'Marijuana deal‘: ଗଞ୍ଜେଇ ଡିଲ୍‌’ର ଅଡିଓ ଭାଇରାଲ୍ ଘଟଣା: ହରଡ଼ଘଣାରେ ଟଙ୍କାଖିଆ ବାବୁ, ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

3 days ago 3
ARTICLE AD BOX

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାର ଓ ଧରପଗଡ଼ ଏକ ସାଧାରଣ ଘଟଣା ହୋଇଥିବା ବେଳେ ଏଥିରେ ପୁଲିସର ସମ୍ପୃକ୍ତି ନେଇ କାହାକୁ ଅଛପା ନାହିଁ। ଗତ କିଛି ବର୍ଷ ମଧ୍ୟରେ ଗଞ୍ଜେଇ ମାମଲାରେ ଅନେକ ପୁଲିସ କର୍ମଚାରୀ ଓ ଅଧିକାରୀ ନିଲମ୍ବିତ ହେବା ସହ ଜେଲ୍‌ ଯିବାର ନଜିର ରହିଛି। ମନମୁଣ୍ଡାର ତତ୍କାଳୀନ ଥାନା ଅଧିକାରୀ ସସ୍ମିତା ମଗର ଏକ ଗଞ୍ଜେଇ ଚାଲାଣ ମାମଲାରେ ଦୋଷୀଙ୍କୁ ସୁରକ୍ଷା ଦେବା ସହ ଜଣେ ଅପରାଧୀକୁ ଫେରାର ହେବାକୁ ପରାମର୍ଶ ଦେଇ ଆସୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମଧ୍ୟ ବୌଦ୍ଧ ପୁଲିସ ୪ ମାସ ଧରି ନିରବଦ୍ରଷ୍ଟା ସାଜିଥିଲା। ମାତ୍ର ଗଣମାଧ୍ୟମରେ ଖବର ପ୍ରକାଶ ପରେ ସଂପୃକ୍ତ ମହିଳା ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ। ଏଭଳି ସ୍ଥିତିରେ ଗତକାଲି ଏକ ଅଡିଓ କଲ୍‌ ରେକର୍ଡିଂ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଯାହାକି ପୁଲିସର ବାର୍ତ୍ତାଳାପ ବେଳର ଘଟଣା ବୋଲି କୁହାଯାଉଛି। ରେକର୍ଡିଂ ବାର୍ତ୍ତାଳାପ ଅନୁଯାୟୀ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ହାଟଗାଁ ଛକ ନିକଟରେ ଜଣେ ପୁଲିସ କର୍ମଚାରୀ ଗଞ୍ଜେଇ ଭର୍ତ୍ତି ଏକ ଗାଡ଼ିକୁ ଜବତ କରିବା ପରେ ଅଭିଯୁକ୍ତଜଣକ ଥାନା ବାବୁଙ୍କ ନାମ ନେଇଥିଲା। ସେଠାରୁ ଗୋଟିଏ ଗାଡ଼ି ସହ ପ୍ରାୟ ୧ କ୍ବିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ଓ ୨ ଜଣ ବ୍ୟକ୍ତି ଧରାପଡ଼ିଥିଲେ। ‌ତେବେ ଭାଇରାଲ୍‌ ଅଡିଓରେ ପ୍ରାୟ ୪ ଜଣ ବ୍ୟକ୍ତି କଥା ହେଉଥିବା ବେଳେ ଗଞ୍ଜେଇ କେଉଁ ଅଫିସର ଦେଇଛନ୍ତି ଏବଂ ‘ସାହେବ’ କେତେ ଟଙ୍କା ନେବେ, ସେ ନେଇ ଆଲୋଚନା ଚାଲିଛି। ଅଡିଓରେ ୪ ଲକ୍ଷ ଟଙ୍କାର କାରବାର, ଟେପ୍‌ମରା ପ୍ୟାକିଂ ଗଞ୍ଜେଇ ଏବଂ ୪ ଦିନ ତଳେ ଗଞ୍ଜେଇ ଛାଡ଼ିବା ପ୍ରସଙ୍ଗରେ ବାରମ୍ବାର ‘ସାର୍’ ଓ ‘ସାହେବ’ଙ୍କ ନାଁ ନିଆଯାଉଛି। ଏହି କଥୋପକଥନ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ଯାହାକି ଖୋଦ୍‌ ପୁଲିସ ଗଞ୍ଜେଇ ବେପାର କରୁଥିବା କଥାକୁ ସୁନିଶ୍ଚିତ କରୁଛି। ଏ ସଂପର୍କରେ ବୌଦ୍ଧ ଏସ୍‌ପି କୁଳଦୀପ ମୀନା ଘଟଣାର ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି

