ତୁ- Former MP N. Bhaskar Rao Sent to Jail ଭାଗିରଥି ମାଣ୍ଡା‌ଙ୍ଗି ହତ୍ୟା ମାମଲା: ଜେଲ୍‌ ଗଲେ ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ

ପିଲାଦିନକୁ ବାଟ

କାମ ସାରିକି ଘରକୁ ଆସିବାକୁ ବାହାରିଲା ବେଳେ ଜଣାପଡ଼ିଲା କେତେ ଜୋର୍ ଖରା। ଅଟୋକୁ ହାତ ଦେଖେଇଲା ବେଳେ ଦେଖିଲି ଦୂରରୁ ରିକ୍ସାଟେ ଆସୁଛି। ଇଛା ହେଲା ଆଜି ରିକ୍ସାରେ ବସିବାକୁ।

ଆଖି ଆଗରେ ଭାସିଆସିଲା ପିଲା ବେଳର କିଛି ଛବି। କେଉଁଥିରେ ଘରୁ ବାହାରିଲା ବେଳେ ମା’ ଡାକୁଚି ରିକ୍ସାକୁ ତ କୋଉଠି ମୁଁ ଆଉ ଲିପ୍ସା ଠିଆ ହେଇଚୁ ସ୍କୁଲ ଯିବାକୁ। କୋଉଠି ମୁଁ କଲେଜ ଯିବାକୁ ଠିଆ ହେଇଚି ତ କୋଉଠି ବଜାର ବୁଲିବାକୁ ମା’ ଝିଅ ବାହାରିଚୁ। କୋଉଠି ମା ମୂଲଚାଲ କରୁଛି ତ କୋଉଠି ମୁଁ। ଏ ରିକ୍ସା ମୋ ପିଲାବେଳୁ ମତେ ଦେଖି ଆସିଚି। ବହୁ ଅଚିହ୍ନା ରାସ୍ତା, ଗଳିକନ୍ଦି ସାଙ୍ଗେ ଚିହ୍ନା କରେଇଛି।

ଏମିତି ଅନ୍ୟମନସ୍କ ହେଇ ରାସ୍ତାରେ ଭାବୁ ଭାବୁ ରିକ୍ସା ଆସି ପଚାରିଲା, “ମା’ କୁଆଡ଼େ ଯିବ?” ମୋ ପାଟିରୁ ବାହାରି ପଡ଼ିଲା ପିଲାଦିନକୁ। ସେ ମୋ ମୁହଁକୁ ଚାହିଁ କହିଲା, ‘‘ମା’ ଏତେ ଦୂର କ’ଣ ଯାଇ ହବ ରିକ୍ସାରେ। ପାଖକୁ କୁଆଡ଼େ ଯିବ ଯଦି ନେଇଯିବି।” ମୁଁ ହସି ହସି ଘର ଠିକଣା କହି ବସିପଡ଼ିଲି ଆଉ ମୂଲଚାଲ ନ କରିକି।

ଲେଖିକା- ସ୍ତୁତି ମିଶ୍ର

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.