ARTICLE AD BOX
ମୁମ୍ବାଇ: ଗଣେଶ ପୂଜା ଓ ଆଗାମୀ ପାର୍ବଣ ଋତୁ ପୂର୍ବରୁ ମୁମ୍ବାଇବାସୀଙ୍କ ଘରୋଇ ବଜେଟ୍ ଉପରେ ଏକ ବଡ଼ ଝଟକା ଲାଗିବାକୁ ଯାଉଛି। ''ବମ୍ବେ ମିଲ୍କ ପ୍ରୋଡ୍ୟୁସର୍ସ ଆସୋସିଏସନ୍'' ପକ୍ଷରୁ କ୍ଷୀରର ପାଇକାରୀ ଦରରେ ଲିଟର ପିଛା ୯ ଟଙ୍କା ବୃଦ୍ଧି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧, ୨୦୨୬ରୁ ମୁମ୍ବାଇ ଏବଂ ଏହାର ଆଖପାଖ ମହାନଗର ସଂଯୋଜିତ ଅଞ୍ଚଳରେ କ୍ଷୀରର ପାଇକାରୀ ମୂଲ୍ୟ ଲିଟର ପିଛା ୯୩ ଟଙ୍କାରୁ ବୃଦ୍ଧି ପାଇ ୧୦୨ ଟଙ୍କାରେ ପହଞ୍ଚିବ। ଏହି ନୂତନ ବର୍ଦ୍ଧିତ ଦର ଆଗାମୀ ଛଅ ମାସ ଅର୍ଥାତ୍ ୨୮ ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆବଶ୍ୟକୀୟ ଖର୍ଚ୍ଚ ପ୍ରବଳ ବୃଦ୍ଧି
ଗୋ-ଖାଦ୍ୟ, ସବୁଜ ଘାସ, ଖୋଳ ଓ ଗାଡ଼ି ଭଡ଼ା ଭଳି ଗୋ-ପାଳନ ସମ୍ବନ୍ଧୀୟ ଆବଶ୍ୟକୀୟ ଖର୍ଚ୍ଚ ପ୍ରବଳ ବୃଦ୍ଧି ପାଇବା ଯୋଗୁଁ ଖୁଚୁରା ଦର ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସ୍ଥାନୀୟ ଡାଏରୀ ଚାଷୀମାନେ ଦର୍ଶାଇଛନ୍ତି। ଆସନ୍ତା ସପ୍ତାହରୁ ସ୍ଥାନୀୟ ଖୁଚୁରା ବିକ୍ରେତା, ଡାଏରୀ ଦୋକାନୀ ଏବଂ ଘରେ ଘରେ କ୍ଷୀର ଯୋଗାଉଥିବା ବ୍ୟକ୍ତିମାନେ ଏହି ବର୍ଦ୍ଧିତ ୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟ ସିଧାସଳଖ ଗ୍ରାହକଙ୍କ ଉପରେ ଲଦିବା ନିଶ୍ଚିତ ହୋଇଯାଇଛି। ଏହି ଦରବୃଦ୍ଧି କେବଳ ଦୈନନ୍ଦିନ କ୍ଷୀର ସେବନ ଉପରେ ନୁହେଁ, ବରଂ ବେକେରୀ, ମିଠା ଦୋକାନ ଏବଂ ହୋଟେଲଗୁଡ଼ିକ ଉପରେ ମଧ୍ୟ ପ୍ରତ୍ୟେକ୍ଷ ପ୍ରଭାବ ପକାଇବ। ଫଳରେ ଆଗାମୀ ପାର୍ବଣ ସମୟରେ ଦହି, ପନୀର, ଛେନା ଏବଂ ବିଭିନ୍ନ ମିଠା ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

1 hour ago
3


