ARTICLE AD BOX
ଝାରସୁଗୁଡ଼ା (ଜ୍ଞାନବ୍ରତ ଭୋଇ): ନେପାଳରେ ବନ୍ୟାର ମହାପ୍ରଳୟକୁ ନେଇ ସମଗ୍ର ବିଶ୍ବ ଥରି ଉଠିଛି। ପ୍ରକୃତିର ତାଣ୍ଡବ କେତେ ଯେ ଭୟଙ୍କର ହୋଇପାରେ, ଏହି ଘଟଣା ତାକୁ ପୁଣିଥରେ ସମସ୍ତଙ୍କୁ ଦେଖାଇ ଦେଇଛି। ସେପଟେ, ନଦୀର ପ୍ରାକୃତିକ ସ୍ରୋତ ଅବରୋଧ ହିଁ ଏଭଳି ଘଟଣାର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଦୀର୍ଘତମ ନଈ ମହାନଦୀରେ ପଟୁ ଯୋଗୁଁ ସୃଷ୍ଟି ହୋଇଥିବା ଏକାଧିକ ବାଲୁକାଶଯ୍ୟା ହିଁ ଆଗକୁ ବଡ଼ ବିପର୍ଯ୍ୟୟର କାରଣ ହୋଇପାରେ ବୋଲି ବହୁ ଦିନରୁ ଆଶଙ୍କା କରାଯାଉଛି। କେବେ ଯଦି ବାଦଲଫଟା ବର୍ଷା ହୁଏ, ତା’ ହେଲେ ଏହି ବାଲିସ୍ତୂପ କାରଣରୁ ନଦୀ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ କେତେ ବଡ଼ ବିପଦ ସୃଷ୍ଟି ହେବ ତାହା କଳ୍ପନା ବାହାରେ ବୋଲି ବିଶେଷଜ୍ଞମାନେ ମତ ଦେଲେଣି।
Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି
ମହାନଦୀ ଛତିଶଗଡ଼ରୁ ଆସି ଝାରସୁଗୁଡା ଜିଲ୍ଲାର ସୁଖାସୋଢ଼ାଠାରେ ଓଡ଼ିଶାରେ ପ୍ରବେଶ କରିଛି। ଏହାର ଅପରପାର୍ଶ୍ବରେ ବରଗଡ଼ ଜିଲ୍ଲାର ପଥରାସେନୀ ରହିଛି। ତେବେ, ଏଠାରେ ମହାନଦୀ ସିଧା ୮ କିମି ଆସିବା ପରେ ପୁଣି ବାମପଟ ବା ଝାରସୁଗୁଡ଼ା ପଟକୁ ମୋଡ଼ିଯାଇଛି। ସେଠାରୁ ଅଳ୍ପ ବାଟ ସିଧା ବହିବା ପରେ ଲଖନପୁର ବ୍ଲକ୍ର କୁସମେଲରୁ ପୁଣି ଡାହାଣ ପଟକୁ ମୋଡ଼ାଣି ନେଇଛି। ହେଲେ ଗତ ପ୍ରାୟ ୨ ଦଶନ୍ଧି ହେଲା ଏହି ଗତିପଥରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଉଭୟ ବରଗଡ଼ ଓ ଝାରସୁଗୁଡ଼ା ପଟେ ପ୍ରାୟ ୪୦ କିମି ଭିତରେ ମହାନଦୀ ତାର କୂଳ ଖାଇ ଗତିପଥ ବଦଳାଇବାରେ ଲାଗିଛି। ଏହାର କାରଣ ହେଲା, ମହାନଦୀର ସୀମାନ୍ତ କଣ୍ଢେଇକେଲାରୁ ଆରମ୍ଭ କରି ପଲସଦା, ତାମଦେଇ ଘାଟ ଭିତରେ ପ୍ରାୟ ୧୫ରୁ ଅଧିକ ସ୍ଥାନରେ ବିରାଟକାୟ ବାଲୁକାସ୍ତୂପ ସୃଷ୍ଟି ହେଲାଣି। ଏହି ବାଲୁକାସ୍ତୂପଗୁଡ଼ିକ ଦ୍ବାରା ମହାନଦୀର ଗତିପଥ ବାରମ୍ବାର ବଦଳିବାରେ ଲାଗିଛି।
ଓଡ଼ିଶା ସୀମାରେ ସୃଷ୍ଟି ହେଲାଣି ଏକାଧିକ ବାଲୁକାଶଯ୍ୟା
ବାଦଲଫଟା ବର୍ଷା ହେଲେ ମହାବିପତ୍ତି!
