ARTICLE AD BOX
ସ୍ୱପ୍ନ ଦେଖିବା ପାଇଁ ବୟସର କୌଣସି ସୀମା ନଥାଏ! ନିଜ ପ୍ରତିଭା ଓ ପରିଶ୍ରମ ବଳରେ ଯେକୌଣସି ଲକ୍ଷ୍ୟ ହାସଲ କରିହୁଏ। ଏହାର ଉଦାହରଣ ହେଉଛନ୍ତି ୧୮ ବର୍ଷୀୟା ଶ୍ରୀୟା ଶିବଦର୍ଶିନୀ ପଣ୍ଡା। ଡାକ୍ତରୀ ପାଠ ପଢୁଥିବା ଶ୍ରୀୟା ନିକଟରେ ‘ପ୍ରାଇଡ୍ ମିସ୍ ଇଣ୍ଡିଆ ୨୦୨୬’ର ମୁକୁଟ ହାସଲ କରିଛନ୍ତି। ଭୁବନେଶ୍ୱରର ଶ୍ରୀୟା କଟକସ୍ଥିତ ଏସ୍ସିବି ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷର ଏମ୍ବିବିଏସ୍ ଛାତ୍ରୀ। ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ତାଜ୍ ଭିଭାନ୍ତାରେ ଆୟୋଜିତ ‘ପ୍ରାଇଡ୍ ମିସ୍ ଇଣ୍ଡିଆ ୨୦୨୬’ ପ୍ରତିଯୋଗିତାରେ ୧୨୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ସେ। ଏହି ପ୍ରତିଯୋଗିତାରେ ଜାତୀୟ ପୋଷାକ ପ୍ରଦର୍ଶନ, ପ୍ରତିଭା ପ୍ରଦର୍ଶନ, ପ୍ରଶ୍ନୋତ୍ତର ଓ ରୢାମ୍ପ୍ ୱାକ୍ ଭଳି ବିଭିନ୍ନ ପର୍ଯ୍ୟାୟ ପାର କରିଥିଲେ ଶ୍ରୀୟା। କେବଳ ପାଠପଢ଼ା ଓ ମଡେଲିଂରେ ସେ ସୀମିତ ନୁହନ୍ତି।
ସେ ଜଣେ ଦକ୍ଷ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧ୍ୟ। ପିଲାଦିନରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେ ଅନେକ ପଦକ ଓ ଟ୍ରଫି ଜିତିଛନ୍ତି। ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଶ୍ରୀୟା ଓଡ଼ିଶାର ସଂସ୍କୃତିକୁ ଅନ୍ୟ ଅଞ୍ଚଳରେ ପହଞ୍ଚାଇଛନ୍ତି। କୋଲ୍କାତା, ବୃନ୍ଦାବନ ଓ ବାରଣାସୀରେ ସେ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଏହାସହିତ ନେପାଳର କାଠମାଣ୍ଡୁରେ ଆୟୋଜିତ ଏକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଶ୍ରୀୟା ୨୦୨୭ ଏପ୍ରିଲ୍ରେ ଇଣ୍ଡୋନେସିଆରେ ହେବାକୁ ଥିବା ‘ମିସ୍ ଇଣ୍ଡିପେଣ୍ଡେଣ୍ଟ୍ ଇଣ୍ଟର୍ନ୍ୟାସ୍ନାଲ୍ସ୍ ୨୦୨୭’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ। ନିଜ ସଫଳତାକୁ କେବଳ ବ୍ୟକ୍ତିଗତ ପରିଚୟ ମଧ୍ୟରେ ସୀମିତ ରଖିବାକୁ ଚାହାନ୍ତିନି ଶ୍ରୀୟା। ନିଜ ପ୍ରତିଭାକୁ ସମାଜର କଲ୍ୟାଣ ଲାଗି ଉପଯୋଗ କରିବା ତାଙ୍କର ଲକ୍ଷ୍ୟ। ବିଶେଷକରି ସେ ମହିଳାଙ୍କ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ।

6 days ago
7


