ARTICLE AD BOX
ପାରଳାଖେମୁଣ୍ଡି: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ସ୍ଥିତି ବେହାଲ ହୋଇଛି। ମହେନ୍ଦ୍ରତନୟା ଉଛୁଳିବାରୁ ନଦୀ ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃୃଷ୍ଟି ହୋଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହୋଇଯାଇଛି। ଅନେକ ଗାଁ ଜଳଘେରରେ ରହି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ବ୍ରହ୍ମପୁର-ପାରଳାଖେମୁଣ୍ଡି ଓ ମୋହନା-ବ୍ରହ୍ମପୁର ରାସ୍ତାରେ ଯାତାୟାତ ବନ୍ଦ କରାଯାଇଛି। ତେବେ ମୋହନା, ରା.ଉଦୟଗିରି, ରାୟଗଡ଼ ଓ ଗୋଷାଣୀ ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ବନ୍ୟାର ପ୍ରଭାବ ପରିଲକ୍ଷିତ ହୋଇଛି। ରାୟଗଡ଼ ବ୍ଲକ୍ର ଜିରାଙ୍ଗ ଗାଁ ଜଳବନ୍ଦି ହୋଇ ପଡ଼ିଥିବା ବେଳେ ରା.ଉଦୟଗିରି ବ୍ଲକ୍ର ତାଣ୍ଡିଗୁଡ଼ା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ତାଣ୍ଡିଗୁଡ଼ା ଗ୍ରାମବାସୀଙ୍କ ନିକଟରେ ରାସନ ସାମଗ୍ରୀ ପହଞ୍ଚାଇବା ପାଇଁ ଓଡ୍ରାଫ୍ ଟିମ୍କୁ ପ୍ରଖର ଜଳସ୍ରୋତ ମଧ୍ୟରେ ନଦୀ ପାର ହେବାକୁ ପଡ଼ିଥିଲା।
Health: ଆଜି 'ଆଡପ୍ଟ' ବୈଠକ; ସ୍ୱାସ୍ଥ୍ୟ ନୀତିରେ ବୈଜ୍ଞାନିକ ପ୍ରମାଣ ଉପରେ ଗୁରୁତ୍ୱ
ଅନ୍ୟପକ୍ଷରେ ଗୋଷାଣୀ ବ୍ଲକ୍ର ବାପୁଜୀପେଣ୍ଠ ଓ ଗଜପତିନଗର ଗାଁ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ବାପୁଜୀପେଣ୍ଠ ଗାଁ ବନ୍ୟାଜଳରେ ବୁଡ଼ି ରହିଥିବା ବେଳେ ବାଘଶାଳା ଗାଁରେ ମଧ୍ୟ ପାଣି ପଶିଛି। ଚାରିପଟେ ବନ୍ୟାଜଳ ଘେରି ରହିଥିବାରୁ ଉକ୍ତ ଗାଁଗୁଡ଼ିକୁ ଯୋଗାଯୋଗ ଠପ୍ ହୋଇଯାଇଛି। ଜଳବନ୍ଦି ଗାଁଗୁଡ଼ିକରେ ପହଞ୍ଚିବାକୁ ପ୍ରଶାସନ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ମହେନ୍ଦ୍ରତନୟାର ପ୍ରଖର ଜଳସ୍ରୋତ ବାଧକ ସାଜିଛି। ବନ୍ୟାଜଳରେ ରାୟଗଡ଼ ବ୍ଲକର ଜିରାଙ୍ଗ-ମଣ୍ଡଳସାହି ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ତାଳମୁଣ୍ଡା ଗାଁକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜଲାଙ୍ଗ ଓ ସିଣ୍ଡିସିଙ୍ଗ ରାସ୍ତାରେ ମାଟିଅତଡ଼ା ଖସିଛି। ସିଣ୍ଡିସିଙ୍ଗ ନିକଟରେ ଭୂସ୍ଖଳନ ଯୋଗୁଁ ଉଭୟ ପଟୁ ରାସ୍ତାକୁ ପ୍ରଶାସନ ବନ୍ଦ କରିଛି। ମହେନ୍ଦ୍ରଗଡ଼ ଓ ମୋହନା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ଲାଇଲାଇ ପଞ୍ଚାୟତର କିଛି ଗାଁରେ ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଧାମୁଣିଗାଁ ବ୍ରିଜ୍ ଉପରେ ମଧ୍ୟ ପାଣି ଚାଲିଥିଲା। ମାଛମରା ଓ ଲିଙ୍ଗିପୁର ପୋଲ ନିକଟରେ ଜଳସ୍ତରବୃଦ୍ଧି ଯୋଗୁଁ ଯାତାୟାତ ଉପରେ କଟକଣା ଜାରି କରାଯାଇଛି। କସମଳା ନିକଟ ମୁଖ୍ୟରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଜଙ୍ଗଲପଡ଼ୁ, ମାଧପୁର, ସରଧାପୁର, କେରାଣ୍ଡି, ରାଟିଣି ଓ ଅମରା ଗ୍ରାମରେ ଜଳବନ୍ଦି ପରିସ୍ଥିତି ସୃଷ୍ଟି ହୋଇଛି।
ଧୋଇଗଲା ରାସ୍ତା, ଭାଙ୍ଗିଲା କଲଭର୍ଟ
ରାୟଗଡ଼, ମୋହନା ଓ ଗୋଷାଣୀ ଅଧିକ କ୍ଷତିଗ୍ରସ୍ତ
ଅନେକ ଗାଁ ଜଳଘେରରେ, ଯୋଗାଯୋଗ ବିଚ୍ଛିନ୍ନ
ବିପନ୍ନଙ୍କ ପାଖରେ ପହଞ୍ଚିପାରୁନି ପ୍ରଶାସନ
ମୋହନା ବ୍ଲକ୍ରେ ମଧ୍ୟ ବର୍ଷା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଡମ୍ବଗୁଡ଼ା ପଞ୍ଚାୟତର ପାହାଡ଼ିମା ରାସ୍ତା, ଲୁହାଗୁଡ଼ି ପଞ୍ଚାୟତର ଗଣିଛକରୁ ସିରିଶିପଦା ରାସ୍ତା, ଶିକୁଳିପଦର ପଞ୍ଚାୟତର ଓଲଣ୍ଡା ରାସ୍ତା ଏବଂ ଜରଉ ପଞ୍ଚାୟତର କୁମାଙ୍ଗପଦର ରାସ୍ତା ନଷ୍ଟ ହୋଇଯାଇଛି। ବିରିକୋଟ ପଞ୍ଚାୟତର ବୁରୁଡ଼ୁ କଲଭର୍ଟ ଭାଙ୍ଗିଥିବା ବେଳେ ଢେପାଗୁଡ଼ା ପଞ୍ଚାୟତର ବ୍ରାହ୍ମଣପଲ୍ଲୀ, କୃଷ୍ଣପୁର ଓ ଗୋଠକେଳିକୁ ସଂଯୋଗ କରୁଥିବା ୩ଟି କଲଭର୍ଟ ଧୋଇ ହୋଇଯାଇଛି। ମୋହନା ପଞ୍ଚାୟତର ଖାରିଗୁଡ଼ାକୁ ସଂଯୋଗ କରୁଥିବା କଲଭର୍ଟ ମଧ୍ୟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ମୋହନାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ-୩୨୬ର ଲେଡ଼ବନ୍ଧ ଅଞ୍ଚଳରେ ରାସ୍ତା ଧୋଇ ହୋଇଯାଇଛି।
Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି
ରା.ଉଦୟଗିରି ବ୍ଲକ୍ର ମହେନ୍ଦ୍ରଗଡ଼ସ୍ଥିତ ରାମନଦୀ ପୋଲ ଉପରେ ପ୍ରାୟ ଦୁଇଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଥିବାବେଳେ ରଣ୍ଡିବା ପଞ୍ଚାୟତର ଲିଙ୍ଗଧର ଶୈବପୀଠ ଉପରେ ମଧ୍ୟ ପାହାଡ଼ିଆ ପାଣି ମାଡ଼ିଯାଇଛି। ଅନ୍ତରବା ଗ୍ରାମରେ ଗୋଟିଏ ଘର ଭାଙ୍ଗିଥିବା ବେଳେ ଗରଡ଼ମା ପଞ୍ଚାୟତର ମୋବେଲି ଘାଟିରେ ଗଛ ପଡ଼ିବା ସହ ପାହାଡ଼ରୁ ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି। ସେହିପରି ଗୋଷାଣୀ ବ୍ଲକ୍ର ୧୦ରୁ ଅଧିକ ଗାଁରେ ମହେନ୍ଦ୍ରତନୟାର ବନ୍ୟାଜଳ ପ୍ରବେଶ କରିିଛି। ପାରଳାଖେମୁଣ୍ଡି ସହରତଳି ଅଞ୍ଚଳ, ପୁରୁଣାପାଟଣା ରାସ୍ତା ଓ ମକାମା ତୋଟାସାହିରେ ମଧ୍ୟ ନଦୀଜଳ ପଶିଥିବା ସୂଚନା ମିଳିଛି। ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି।

54 minutes ago
1