ହୀରାକୁଦ ଜଳଭଣ୍ଡାରରେ ପଟୁ ସମସ୍ୟାକୁ ନେଇ ସବୁ ବେଳେ ଚର୍ଚ୍ଚା ହୋଇଆସିଛି। ହେଲେ ଏହାର ନିରାକରଣ ପାଇଁ କାହାରି ପାଖରେ ଉପାୟ ନାହିଁ କି କୌଣସି ପଦକ୍ଷେପ ବି ନିଆଯାଇ ନାହିଁ। ଏଭଳି ସ୍ଥିତିରେ ସରକାରୀ ଭାବେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୨ ପ୍ରତିଶତ ପଟୁ ଜମା ହୋଇଥିବା କୁହାଯାଉଥିବା ବେଳେ ଅନ୍ୟପଟେ ବିଶେଷଜ୍ଞଙ୍କ ଆକଳନ ହିସାବରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୨ ପ୍ରତିଶତ ପଟୁ ଜମା ହେଲାଣି। ଏଭଳି ସ୍ଥିତିରେ ବର୍ତ୍ତମାନ ଜଳଭଣ୍ଡାର ଭିତରେ ସୃଷ୍ଟି ହୋଇଥିବା ବିରାଟ ବିରାଟ ବାଲୁକାସ୍ତୂପ ହିଁ ପଟୁ ସମସ୍ୟା କେତେ ଉତ୍କଟ ହେଲାଣି ତାହାର ପ୍ରମାଣ ବୋଲି କୁହାଯାଉଛି। କାରଣ, ଗୋଟିଏ ଗୋଟିଏ ବାଲୁକାସ୍ତୂପର ଆକାର ପ୍ରାୟ ୨ରୁ ୩ ବର୍ଗ କିମି ବା ଅଧିକ ହୋଇଥିବା ବେଳେ ଏଥିରେ ଗୁଳ୍ମଜାତୀୟ ଘଞ୍ଚ ବନାନୀ ସୃଷ୍ଟି ହୋଇ ବିଭିନ୍ନପ୍ରକାର ବନ୍ୟପ୍ରାଣୀଙ୍କ ଆଶ୍ରୟସ୍ଥଳ ପାଲଟିଲାଣି। ଏପରିକି ହୀରାକୁଦ ଜଳଭଣ୍ଡାରରେ ସର୍ବୋଚ୍ଚ ୬୩୦ ଫୁଟ ପାଣି ରହିଥିବା ବେଳେ ବି ଏହି ବାଲୁକାସ୍ତୂପଗୁଡ଼ିକ ଅନେକ ସ୍ଥାନରେ ପାଣି ଉପରକୁ ସ୍ପଷ୍ଟ ଦିଶୁଛି। ତେବେ, ଏହି ବାଲୁକାସ୍ତୂପଗୁଡିକ ପ୍ରଥମତଃ ଜଳଭଣ୍ଡାରର ଜଳଧାରଣ କ୍ଷମତାକୁ ହ୍ରାସ କରୁଥିବା ବେଳେ ଦ୍ବିତୀୟରେ ଏହା ନଦୀର ଗତିପଥକୁ ଚିନ୍ତାଜନକ ଭାବେ ଅବରୋଧ କରୁଛି। ଗତ ପ୍ରାୟ ଏକ ଦଶନ୍ଧି ମଧ୍ୟରେ ମହାନଦୀର ଉପରମୁଣ୍ଡ ସୀମାନ୍ତରେ ହେଉଥିବା ବନ୍ୟା ପରିସ୍ଥିତି ପାଇଁ ଏହି ବାଲୁକାସ୍ତୂପ ଅନେକ ମାତ୍ରାରେ ଦାୟୀ ବୋଲି କୁହାଯାଉଛି।
Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା
ଆଗକୁ ବଡ଼ଧରଣର ବାଦଲଫଟା ବର୍ଷା ସ୍ଥିତି ଉପୁଜିଲେ ଏହା ମହାବିପତ୍ତିର କାରଣ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ପୂର୍ବରୁ ଅନେକ ବର୍ଷ ଜଳସଂପଦ ବିଭାଗର ସଚିବ ଦାୟିତ୍ବରେ ଥିବା ଓଡ଼ିଶା ସରକାରଙ୍କ ଜଣେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ମଧ୍ୟ ଏକ ଆଲୋଚନାବେଳେ ଉପରମୁଣ୍ଡର ବନ୍ୟା ସ୍ଥିତି ପାଇଁ ଏହି ବାଲୁକାସ୍ତୂପଗୁଡ଼ିକୁ ଦାୟୀ କରିଛନ୍ତି। ଭବିଷ୍ୟତରେ ମହାନଦୀରେ ପ୍ରାୟ ୨୩ରୁ ୨୫ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ପାଣି ଆସିବାର ଆକଳନ କରିଛି କେନ୍ଦ୍ରୀୟ ଜଳ ଆୟୋଗ। ଯଦି ଏହି ଅନୁମାନ ସତ ହୁଏ, ତା’ ହେଲେ ମହାନଦୀର ପ୍ରବେଶସ୍ଥଳ ସୁଖାସୋଢାରୁ ଆରମ୍ଭ କରି ଉଭୟ ପାର୍ଶ୍ବରେ ଥିବା ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଏବଂ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ୍ରେ ଅଭୂତପୂର୍ବ ବିପର୍ଯ୍ୟୟ ହେବାର ଆଶଙ୍କା ରହିଛି।

56 minutes ago
1