ପ୍ରକାଶଥାଉକି, ହାଟଗାଁରେ ଗତ ଜୁଲାଇ ୧୮ ତାରିଖ ବିଳମ୍ବିତ ରାତିରେ ଗଞ୍ଜେଇ ଚଢ଼ଉ କରିବାକୁ ଯାଇ ମାଫିଆଙ୍କ ଆକ୍ରମଣ ଶିକାର ହୋଇଥିଲେ ୩ ପୁଲିସ କର୍ମଚାରୀ। ପୁଲିସ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ  ୨୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଏହାକୁ ପ୍ରତିବାଦ କରି ଗ୍ରାମର ଶତାଧିକ ମହିଳା ଏସ୍‌ପି ଅଫିସରେ ଧାରଣାରେ ବସିବା ସହ ନିରୀହ ଲୋକଙ୍କୁ ପୁଲିସ ଗିରଫ କରିଥିବା ଅଭିଯୋଗ କରିଥିଲେ। ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ମଧ୍ୟ ସମର୍ଥନ କରି ନିରୀହ ଗ୍ରାମବାସୀ ଓ ଛାତ୍ରଙ୍କୁ ଛାଡ଼ିବାକୁ ପୁଲିସ ସହ ଯୁକ୍ତି ବାଢ଼ିଥିଲେ। ମାତ୍ର ଥାନା ଅଧିକାରୀ ନଳିନୀ ଦାସ କୌଣସି କଥା ଶୁଣି ନଥିଲେ। ପରେ ବିଧାୟକ-ଥାନା ଅଧିକାରୀ ମୁହାଁମୁହିଁ ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଏହି ଘଟଣା ସହ ଭାଇରାଲ୍‌ କଲ ରେକର୍ଡିଂର ସମ୍ପର୍କ ଥାଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ସେପଟେ ପୁଲିସ କଲ୍ ରେକର୍ଡ ଭାଇରାଲ୍‌ ଘଟଣାକୁ ନେଇ ବିଧାୟକ ମୁହଁ ଖୋଲିଛନ୍ତି। କେତେକ ଅସାଧୁ ପୁଲିସ କର୍ମଚାରୀଙ୍କ ପାଇଁ ବୌଦ୍ଧ ପୁଲିସ ବଦନାମ ହେଉଛି ବୋଲି କହିଛନ୍ତି।

ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

କଟକ: ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାର ନେଇ ଅଡିଓ କ୍ଲିପ୍ ଭାଇରାଲ୍ ଘଟଣା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ଏ ନେଇ ଅନ୍ତରୀଣ ପୁଲିସ ଡିଜି ବିନୟତୋଷ ମିଶ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡିଜି କହିଛନ୍ତି ଯେ ଏହି ଅଡିଓ ୮ ମାସ ତଳର। ଏହି ଘଟଣାର ତଦନ୍ତ କରାଯିବ। ବୌଦ୍ଧ ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଏସ୍‌ପିଙ୍କ ଦ୍ବାରା ତଦନ୍ତ କରିବାକୁ କୁହାଯାଇଛି। ଅଡିଓର ସତ୍ୟାସତ୍ୟ ଯାଞ୍ଚ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.