Minor girl gang-raped and murdered: ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା!: ନିଖୋଜର ୫ ଦିନ ପରେ ଗଳିତ ଶବ ଉଦ୍ଧାର

4 days ago 5
ARTICLE AD BOX

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳର ଜଣେ ନିଖୋଜ ନାବାଳିକାଙ୍କ ଗଳିତ ଶବ ଆଜି ବର୍ତ୍ତନା ପଞ୍ଚାୟତର ଢେରାପଦା ଧାନବିଲ ନିକଟରୁ ଉଦ୍ଧାର ହୋଇଛି। ଗତ ୧୬ ତାରିଖରୁ ସେ ନିଖୋଜ ଥିଲେ। ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ବର୍ତ୍ତନା ଓ ଖୁଲୁଡ଼ା ପଞ୍ଚାୟତରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଜଳେଶ୍ବର-ପଶ୍ଚିମବାଡ଼ ରାସ୍ତାର ବଡ଼ନଗର ଛକରେ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଛନ୍ତି। ଅଭିଯୁକ୍ତଙ୍କ ସହ ସମ୍ପୃକ୍ତି ଥିବା ସନ୍ଦେହରେ ନାବାଳିକାଙ୍କ ସାଙ୍ଗ ଓ ତାଙ୍କ ମାଆ ରହୁଥିବା ଘରେ ଭଙ୍ଗାରୁଜା କରିଛନ୍ତି। ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଓ ଫୋର୍ସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଛନ୍ତି।

ସୂଚନା ଅନୁଯାୟୀ, ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଗତ ୧୬ ତାରିଖ ଅପରାହ୍ଣ ସାଢ଼େ ୪ଟାରେ ନିଜ ସାଙ୍ଗ ସହ ଘରୁ ବାହାରିଥିଲେ। ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସହ ସାଙ୍ଗକୁ ଫୋନ୍‌ କରିଥିଲେ। ସାଙ୍ଗର ସୂଚନା ଅନୁସାରେ, ସୁଲତାନପୁର ଗ୍ରାମର ଚନ୍ଦ୍ରକାନ୍ତ ଜେନା ଓରଫ୍ କାହ୍ନା ନାବାଳିକାଙ୍କୁ ଏକ ମୋଟରସାଇକଲ୍‌ରେ ବସାଇ ନେଇ ଯାଇଥିଲା। ଏହାପରେ ପରିବାର ଲୋକେ ଚନ୍ଦ୍ରକାନ୍ତଙ୍କୁ ବାଇକ୍‌ ସହ ଅଟକାଇ ନାମ୍ପୋ ଫାଣ୍ଡିରେ ଜିମା ଦେଇଥିଲେ। ପରଦିନ ଅର୍ଥାତ୍ ୧୭ ତାରିଖରେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ଏଥିରେ ଚନ୍ଦ୍ରକାନ୍ତଙ୍କ ସମେତ ନାବାଳିକାଙ୍କ ସାଙ୍ଗ ଓ ସାଙ୍ଗର ମାଆଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଏନେଇ ପୁଲିସ ୬୧୯ ନମ୍ବରରେ ଏକ ମାମଲା ରୁଜୁ କରିଥିବା ବେଳେ ଚନ୍ଦ୍ରକାନ୍ତଙ୍କୁ ଛାଡ଼ି ଦେଇଥିଲା।

ନିଖୋଜର ୫ ଦିନ ପରେ ଗଳିତ ଶବ ଉଦ୍ଧାର
ସାଙ୍ଗ ଘରେ ଉତ୍ତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା 
ଟାୟାର ଜାଳି ଜଳେଶ୍ବର-ପଶ୍ଚିମବାଡ଼ ରାସ୍ତା ଅବରୋଧ

ଆଜି ବର୍ତ୍ତନା ଗାଁର ଢେରାପଦା ନିକଟ ଧାନଜମି ପାର୍ଶ୍ବରୁ ଜଣେ ନାବାଳିକାଙ୍କ ଗଳିତ ଶବ ମିଳିଥିଲା। ଘଟଣାସ୍ଥଳରେ ପଡ଼ିଥିବା ପୋଷାକ ଓ କିଛି ଦୂରରେ ପଡ଼ିଥିବା ଜୋତାରୁ ଏହା ନିଖୋଜ ନାବାଳିକାଙ୍କ ଶବ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ଶବ ମିଳିବା ପରେ ଚନ୍ଦ୍ରକାନ୍ତ ଜଳେଶ୍ବର ଥାନାରେ ଆତ୍ମସମର୍ପଣ କରିଥିଲା। ଫଳରେ ଉତ୍ତ୍ୟକ୍ତ ଲୋକେ ମୃତ ନାବାଳିକାଙ୍କ ସାଙ୍ଗ ଓ ତାଙ୍କ ମାଆ ରହୁଥିବା ଘରେ ଭଙ୍ଗାରୁଜା କରିବା ସହ ଘରର ଆସବାବପତ୍ର ଓ ଏକ ବାଇକ୍‌ ଭାଙ୍ଗି ଦେଇଥିଲେ। ସେମାନଙ୍କୁ ଗିରଫ ସହ ନାମ୍ପୋ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ ଦାବିରେ ବଡ଼ନଗର ଛକରେ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଥିଲେ। ବାଲେଶ୍ବର ଏଏସ୍‌ପି ପରେଶ ରାଉତ, ତିନିଜଣ ଡିଏସ୍‌ପି, ଜଳେଶ୍ବର ଏସ୍‌ଡିପିଓ ସୁରେଶ ତ୍ରିପାଠୀ, ଜଳେଶ୍ବର ଥାନା ଆଇଆଇସି ଅଶୋକ କୁମାର ବାରିକ, ଭୋଗରାଇ ଥାନା ଆଇଆଇସି ଜ୍ଞାନରଞ୍ଜନ ସାହୁ ଓ ଅତିରିକ୍ତ ତହସିଲଦାର ସରୋଜ କୁମାର ନାୟକ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ବିଜେପି ନେତା ବ୍ରଜମୋହନ ପ୍ରଧାନ ଓ କାଳୀଚରଣ ଦାସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି। ବିଜେପି ରାଜ୍ୟ ଉପସଭାପତି ସିପ୍ରା ବାଜପେୟୀ, ପ୍ରାକ୍ତନ ସରପଞ୍ଚ ପଦ୍ମଲୋଚନ ବେହେରା, ଯୁବନେତା ଜଗଦୀଶ ଜେନା ଓ ଅନନ୍ତ ରାଉଳ, କଂଗ୍ରେସ ନେତା ହେମନ୍ତ ଗିରି ଓ ସୌଭିକ ଜେନାଙ୍କ ସହ ବହୁ ନେତା ମୃତ ନାବାଳିକାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.